ଭୁବନେଶ୍ବର: କଟକଣା, ଦଣ୍ଡ ବିଧାନର ଭୟ, ଅଦାଲତର ନିର୍ଦେଶନାମା ସତ୍ତ୍ବେ ଥମୁନି ଏସିଡ୍ ଆକ୍ରମଣ। ଗତ ବର୍ଷକ ମଧ୍ୟରେ ଏସିଡ୍ ମାଡ଼ ଯୋଗୁଁ ୮ଜଣ ଗୁରୁତର ଅବସ୍ଥାରେ ଶ୍ରୀରାଚମଚନ୍ଦ୍ର ଭଂଜ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଏକତରଫା ପ୍ରେମ ଏବଂ ଯୌତୁକ ଦାବି ହିଁ ଏହାର ପ୍ରମୁଖ କାରଣ ପାଲଟିଛି। ଗତ ୨ ବର୍ଷର ଘଟଣା ହିଁ ଏହାର ମୂକସାକ୍ଷୀ। ତେବେ ଏସିଡ୍ ମାଡ଼ ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ସହ ଏବେ ବି ଯନ୍ତ୍ରଣା ଦାଉ ସାଧୁଛି। ୨୦୧୬ ମସିହାରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଗାଁ’ର ନାବାଳିକା ମାମୁନି ବିଶୋଇ ଏକତରଫା ପ୍ରେମ ଯୋଗୁଁ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ବର୍ଷେ କାଳ ଧରି ସେ କଟକରେ ଚକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ସେହିପରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଡିଏମ୍ଏଲ୍ଟି ପାଠ୍ୟକ୍ରମର ତୃତୀୟ ବର୍ଷର ଛାତ୍ରୀ ମିନତି ପ୍ରଧାନଙ୍କୁ ତାଙ୍କ ସ୍ବାମୀ ମହାବିଦ୍ୟାଳୟ ପରିସରରେ ଏସିଡ୍ ମାଡ଼ କରିଥିଲେ। ଯୌତୁକ ଦାବି କରି ମିନତିଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ଏନେଇ ମିନତି ମହିଳା ଥାନାରେ ଏତଲା ମଧ୍ୟ ଦେଇଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ତେଣୁ ହଷ୍ଟେଲ୍ରେ ରହି ଅଧ୍ୟୟନ କରୁଥିବା ବେଳେ ତାଙ୍କୁ ତାଙ୍କ ସ୍ବାମୀ କମନ୍ ରୁମ୍ରେ ଏସିଡ୍ ମାଡ଼ କରିଥିଲେ। ଫଳରେ ତାଙ୍କ ଶରୀରର ୩୦ ପ୍ରତିଶତ ପୋଡ଼ି ଯାଇଥିଲା। ଅବଶ୍ୟ ପରେ ପୁଲିସ୍ ଅଭିଯୁକ୍ତ ସ୍ବାମୀକୁ ମୁମ୍ବାଇରୁ ଗିରଫ କରିଥିଲା। ୨୦୧୭ ନଭେମ୍ବରରେ ତାଙ୍କ ସହ ଏଭଳି ଘଟିଥିଲେ ହେଁ ଏପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନି। ବାମ ଚକ୍ଷୁ ଆଂଶିକ ନଷ୍ଟ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ଏଥିରୁ ତାଙ୍କୁ ମୁକ୍ତି ମିଳିନାହିଁ। ୨୦୧୮ ଜାନୁଆରି ୧୫ ତାରିଖରେ ଏକତରଫା ପ୍ରେମ ଯୋଗୁଁ କଳାହାଣ୍ଡି ଜିଲ୍ଲା କଲମାପୁର ଅଞ୍ଚଳର ଦମୟନ୍ତୀ ବିହାରୀଙ୍କୁ ପର୍ଶୁରାମ ମାଝୀ ନାମକ ଜଣେ ବ୍ୟକ୍ତି ଏସିଡ୍ ମାଡ଼ କରିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିଥିଲେ ହେଁ ଏ ଘଟଣାରେ ଅନେକ ଷଡ଼ଯନ୍ତ୍ରକାରୀ ଖୁଲାମଖୁଲା ବୁଲୁଛନ୍ତି। ଗତ ଜୁନ୍ ମାସରେ ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ ମଧୁସ୍ମିତା ମହାପାତ୍ରଙ୍କ ଉପରକୁ ମଧ୍ୟ ଅଜଣା ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଥିଲା। ତିର୍ତୋଲର ୫୩ ବର୍ଷିୟା ଶାନ୍ତିଲତା ସାମଲ ମଧ୍ୟ ଏସିଡ୍ ଆକ୍ରମଣରୁ ବର୍ତି ପାରିନଥିଲେ। ଏସିଡ୍ ମାଡ଼ ହେଉଥିବା ମହିଳାମାନେ ବର୍ଷବର୍ଷ ଧରି ଯନ୍ତ୍ରଣା ଭୋଗୁଥିବା ବେଳେ ପ୍ରଶାସନ ଏବଂ ପୁଲିସ୍ ଉଚିତ୍ ପଦକ୍ଷେପ ନେଉନାହିଁ। ଏମିତିକି ଏଭଳି କାଣ୍ଡ ଘଟାଉଥିବା ଅଭିଯୁକ୍ତଙ୍କୁ ଆଇପିସି-୩୨୬ ଏରେ ଏସିଡ୍ ମାଡ଼ ପାଇଁ ସର୍ବନିମ୍ନ ୧୦ ବର୍ଷ କାରାଦଣ୍ଡର ବ୍ୟବସ୍ଥା ଥିଲେ ହେଁ ବ୍ରହ୍ମପୁରରେ ଜଣେ ବ୍ୟକ୍ତିକୁ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ଏସିଡ୍ ସର୍ଭାଇଭର୍ସ ଆଣ୍ଡ୍ ଓମେନ୍ ୱେଲ୍ଫେୟାର୍ ଫାଉଣ୍ଡେସନ୍, ଓଡ଼ିଶା ଚାପ୍ଟରର ପ୍ରତିନିଧି ଟିଏନ୍ ପଣ୍ଡା କହିଛନ୍ତି।
ଏସିଡ୍ ମାଡ଼ ଛଡ଼ାଇ ନେଇଛି ପରିବାରର ସୁଖ
ବର୍ଷ ବର୍ଷ ଧରି ମେଡିକାଲ୍ରେ ଯୁଝୁଛନ୍ତି ଆକ୍ରାନ୍ତଙ୍କ ପରିବାର
/sambad/media/post_attachments/wp-content/uploads/2018/10/acid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)