ଭୁବନେଶ୍ବର: ରାଜ୍ୟରେ ରେରା ପଞ୍ଜିକୃତ ଏଜେଣ୍ଟମାନେ ସରକାରୀ ନିୟମ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛି ରେରା(ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ)। ଆଜି ରେରା ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ରିଅଲ-ଇଷ୍ଟେଟ୍‌ ଏଜେଣ୍ଟମାନେ ସରକାରଙ୍କ ନିୟମ କିପରି ଅନୁପାଳନ କରିବେ, ସେ ସଂପର୍କରେ ଆଲୋଚନା କରାଯାଇଛି। କର୍ମଶାଳାକୁ ଉଦ୍‌ଘାଟନ କରି ରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ଏଜେଣ୍ଟମାନଙ୍କର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ।

Advertisment

ରେରା ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ବାଳ ଏଜେଣ୍ଟମାନେ ନିୟମିତ ତ୍ରୈମାସିକ ବିବରଣୀ ଦାଖଲ କରିବା ସହ କିପରି ରିଅଲ-ଇଷ୍ଟେଟ୍‌ କ୍ଷେତ୍ରରେ କଳା ଟଂକାର ଉପଯୋଗ ହୋଇପାରିବନାହିଁ, ସେଥିପାଇଁ ସତର୍କ ରହିବାକୁ କହିଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନ ରାଜସ୍ବ ବିଭାଗର ଅନ୍ୟତମ ନିର୍ଦ୍ଦେଶକ ସ୍ମାରକ ସ୍ବାଇଁ କଳା ଟଙ୍କା ନିୟନ୍ତ୍ରଣ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ ନ କରିବା ପାଇଁ ବିଭିନ୍ନ ଆଇନଗତ ବ୍ୟବସ୍ଥା ସଂପର୍କରେ ଅବଗତ କରାଇବା ସହ ଏଜେଣ୍ଟମାନେ ଏ ଦିଗରେ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ରେରା ଅତିରିକ୍ତ ସଚିବ ଶ୍ରାବଣୀ ପଟ୍ଟନାୟକ ସ୍ବାଗତଭାଷଣ ଦେଇଥିବା ବେଳେ କ୍ଷମତାପ୍ରାପ୍ତ ଅଧିକାରୀ ରବି ନାରାୟଣ ପାଢ଼ୀ ଧନ୍ୟବାଦ ଦେଇଥିଲେ। ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଜେଣ୍ଟମାନେ ଯୋଗଦେଇ ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ।