ବାଲିଅନ୍ତା: ପୁରୋହିତପୁର ପଞ୍ଚାୟତସ୍ଥିତ ଅଚ୍ୟୁତାନନ୍ଦ ଆଦର୍ଶ ଉଚ୍ଚବିଦ୍ୟାନିକେତନକୁ ସରକାରୀ ସ୍ବୀକୃତି ମିଳିଛି। ହେଲେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବଡ଼ ସମସ୍ୟା ସୃଷ୍ଟି ହେଉଛି। ଗୋଟିଏ ଶ୍ରେଣୀଗୃହ ଛାତରୁ ପାଣି ଗଳୁଥିବାରୁ ବର୍ଷା ହେଲେ ୨ଟି ଶ୍ରେଣୀର ପିଲାମାନଙ୍କୁ ଗୋଟିଏ ଶ୍ରେଣୀରେ ବସାଇ ପାଠ ପଢ଼ାଯାଉଛି। ସ୍ଥାନୀୟ ଲୋକେ ଓ ଅଭିଭାବକମାନେ ବିଭିନ୍ନ ସମୟରେ ସାଂସଦଙ୍କଠାରୁ ଆରମ୍ଭ କରି ଜୟଦେବ ବିଧାୟକଙ୍କ ପର୍ଯ୍ୟନ୍ତ ଜଣାଇ ଆସୁଛନ୍ତି। ହେଲେ ସ୍କୁଲର ଭିତ୍ତିଭୂମି ନିର୍ମାଣ ନେଇ କୌଣସି ଅନୁଦାନ ମିଳିନଥିବା ଅଭିଯୋଗ ହୋଇଛି।
ବର୍ଷା ହେଲେ ଛାତରୁ ପାଣି ଗଳୁଛି
ଗୋଟିଏ ଗୃହରେ ପଢ଼ୁଛନ୍ତି ୨ଟି ଶ୍ରେଣୀର ଛାତ୍ରଛାତ୍ରୀ
୨୬ବର୍ଷ ପୁରୁଣା ଏହି ବିଦ୍ୟାଳୟକୁ ୨୦୦୩ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବୀକୃତି ମିଳିଛି। ହେଲେ ଅନୁଦାନ ମିଳିପାରି ନାହିଁ। ଫଳରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାଗଣା ପାଠ୍ୟ ପୁସ୍ତକ, ସାଇକେଲ, ଛତା, ଜୋତା ଓ ବୃତ୍ତି ଇତ୍ୟାଦି ପାଇବାରୁ ବଞ୍ଚିତ ହେଉଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଏକ ବିପଦସଙ୍କୁଳ ଘରେ ପାଠ ପଢ଼ୁଛନ୍ତି। ଶ୍ରେଣୀଗୃହର ଛାତର ଅଧିକାଂଶ ସ୍ଥାନରୁ କଂକ୍ରିଟ ପଲସ୍ତରା ଖଣ୍ଡଖଣ୍ଡ ହୋଇ ଖସିଗଲାଣି। ଯାହାଫଳରେ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ତେଣୁ ବର୍ଷା ହେଲେ ଅଷ୍ଟମ ଓ ନବମ ଶ୍ରେଣୀର ପିଲାଙ୍କୁ ଗୋଟିଏ କୋଠରୀରେ ବସାଇ ପାଠ ପଢ଼ାଯାଉଛି।
ସେହିପରି ଅଫିସ ଘର ଗୋଟିଏ ଛୋଟ ଘରେ ଚାଲିଥିବାରୁ କାର୍ଯ୍ୟ କରିବାରେ ଅସୁବିଧା ହେଉଛି। ତେଣୁ ବିଦ୍ୟାଳୟକୁ ଅନୁଦାନ ମିଳିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଦାଶ କହିଛନ୍ତି, ୨୦୧୩ ମସିହା ବିଜ୍ଞପ୍ତି ଅନୁସାରେ ଦଶମ ଶ୍ରେଣୀରେ ୩୦ ପିଲା ଥିବା ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟକୁ ଯୋଗ୍ୟ ବିବେଚିତ କରାଯାଇ ୨୦୧୫ ମସିହାରେ ଅନୁଦାନପ୍ରାପ୍ତ ଘୋଷଣା କରାଯାଇଥିଲା। ହେଲେ ଅଚ୍ୟୁତାନନ୍ଦ ଆଦର୍ଶ ଉଚ୍ଚବିଦ୍ୟା ନିକେତନରେ ସେତେବେଳେ ୨୮ ଜଣ ପିଲା ପଢ଼ୁଥିବାରୁ ତାଲିକାରୁ ବାଦ୍ ପଡ଼ିଯାଇଥିଲା। ଏବେ ଏଠାରେ ଦଶମ ଶ୍ରେଣୀରେ ୪୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ମଧ୍ୟ ଅନୁଦାନ ମିଳିପାରି ନାହିଁ।