ଘରକୁ ନେବାକୁ ଜିଦ୍‌ କରିବାରୁ ପ୍ରେମିକାକୁ ଏସିଡ୍‌ ମାଡ଼

ବର୍ଷକ ତଳେ ହୋଇଥିଲା କୋର୍ଟ ବିବାହ, ଚିକିତ୍ସା କରାଇ ଯୁବତୀଙ୍କୁ ଘରେ ଛାଡ଼ିଲା ପୁଲିସ

ଧଉଳି : ପ୍ରେମ ସଂପର୍କକୁ କାଳେ ପରିବାରଲୋକ ଗ୍ରହଣ କରିବେନି, ସେଥିପାଇଁ ବର୍ଷକ ତଳେ ଦୁହେଁ କୋର୍ଟରେ ବିବାହ କରିଥିଲେ। ଆଇନ ଅନୁସାରେ ଦୁହେଁ ସ୍ବାମୀ-ସ୍ତ୍ରୀ ହୋଇସାରିଥିଲେ, ଖାଲି ଅପେକ୍ଷା ଥିଲା ସାମାଜିକ ସ୍ବୀକୃତିକୁ। ତେଣୁ ବୈଦିକ ରୀତିରେ ବିବାହ ପାଇଁ ପରିବାରଲୋକଙ୍କୁ ମନାଇବା ପର୍ଯ୍ୟନ୍ତ ଦୁହେଁ ଅଲଗା ରହୁଥିଲେ। କିନ୍ତୁ ୟାରି ଭିତରେ ଯେ ପ୍ରେମିକର ମନ ପରିବର୍ତ୍ତନ ହୋଇଯିବ ଓ ସେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଯେ ଉଦ୍ୟମ କରିବ, ଏକଥା ଯୁବତୀଜଣଙ୍କ କଳନା ବି କରିନଥିଲେ। ଗତକାଲି ଧଉଳି ଶାନ୍ତିସ୍ତୂପ ନିକଟରେ ଘଟିଥିବା ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଶାନ୍ତିସ୍ତୂପକୁ ବୁଲାଇନେବା ବାହାନାରେ ଧୋକାବାଜ୍‌ ପ୍ରେମିକ ଏସିଡ୍‌ ପକାଇ ପ୍ରେମିକାକୁ ହତ୍ୟା କରିବାକୁ ଉଦ୍ୟମ କରିଛି। ସୌଭାଗ୍ୟବଶତଃ ଯୁବତୀଜଣଙ୍କ ବଞ୍ଚି ଯାଇଥିଲେ ହେଁ ତାଙ୍କ ବେକ ପାର୍ଶ୍ବରୁ ମୁହଁ ଯାଏ କିଛି ଅଂଶ ପୋଡ଼ି ଯାଇଛି। ଧଉଳି ପୁଲିସ ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ତାଙ୍କ ପରିବାରଲୋକଙ୍କ ଜିମା ଦେଇଛି। ଏହାସହ ଯୁବତୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତକାଲି ଏହି ଘଟଣା ଘଟିଥିଲେ ହେଁ ଆଜି ରାତି ୮ଟା ସୁଦ୍ଧା ଅଭିଯୁକ୍ତ ଯୁବକଙ୍କୁ ପୁଲିସ ଧରି ପାରିନାହିଁ। ଅପରପକ୍ଷେ ଖବର ପାଇ ପିପିଲି ତହସିଲଦାର ସପନ କୁମାର ନନ୍ଦ ଆଜି ରେଡକ୍ରସ୍‌ ପାଣ୍ଠିରୁ ଯୁବତୀଙ୍କ ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଦେଇଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ହେଲା, ନିମାପଡ଼ା ଥାନା ଅଞ୍ଚଳର ପପୁନି ରାଉତ(୨୨)। ଦୁଇବର୍ଷ ତଳେ ସେ ପିପିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇଥିଲା। ପରିବାରଲୋକ ବିବାହ ପାଇଁ ରାଜି ହେବେନି ବୋଲି କହିବାରୁ ଭରସା ଜନ୍ମାଇବା ପାଇଁ ସେ ଯୁବତୀଙ୍କୁ ଗତବର୍ଷ କୋର୍ଟରେ ବିବାହ କରିଥିଲା। ତେବେ ପରିବାରଲୋକଙ୍କୁ କହି ତାଙ୍କୁ ସ୍ତ୍ରୀର ସ୍ବୀକୃତି ଦେବା ପାଇଁ କହିବାରୁ ପୁପୁନି ପଛଘୁଞ୍ଚା ଦେଉଥିଲା। ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା। ତେଣୁ ପିଛା ଛଡ଼ାଇବା ପାଇଁ ସେ ଯୁବତୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ବୁଧବାର ଅପରାହ୍‌ଣରେ ସେ ଯୁବତୀଙ୍କୁ ଧଉଳି ବୁଲାଇ ନେଇଥିଲା। ସେଠାରେ ଏକ ନିଛାଟିଆ ସ୍ଥାନରେ ତାଙ୍କ ଉପରକୁ ଏସିଡ୍‌ ଫିଙ୍ଗି ଦେଇଥିଲା। ପରେ ସେଠାରୁ ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର