ଭୁବନେଶ୍ବର: ଗତକାଲି ପ୍ରେମିକାଙ୍କୁ ହୋଇଥିବା ଏସିଡ୍‌ ଆଟାକ୍‌ ଉଦ୍ୟମ ମାମଲାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା। ଏକତରଫା ପ୍ରେମ କରୁଥିବା ପୁରୁଷବନ୍ଧୁ ରାଗରେ ପ୍ରେମିକାଙ୍କୁ ସହିଦନଗର ସାଇ ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏସିଡ୍‌ ପକାଇ ଜାଳି ଦେବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଆଜି ଏହି ମାମଲା ନୂଆ ମୋଡ଼ ନେଇଛି। ପୁଲିସ ତଦନ୍ତରୁ ପ୍ରକୃତ ସତ ପଦାକୁ ଆସିଛି। ପୁରୁଷବନ୍ଧୁକୁ ଫସାଇବାକୁ ମିଛ ନାଟକ ରଚିଥିବା ଯୁବତୀ ଶେଷରେ ଫସିଯାଇଛନ୍ତି। ତେଣୁ ସହିଦନଗର ଥାନା ପୁଲିସ ଏହି ମାମଲାରେ ଯୁବତୀ, ତାଙ୍କ ମାଇଁ, ମାମୁ ଓ ୨ ଭାଇଙ୍କୁ ମିଶାଇ ୭ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଥରବନ୍ଧ ବସ୍ତିର ଯୁବତୀ ଜାନକୀ ବେହେରା ଓରଫ ପିଙ୍କି, ମାଇଁ କବିତା ନାୟକ, ମାମୁ ସୌମ୍ୟରଂଜନ ସାମଲ, ୨ ଭାଇ ମାନସ ବେହେରା ଓ ପଦ୍ମନାଭ ବେହେରା, ସେହି ବସ୍ତିର ରମାକାନ୍ତ ବେହେରା ଓ ଲୋକେଶ୍ ବେହେରା।

Advertisment

ସୂଚନାଯୋଗ୍ୟ ଯେ ପୁରୁଷବନ୍ଧୁ ଚନ୍ଦକା ଥାନା ପାଇକରାପୁର ଅଞ୍ଚଳର ସୁନୀଲ୍‌ ସେଠୀଙ୍କ ସହିତ ପିଙ୍କିଙ୍କ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ପରେ ଜାତିଗତ ପ୍ରଭେଦ କାରଣରୁ ସେମାନଙ୍କ ବିବାହ ହୋଇପାରିନଥିଲା। ସୁନୀଲ୍‌ ଅନ୍ୟତ୍ର ବାହା ହୋଇଯାଇଥିଲେ। ତଥାପି ସେମାନଙ୍କ ମଧ୍ୟରେ ସମ୍ପର୍କ ଲାଗି ରହିଥିଲା। ଏହାକୁ ନେଇ ପତ୍ନୀ ସ୍ବାମୀ ସୁନୀଲ୍‌ଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ସୁନୀଲ୍‌ ପୁଣି ପିଙ୍କିଙ୍କୁ ବିବାହ କରିବେ ବୋଲି ପ୍ରସ୍ତାବ ରଖିଥିଲେ। ମାତ୍ର ପିଙ୍କି ରାଜି ହୋଇନଥିଲେ। ଏହା ଭିତରେ ସୁନୀଲ୍‌ଙ୍କ ସ୍ତ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ପିଙ୍କି ଓ ସୁନୀଲ୍‌ଙ୍କ ଫଟୋ ପୋଷ୍ଟ କରିଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଦେଖି ଏହା ସୁନୀଲ୍‌ର ଚାଲ୍‌ ବୋଲି ପିଙ୍କି ଭାବିଥିଲେ। ସୁନୀଲ୍‌ ତାଙ୍କୁ ବାହା ହେବାକୁ ଏଭଳି ଚାଲ୍‌ କରିଛି ବୋଲି ସେମାନେ ଧରିନେଇଥିଲେ ଏବଂ ସୁନୀଲ୍‌କୁ ପାନେ ଦେବାକୁ ଯୋଜନା କରିଥିଲେ। ଯୋଜନାନୁସାରେ ପିଙ୍କି ଛଳନା କରି ଗତକାଲି ସୁନୀଲ୍‌କୁ ଡକାଇଥିଲା ଏବଂ ସୁନୀଲ୍‌ ସେଠାରେ ତା’ ଉପରକୁ ଏସିଡ୍‌ ପକାଇବାକୁ ଉଦ୍ୟମ କରୁଛି ବୋଲି ପାଟି କରିଥିଲା। ଅନ୍ୟମାନେ ସୁନୀଲ୍‌କୁ ଧରି ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ। କିନ୍ତୁ ଖୋଳତାଡ଼ କରୁକରୁ ପୁଲିସ ପ୍ରକୃତ ସତ ଜାଣିବାକୁ ପାଇଛି।