ବିଦ୍ୟୁତ ଚୋରି କରୁଥିଲେ ସେସୁ ଅଧିକାରୀ: ୪୫ ହଜାର ଜରିମାନା, କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଦ୍ୟୁତ ଚୋରି କରୁଥିଲେ ବିଦ୍ୟୁତ ବିଭାଗ କର୍ମଚାରୀ। ଲୋକମାନଙ୍କ ଅଭିଯୋଗ ପରେ ସୋମବାର ପାୱାର ହାଉସ୍‌ କଲୋନିରେ ସେସୁ ଚଢ଼ଉ କରିଥିଲା। ଚଢ଼ାଉ ପରେ ଚୋରି ରହସ୍ୟ ଧରାପଡ଼ିଛି। ୨ ଜଣ କର୍ମଚାରୀଙ୍କ ଠାରୁ ୪୫ ହଜାର ୨ଶହ ଟଙ୍କା ଜରିମାନା ଆଦାୟ ହୋଇଛି ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ବର୍ଷ ବର୍ଷ ଧରି ଏଭଳି ଚୋରି ଚାଲିଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆ ଯାଉ ନ ଥିଲା। ଚୋରି ସମ୍ପର୍କରେ ସୂଚନା ପାଇବା ପାଇଁ ସେସୁ ପକ୍ଷରୁ ଏକ ସ୍ବତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଥିଲା। ଲୋକମାନେ ଏହି ମୋବାଇଲ୍‌ରେ ସୂଚନା ଦେବା ପରେ ସୋମବାର ସେସୁର ବ୍ରହ୍ମାନନ୍ଦ ଦଣ୍ଡପାଟଙ୍କ ନେତୃତ୍ବରେ ଅତିରିକ୍ତ ଭିଜିଲାନ୍ସ ଅଫିସର ଓ ଏମ୍‌ଆରଟି ସ୍କ୍ବାଡ୍‌ ଏହି କଲୋନିରେ ଚଢ଼ଉ କରିଥିଲେ।

ଏହି ଚଢ଼ଉ ୨୦ ଜଣ ଅଧିକାରୀଙ୍କ କ୍ବାର୍ଟର୍ସ ଓ ଦୁଇଟି ଅଫିସ୍‌ରେ କରାଯାଇଥିଲା। ଏଥିରେ ଦୁଇଜଣ ମିଟର ଟ୍ୟାମ୍ପରିଂ କରିଥିବା ଦେଖାଯାଇଥିଲା। ଜଣେ ନିଜେ ଦର୍ଶାଇଥିବା ପରିମାଣ ଠାରୁ ଅଧିକ ବ୍ୟବହାର କରୁଥିଲେ। ସୂଚନାଯୋଗ୍ୟ, ବିଦ୍ୟୁତ ଚୋରିକୁ ନେଇ ସେସୁ ତନାଘନା କରୁଛି। ଲୋକମାନେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଆଦାୟ ହେଉଥିବା ଜରିମାନା ରାଶିର ୧୦ ପ୍ରତିଶତ ସୂଚନା ପ୍ରଦାନକାରୀକୁ ଦିଆଯାଉଛି। ପ୍ରତ୍ୟେକ ଦିନ ୪୦ରୁ ଅଧିକ ସୂଚନା ଏହି ମୋବାଇଲ ନମ୍ବର ଜରିଆରରେ ଆସୁଛି। ନିକଟ ଅତୀତରେ ଗୋଟିଏ ଦିନରେ ୧୦ ଜଣଙ୍କୁ ୨୮ ହଜାର ୪ଶହ ଟଙ୍କା ପୁରସ୍କାର ବାବାଦ ପ୍ରଦାନ କରାଯାଇଥିବା ସେସୁ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର