ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାସେ ପରେ କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ?

ଜିଲ୍ଲା ପୁଲିସକୁ ସହଯୋଗ କରୁଥିଲା, ତଥାପି ଫେଲ୍ ମ‌ାରିଲା
ରହସ୍ୟ ଉନ୍ମୋଚନ କରିପାରିବ ତ କ୍ରାଇମବ୍ରାଞ୍ଚ?

ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ଫେଲ୍ ମାରିଛି ଗଜପତି ଜିଲ୍ଲା ପୁଲିସ। ଶେଷରେ ମାସେ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ତଦନ୍ତଭାର। ଆରମ୍ଭରୁ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଗ୍ରହଣ କରିପାରି ନ ଥିଲେ ସୌମ୍ୟଙ୍କ ପରିବାର ଏବଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହି ଆସୁଥିଲେ। ଜିଲ୍ଲା ପୁଲିସକୁ ମୂଳରୁ ସହଯୋଗ କରି ଆସୁଥିବା କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ସେମିତି କିଛି ଖିଅ ପାଇ ପାରି ନଥିଲା। ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଘଟଣାରେ ୪ଟି ଜିଲ୍ଲାର ଲିଙ୍କ୍ ଓ ପରିବାରଲୋକଙ୍କ ଉଚ୍ଚସ୍ତରୀୟ ତଦନ୍ତ ଦାବି ସତ୍ତ୍ବେ ରାଜ୍ୟ ସରକାର କିମ୍ବା ପୁଲିସ ଡିଜି ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇ ନ ଥିଲେ। ତେଣୁ ମାସକ ପରେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ୍ କେତେଦୂର ଏହି ରହସ୍ୟ ଉନ୍ମୋଚନ କରିବାରେ ସମର୍ଥ ହେବ, ତାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଆରମ୍ଭରୁ ସସ୍‌ପେନ୍ସ ଲାଗି ରହିଛି। କେବଳ ସୌମ୍ୟଙ୍କ ପରିବାରଲୋକ ନୁହନ୍ତି, ସାଧାରଣ ଲୋକଙ୍କୁ ମଧ୍ୟ ଏହି ମୃତ୍ୟୁ ଘଟଣା ଆନ୍ଦୋଳିତ କରିଛି। ନିଜ ଘର ଭିତରେ ସୌମ୍ୟ ୯୫ପ୍ରତିଶତ ପୋଡ଼ି ହୋଇଗଲେ ମଧ୍ୟ ସେଇ ଘର ଭିତରେ ଥିବା ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭ କେମିତି ଜାଣିପାରିଲେ ନାହିଁ, ସୌମ୍ୟ ପୋଡ଼ି ହୋଇଥିବା ଘର ଭିତରେ ଆସବାବପତ୍ର ସେମିତି କିଛି ନଷ୍ଟ ନହେଲା କେମିତି, ଡିଏଫ୍ଓ ସଂଗ୍ରାମୀ କେଶରୀ ବେହେରା ତାଙ୍କ ଘରକୁ ଯିବା ଆସିବା କରୁଥିଲେ ନା ନାହିଁ, ମହିଳା ପୁଲିସ ଅଧିକାରୀ ଅଧା ବାଟରେ ଆମ୍ବୁଲାନ୍ସ ଅଟକାଇଲେ କାହିଁକି, ତଦନ୍ତ ସରିବା ପୂର୍ବରୁ ତତ୍କାଳୀନ ଏସ୍‌ପି ତପନ ପଟ୍ଟନାୟକ ତରବରିଆ ଭାବେ ଡିଏଫ୍ଓଙ୍କୁ କ୍ଲିନଚିଟ୍ ଦେଇ ପୁଣି ପରବର୍ତ୍ତୀ ସମୟରେ ନିଜର ପ୍ରତିକ୍ରିୟା ବଦଳାଇଲେ କାହିଁକି, ଏଭଳି ଏକାଧିକ ପ୍ରଶ୍ନ ପୂରା ମାମଲାକୁ ଅଧିକ ଜଟିଳ କରିଦେଇଛି। ମାସେ କାଳ ତଦନ୍ତ କଲା ପରେ ବି ଏସବୁର ରହସ୍ୟ ଉନ୍ମୋଚନ କରିପାରି ନଥିବା ଜିଲ୍ଲା ପୁଲିସର ଭୂମିକା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ଆରମ୍ଭରୁ ସନ୍ଦେହ ଲାଗି ରହିଛି। ଏହାକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ପ୍ରଶ୍ନ ମଧ୍ୟ ଉଠାଇଥିବା ବେଳେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି।

ଏହି ଘଟଣାରେ ଗଜପତି, ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ବର, ବିଦ୍ୟାଭାରତୀଙ୍କ ଘର ମୟୂରଭଞ୍ଜ କପ୍ତିପଦା ଓ ବଲାଙ୍ଗିର ଲିଙ୍କ୍ ମଧ୍ୟ ବାହାରିଥିଲା। ତେଣୁ ଚାରି ଚାରିଟି ଜିଲ୍ଲା ସହ ମାମଲାର ଲିଙ୍କ୍ ଥିବା ବେଳେ ଜିଲ୍ଲା ପୁଲିସ ପାଇଁ ମଧ୍ୟ ତଦନ୍ତ କରିବା ନିହାତି କଷ୍ଟକର ବ୍ୟାପାର ଥିଲା। ଏତେ ସମ୍ବେଦନଶୀଳ ଓ ମାମଲାର ଜଟିଳତାକୁ ଦୃଷ୍ଟିରେ ରଖି କାହିଁକି ଆରମ୍ଭରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇ ନଥିଲା? ଡିଏଫ୍ଓଙ୍କ ସମ୍ପୃକ୍ତି ଅଭିଯୋଗକୁ ସୁରକ୍ଷା ଦେବାକୁ ଯାଇ ଏଭଳି କରାଯାଇଥିଲା କି? ନା ମାମଲାକୁ ଅତି ହାଲୁକା ଭାବେ ଗ୍ରହଣ କରାଯାଇଥିଲା? ଅନ୍ୟପକ୍ଷରେ ଗତ ସପ୍ତାହରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପିଏସଙ୍କର ହଠାତ୍ ବଦଳିକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି। ପୁଲିସ ତଦନ୍ତ ପ୍ରଭାବିତ ହୋଇଥିବା ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।

ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁସାରେ, ମାମଲା ଆରମ୍ଭରୁ ଗଜପତି ପୁଲିସର ନିରପେକ୍ଷତା ନେଇ ପ୍ରଶ୍ନ ଉଠିଛି। ପରିବାରଲୋକ ଯେଉଁ ଅଭିଯୋଗ ଆଣୁଥିଲେ, ସେମାନଙ୍କ କଥା ପୁଲିସ ଶୁଣୁ ନଥିଲା। ଯେଉଁମାନେ ମାମଲାର ଅଭିଯୁକ୍ତ ସେମାନଙ୍କୁ ପୁଲିସ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ହିସାବରେ ବୟାନ ରେକର୍ଡ କରିଛି। ଯେଉଁ ଡାଏରି, ଚୁକ୍ତିନାମା ଓ କେତେକ କାଗଜପତ୍ର ଜବତ ହୋଇଥିଲା ତାହାର ହ୍ୟାଣ୍ଡ ରାଇଟିଂ ବ୍ୟୁରୋରେ ଯାଞ୍ଚ କରାଯାଇଛି କି ନାହିଁ। ମାମଲାର ସମ୍ବେଦନଶୀଳତାକୁ ଦେଖି ପୁଲିସ ଡିଜିଙ୍କ ନିର୍ଦ୍ଦେଶରେ ତିନିଦିନ ପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା ପୁଲିସକୁ ତଦନ୍ତରେ ସହଯୋଗ କରିଥିଲା। କିନ୍ତୁ ରହସ୍ୟ ଉପରୁ ପରଦା ଉଠାଇ ପାରିଲା ନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା, ମାସେ ଧରି ପୁଲିସ ତଦନ୍ତକୁ ଅନ୍ଧାର ଭିତରେ ରଖିଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ କେମିତି ପରଦା ଉଠାଇବ ତାହାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ଜିଲ୍ଲା ପୁଲିସ ଏହି ମାମଲାକୁ ସମ୍ପୂର୍ଣ୍ଣ ଭାବେ ହୁଏତ ଫୋକସ୍ କରିପାରି ନ ଥିଲା ବୋଲି ପୁଲିସ ମୁଖ୍ୟାଳୟ ହୃଦବୋଧ କରିଥିଲେ। ସେହିପରି କ୍ରାଇମବ୍ରାଞ୍ଚ ପାଖରେ ସାଇଣ୍ଟିଫିକ୍, ଡଗ୍ ସ୍କ୍ବାଡ୍, ଫୋରେନସିକ୍, ଆଇଟି ଭଳି ବିଶେଷଜ୍ଞ ରହିଛନ୍ତି। ତେଣୁ କ୍ରାଇମବ୍ରାଞ୍ଚ ଆହୁରି ଭଲ ଭାବେ ମାମଲାର ତଦନ୍ତ କରିପାରିବ।

ସମ୍ବନ୍ଧିତ ଖବର