ଭୁବନେଶ୍ବର: ଠକ ବିଲ୍ଡରମାନେ କ୍ରେତାଙ୍କୁ ଶୋଷଣ କରୁଛନ୍ତି। ଏଣୁ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ), ପୁରୀ-କୋଣାର୍କ ଉନ୍ନୟନ କର୍ତୃପକ୍ଷ(ପିକେଡିଏ) ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ରେରା ଆଇନ କଡ଼ାକଡ଼ି କରନ୍ତୁ ବୋଲି ଆଜି ରେରା ସମ୍ମେଳନ କକ୍ଷରେ ବସିଥିବା ବୈଠକରେ ପରାମର୍ଶ ଦିଆଯାଇଛି। ରେରା ଆଇନର ବିଭିନ୍ନ ଦିଗ ଉପରେ ସଂପୃକ୍ତ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ ବୋଲି ଆଲୋଚନା ହୋଇଛି।
ରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ବାଳ ଓ ନ୍ୟାୟିକ ସଦସ୍ୟ ରମାନାଥ ପଣ୍ଡା ଯୋଗ ଦେଇ ବିଡିଏ, ବିଏମ୍ସି ଓ ପିକେଡିଏ ଅଧିକାରୀମାନଙ୍କୁ ବିଭିନ୍ନ ଆଇନଗତ ଦିଗ ଓ ବାସ୍ତବ ସମସ୍ୟା ଉପରେ ବୁଝାଇଥିଲେ। ଭୁବନେଶ୍ବର ଓ ପୁରୀ ଅଂଚଳରେ କର୍ତୃପକ୍ଷଙ୍କ ବିନା ଅନୁମୋଦନରେ ଏବଂ ରେରାରେ ଅଣପଞ୍ଜୀକୃତ ଭାବରେ ଯେଉଁ ଜମି ଓ ଗୃହ ନିର୍ମାଣ ପ୍ରକଳ୍ପଗୁଡ଼ିକ ଚାଲିଛି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏହା ଫଳରେ ସରକାର ଉଚିତ ରାଜସ୍ବ ପାଇପାରିବେ ଓ ଗ୍ରାହକମାନେ ଶୋଷଣରୁ ମୁକ୍ତିପାଇବେ। ରେରା ଅତିରିକ୍ତ ସଚିବ ଶ୍ରାବଣୀ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ଯୁଗ୍ମ ସଚିବ ଦୀପକ କୁମାର ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/51-2.jpg)