ଚନ୍ଦ୍ରଶେଖରପୁର: କାମରେ ଆସୁନି ଆଚାର୍ଯ୍ୟ ବିହାର-ନାଲ୍କୋ ଛକ ରାସ୍ତାରେ ଜଳୁଥିବା ଷ୍ଟ୍ରିଟ୍ ଲାଇଟ୍। ଗଛ ଡାଳପତ୍ର ଭିତରେ ରହି ଯାଉଛି ଷ୍ଟ୍ରିଟ୍ ଲାଇଟ୍ର ଆଲୋକ। ଫଳରେ ଅନ୍ଧାରିଆ ରାସ୍ତାରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଲଖମା ଓ ହମ୍ପସ୍ ଜଣାପଡ଼ୁ ନ ଥିବାରୁ ବାଇକ୍ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ଧାରର ସୁଯୋଗ ନେଇ ଅସାମାଜିକ ତତ୍ତ୍ବ ଆଡ଼ା ଜମାଉଛନ୍ତି। ତେଣୁ ସନ୍ଧ୍ୟା ପରେ ଏ ରାସ୍ତାରେ ମହିଳାମାନେ ଯାତାୟାତ କରିବାକୁ ଭୟ କରୁଛନ୍ତି।
ଆଚାର୍ଯ୍ୟ ବିହାର ଛକରୁ ନାଲ୍କୋ ଛକକୁ ଲମ୍ବିଥିବା ରାସ୍ତା ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। ଏହି ରାସ୍ତା ଦେଇ ପ୍ରତିଦିନ ହଜାରହଜାର ଲୋକ ଯାତାୟାତ କରିଥା’ନ୍ତି। ବିଶେଷକରି ସନ୍ଧ୍ୟା ହେଲେ କର୍ମଜୀବୀ ମହିଳା ଓ ପୁରୁଷମାନେ ଏହି ରାସ୍ତା ଦେଇ ଘରକୁ ଫେରନ୍ତି। ସେହିଭଳି ପଟିଆ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅନେକ ବଡ଼ବଡ଼ ହସ୍ପିଟାଲ୍ ଥିବାରୁ ବିଳମ୍ବିତ ରାତିରେ ମଧ୍ୟ ଏହି ରାସ୍ତା ଦେଇ ବହୁତ ଲୋକ ଯାତାୟାତ କରନ୍ତି। ମାତ୍ର ଏବେ କିଛି ମାସ ହେଲା ଏହି ରାସ୍ତାରେ ଅନ୍ଧାର ରାଜୁତି କରୁଛି। ବଡ଼ବଡ଼ ଗଛର ଡାଳପତ୍ର ଯୋଗୁଁ ଷ୍ଟ୍ରିଟ୍ ଲାଇଟ୍ ରାସ୍ତାରେ ପଡ଼ୁନାହିଁ। ଫଳରେ ରାସ୍ତା ପୂରା ଅନ୍ଧାରିଆ ହୋଇ ରହୁଛି। କେଉଁଠି ହମ୍ପସ୍ ରହିଛି, କେଉଁଠି ଡିଭାଇଡର୍ ଅଛି, କେଉଁଠି ଖାଲଖମା ରହିଛି, କିଛି ଜଣାପଡ଼ୁନାହିଁ। ଫଳରେ ବହୁ ସମୟରେ ଛୋଟମୋଟ ଦୁର୍ଘଟଣା ଏହି ରାସ୍ତାରେ ନିତିଦିନିଆ ଘଟଣା ହୋଇଯାଇଛି।
ସେହିଭଳି ଅନ୍ଧାରିଆ ଜାଗା ଦେଖି ନିଶାଡ଼ି ଓ ଲୁଟେରାଙ୍କ ଭଳି ଅସାମାଜିକ ତତ୍ତ୍ବ ଆଡ଼ା ଜମାଉଛନ୍ତି। ଲୁଟ୍ପାଟ୍ କରିବାକୁ ସେମାନଙ୍କୁ ସୁଯୋଗ ମିଳି ଯାଉଛି। ଏମିତିକି କିଛି ଅସାମାଜିକ ଯୁବକ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବାକୁ ଛକି ରହୁଥିବା ଅଭିଯୋଗ ହେଉଛି। ଏହି ରାସ୍ତାରେ ନିୟମିତ ଯାତାୟାତ କରୁଥିବା ଲୋକଙ୍କ ଅଭିଯୋଗ ଅନୁସାରେ, ଗଛ ଡାଳପତ୍ର ଛାଇରେ କିଛି ରାସ୍ତା ଅନ୍ଧାର ରହୁଥିବା ବେଳେ କିଛି ଖମ୍ବରେ ଷ୍ଟ୍ରିଟ୍ଲାଇଟ୍ ଭଲ ଜଳୁ ନାହିଁ। ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଷ୍ଟ୍ରିଟ୍ଲାଇଟ୍ ଥାଇ ନଥିବା ଭଳି ଅବସ୍ଥା। ପୁଣି କିଛି ଖମ୍ବରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ମୋଟେ ଜଳୁନାହିଁ। ଦୀର୍ଘ ଦିନ ଧରି ଅଚଳ ହୋଇରହିଛି। ଅନୁରୂପ ଅବସ୍ଥା ଏହି ରାସ୍ତାରେ ଥିବା ମୋ’ ବସ୍ ରହଣିରେ। ଅନେକ ସମୟରେ ମୋ’ ବସ୍ ଷ୍ଟପ୍ରେ ବି ଲାଇଟ୍ ଜଳୁନଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ସେଠାରେ ଅପେକ୍ଷା କରୁଛନ୍ତି। ତେଣୁ ସମସ୍ୟା ସୃଷ୍ଟି କରୁଥିବା ଗଛ ଡାଳ ସବୁ ତୁରନ୍ତ କଟାଯିବା ଆବଶ୍ୟକ। ଏନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।