ଥାନା ଦାୟିତ୍ବରେ ଥିବା ଏସିପିଙ୍କୁ ହଟାଯିବ, ଦ୍ବୈତନଗରୀରୁ ୬ ଡିଏସ୍‌ପିଙ୍କୁ ଅବ୍ୟାହତି

୧୫ରେ ବୋର୍ଡ ବୈଠକ

ଭୁବନେଶ୍ବର: ସାରା ଓଡ଼ିଶା ସମେତ କମିସନରେଟ୍ ପୁଲିସରେ ଡିଏସ୍‌ପି/ଏସିପି ପାହ୍ୟାକୁ ପଦୋନ୍ନତି ପାଇଥିବା ପୁଲିସ କର୍ମଚାରୀଙ୍କୁ ଥାନା ଦାୟିତ୍ବରୁ ଅବ୍ୟାହତି ଦିଆଯିବ। ସେମାନଙ୍କୁ ଥାନାର ଇନଚାର୍ଜ ପଦବିରୁ ହଟାଇ ପାହ୍ୟା ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନକୁ ବଦଳି କରାଯିବ। ଡିଏସ୍‌ପି ପାହ୍ୟାର କର୍ମଚାରୀଙ୍କୁ ପଦୋନ୍ନତି ମିଳିସାରିଥିବାରୁ ସେମାନଙ୍କୁ ଥାନାରୁ ମୁକ୍ତ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଜଣେ ପୁଲିସ କର୍ମଚାରୀଙ୍କ କହିବାନୁଯାୟୀ, ଯଥୋଚିତ ସମୟରେ ପଦୋନ୍ନତି ମିଳୁଥିଲେ ହେଁ ଅନେକ କାରଣ ଯୋଗୁଁ ଥାନାରୁ ସେମାନଙ୍କୁ ରିଲିଭ୍ କରାଯାଉନି।

ବିଶେଷ କରି ଡିଏସ୍‌ପି ପାହ୍ୟାର କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ତେଣୁ ଏନେଇ ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରାଯାଇଛି। ଆସନ୍ତା ୧୫ତାରିଖ ଏହି ବୋର୍ଡର ବୈଠକ ଅନୁଷ୍ଠିତ ହେବ। ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇବା ସତ୍ତ୍ବେ ଥାନା ଦାୟିତ୍ବରେ ଥିବା ସବୁ କର୍ମଚାରୀ ଏହି ବୈଠକରେ ଯୋଗ ଦେଇ ସେମାନଙ୍କ ସମସ୍ୟା ବାବଦରେ ଟିପ୍ପଣୀ ଦେବେ। ଏହାପରେ ଅଦଳବଦଳକୁ ନେଇ ବିଚାରବିମର୍ଶ ହେବ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହି କ୍ରମରେ ଦ୍ବୈତନଗରୀରୁ ପ୍ରାୟ ୬ଥାନାରେ ଏହିଭଳି ଅବ୍ୟବସ୍ଥା ରହିଥିବା ବେଳେ ଭୁବନେଶ୍ବରରେ କେବଳ ୫ଟି ଥାନାରେ ଏଭଳି ସମସ୍ୟା ରହିଛି। ଭୁବନେଶ୍ବରର କ୍ୟାପିଟାଲ୍ ଥାନାରେ ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ସହିଦନଗରରେ ହିମାଂଶୁ ଶେଖର ସ୍ବାଇଁ, ଖାରବେଳନଗରରେ ଅରୁଣ ସ୍ବାଇଁ, ଚନ୍ଦ୍ରଶେଖରପୁରରେ ପ୍ରଦୀପ କୁମାର ମହାପାତ୍ର, ନନ୍ଦନକାନନରେ ବିଶ୍ବରଂଜନ ସେନାପତି ଓ କଟକ ମଙ୍ଗଳାବାଗ ଥାନାରେ ଅମିତାଭ ମହାପାତ୍ର ଡିଏସ୍‌ପି ଓ ଏସିପି ପାହ୍ୟାକୁ ପଦୋନ୍ନତି ହୋଇ ଯିବା ପରେ ମଧ୍ୟ ଥାନାରେ ଇନ୍ସପେକ୍ଟର ଦାୟିତ୍ବ ତୁଲାଉଛନ୍ତି।

ଡିସିପିଙ୍କ ସମୀକ୍ଷା ବୈଠକ: ଲୁଟେରା ଗ୍ୟାଙ୍ଗ, ଦାଗିଙ୍କୁ ଟାର୍ଗେଟ୍‌

ଭୁବନେଶ୍ବର: କିଛିଦିନ ହେବ ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି। ଲୁଟ୍‌ପାଟ ଠାରୁ ଆରମ୍ଭ କରି ହତ୍ୟା, ଗୁଳିକାଣ୍ଡ, ଛିନ୍‌ତାଇ, ଚୋରି, ଡକାୟତି ମାମଲାରେ ରାଜଧାନୀ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ତେଣୁ ପରିସ୍ଥିତିରେ ‌କିଭଳି ସୁଧାର ଅଣାଯିବ। ଅପରାଧୀ କିପରି ସାବାଡ଼ ହେବେ ସେ ନେଇ ଆଜି ଡିସିପି ପ୍ରତୀକ ସିଂ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଡିସିପି ଶ୍ରୀ ସିଂ ପ୍ରତ୍ୟେକ ଥାନାର ସମୀକ୍ଷା କରିଥିଲେ। କେତେକ ଥାନାର ସ୍ଥିତି ସଂଗିନ ରହିଛି। କେତେକ ହତ୍ୟା, ଗୁଳିକାଣ୍ଡ, ଡକାୟତି ଭଳି ବଡ଼ ବଡ଼ ଘଟଣାରେ ଏବେ ବି ଅପରାଧୀଙ୍କ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ତେଣୁ କିଭଳି ଫେରାର୍‌ ଅପରାଧୀ ଧରାହେବ‌େ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ସେମାନଙ୍କୁ ବାନ୍ଧିବାକୁ ନିର୍ଦେଶ ଦେଇଛନ୍ତି।

ସେହିପରି ରାଜଧାନୀରେ ସକ୍ରିୟ ହୋଇଉଠିଥିବା କେତେକ ଲୁଟେରା ଗ୍ୟାଙ୍ଗ ଏବଂ ଦାଗି ଅପରାଧୀଙ୍କ ତାଲିକା କରାଯାଇଛି। ଗଳିକନ୍ଦିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଅପରାଧୀଙ୍କ ଉପରେ ନଜର ରଖାଯିବ। ଏହାଛଡ଼ା କିଛିଦିନ ଯାଏ ରାତିରେ ସବୁଠି ବ୍ଲକିଂ, ଚେକିଂକୁ ଜୋରଦାର କାରିବାକୁ କୁହାଯାଇଛି। ବୈଠକରେ ସମସ୍ତ ଜୋନ୍‌ ଏସିପି, ଥାନା ଆଇଆଇସି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର