ବିନ୍ଦୁସାଗରକୁ ସ୍ବଚ୍ଛ ରଖିବା ଆମର ନୈତିକ ଦାୟିତ୍ବ: ମୁଖ୍ୟମନ୍ତ୍ରୀ
ଲିଙ୍ଗରାଜଙ୍କ ମହିମା ବିଶ୍ବରେ ପହଞ୍ଚାଇବା ଦିଗରେ ବଡ଼ ପଦକ୍ଷେପ: ଧର୍ମେନ୍ଦ୍ର
୭୦ ଲକ୍ଷ ଟଙ୍କା ବ୍ୟୟ କରିବ ଇଣ୍ଡିଆନ୍ ଅଏଲ୍
ପୁରୁଣା ଭୁବନେଶ୍ୱର : ବିନ୍ଦୁସାଗରରେ ଆଉ ଅପରିଷ୍କାର ଜଳ ରହିବ ନାହିଁ। କାଚକେନ୍ଦୁ ଭଳି ଚକ୍ଚକ୍ ଦେଖାଯିବ। ଏହି ପବିତ୍ର ପୁଷ୍କରିଣୀର ଜଳକୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ଆରମ୍ଭ ହୋଇଛି ‘ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ’। ଏଥିପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ତା’ର ସିଏସ୍ଆର୍ ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ୍ ଅଏଲ୍ କ୍ୟାମ୍ପସ୍, ଭୁବନେଶ୍ୱର ଓ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି)ର ମିଳିତ ଉଦ୍ୟମରେ ପୁନରୁଦ୍ଧାର କାର୍ଯ୍ୟ କରାଯିବ।
/sambad/media/post_attachments/wp-content/uploads/2021/01/m12.jpg)
ପ୍ରକଳ୍ପର ଶୁଭାରମ୍ଭ ପାଇଁ ବିନ୍ଦୁସାଗର ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିନ୍ଦୁସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁସାଗରରେ ଏକାଠି ହୋଇଛି। ବିନ୍ଦୁସାଗରର ପ୍ରତିଟି ଜଳବିନ୍ଦୁ ପବିତ୍ର। ବିନ୍ଦୁସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ। ଏହା ଏକ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ବରର ଲୋକମାନଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଏହାର ନିବିଡ଼ ସମ୍ପର୍କ ରହିଛି। େତଣୁ ଏହାକୁ ସ୍ବଚ୍ଛ ରଖିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ବ। ଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର ଧାମ ଭୁବନେଶ୍ବର କେବଳ ଏକ ମନ୍ଦିରମାଳିନୀ ନଗରୀ ନୁହେଁ, ଏଠାରେ ଅନେକ ତୀର୍ଥ ପୋଖରୀ ରହିଛି। ସେଗୁଡ଼ିକର ପରିବେଶକୁ ମଧ୍ୟ ସ୍ବଚ୍ଛ ରଖିବା ସମସ୍ତଙ୍କ ଦାୟିତ୍ବ। ତେଣୁ ଏ କ୍ଷେତ୍ରରେ ଏକାମ୍ର ଅଞ୍ଚଳରେ ରହିଥିବା ୨୦ରୁ ଅଧିକ ଛୋଟ ବଡ଼ ତୀର୍ଥ ପୋଖରୀର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ବିନ୍ଦୁସାଗରକୁ ସ୍ବଚ୍ଛ ରଖିବାକୁ ଆଇଓସିଏଲ୍, ଆଇସିଟିର ସହଯୋଗ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।
/sambad/media/post_attachments/wp-content/uploads/2021/01/m7.jpg)
ସଭାସ୍ଥଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କହିଥିଲେ ଯେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ବିନ୍ଦୁସାଗରର ପବିତ୍ର ଜଳକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ ଲୋକାର୍ପିତ ହେବା ଓଡ଼ିଶାବାସୀଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ। ଏକାଦଶ ଶତାବ୍ଦୀରେ ଭୁବନେଶ୍ବରର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ପରି ଏକ ବିଶ୍ବସ୍ତରୀୟ କୀର୍ତ୍ତି ସ୍ଥାପିତ ହୋଇଥିଲା। ପ୍ରଭୁ ଲିଙ୍ଗରାଜଙ୍କ ମହିମା ଓ ଗୌରବର ଗାଥା ସାରା ବିଶ୍ବରେ ପହଞ୍ଚାଇବା ଦିଗରେ ବିନ୍ଦୁସାଗରର ପବିତ୍ର ଜଳକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ଜାତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ବଦ୍ଧପରିକର। ଭୁବନେଶ୍ବରରେ ପୁରାତନ ଗୌରବକୁ ପୁନଃଜୀବିତ କରିବା ଓ ଏହାକୁ ପର୍ଯ୍ୟଟନର ପ୍ରମୁଖ ସ୍ଥଳୀ ଭାବେ ବିକଶିତ କରିବା ଦିଗରେ ଆଜିର ପଦକ୍ଷେପ ଉଲ୍ଲେଖନୀୟ। ଭାରତ ସରକାର, ଓଡ଼ିଶା ସରକାର ତଥା ସାମୂହିକ ପ୍ରଚେଷ୍ଟାରେ ଓଡ଼ିଆ ଜାତିକୁ ଉପରକୁ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।
/sambad/media/post_attachments/wp-content/uploads/2021/01/m14-1.jpg)
ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏକାମ୍ର କ୍ଷେତ୍ରକୁ ଏକ ବିଶ୍ବସ୍ତରୀୟ ତୀର୍ଥସ୍ଥଳରେ ପରିଣତ କରିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସଂସ୍କୃତିର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର, ଇଣ୍ଡିଆନ୍ ଅଏଲ୍ର ଅଧ୍ୟକ୍ଷ ଏସ୍ ଏମ୍ ବୈଦ୍ୟ, ଆଇସିଟି ମୁମ୍ବାଇ ଶିକ୍ଷାନୁଷ୍ଠାନର କୁଳପତି ପ୍ରଫେସର ଅନିରୁଦ୍ଧ ବାଲଚନ୍ଦ୍ର ପଣ୍ଡିତ, ଇଣ୍ଡିଆନ୍ ଅଏଲ ଏଚ୍ଆର୍ ନିର୍ଦେଶକ ରଞ୍ଜନ ମହାପାତ୍ର, ଆଇସିଟି-ଆଇଓସିର ନିର୍ଦେଶକ ବି.ଏନ୍. ଥୋରାଟ୍ ଓ ଓବିସିସିର ପରିଚାଳନା ନିର୍ଦେଶକ ଜୟକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/bindusagar-aff.jpg)