ଇନ୍ସପେକ୍ଟର ଓ ଦୁଇ ମହିଳା ଏସ୍‌ଆଇଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀ ଇତିଶ୍ରୀ ମଲ୍ଲିକ ଓ ଗାୟତ୍ରୀ ମଲ୍ଲିକଙ୍କୁ ମହିଳା ପୁଲିସ ମାଡ଼ ମାରିବା ଘଟଣାକୁ ଗୁରୁତର ସହିତ ନେଇଛନ୍ତି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ। ସଂପୃକ୍ତ ଇନ୍ସପେକ୍ଟର ସଂଗ୍ରାମ ପଟ୍ଟନାୟକ ଓ ଦୁଇ ମହିଳା ଏସ୍‌ଆଇ ମିନତି ନାୟକ ଓ ସସ୍ମିତା ଧଳଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପୁଲିସ କମିସନର୍‌ ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଅଭିଯୋଗ ହେବା ପରେ ଆଡିସ୍‌ନାଲ ଡିସିପିଙ୍କୁ ଏନେଇ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଥିଲା। ବର୍ତମାନ ରିପୋର୍ଟ ହସ୍ତଗତ ହେବା ପରେ ୩ ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆପଲ୍ଲୀ ଥାନା ବେହେରା ସାହିରେ ରହୁଥିବା ଜମ୍ବେଶ୍ୱର ବେହେରାଙ୍କ ଦୁଇ ଝିଅଙ୍କୁ ପୁଲିସ ଉଠାଇ ଆଣିବା ସହିତ ଥାନାରେ ନିସ୍ତୁକ ମାଡ଼ ମାରିଥିଲେ। ଯେଉଁ ସମୟରେ ପୁଲିସ ତାଙ୍କୁ ଉଠାଇ ଆଣିଥିଲା ସେହି ସମୟରେ କୌଣସି ମହିଳା ପୁଲିସ ନ ଥିଲେ। ଏହା ପରେ ଦୁଇ ଭଉଣୀଙ୍କୁ ପୁଲିସ ଗିରଫ କରି ୩୦୭ ଦଫାରେ କୋର୍ଟ ଚାଲାଣ କରିଥିଲା। ପରେ ଦୁଇ ଭଉଣୀ ଜାମିନ୍‌ରେ ଆସି ସେମାନଙ୍କ ଉପରେ ପୁଲିସର ଅମାନୁଷିକ ମାଡ଼ର ଚିତ୍ର ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା କରାଯିବା ପରେ ପୁଲିସ ମହଲରେ ତୀବ୍ର ପ୍ରତକ୍ରିୟା ପ୍ରକାଶ ପାଇଥିଲା। ତୁରନ୍ତ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ସଂଗ୍ରାମ ପଟ୍ଟନାୟକ ଓ ଦୁଇ ମହିଳା ଏସ୍‌ଆଇ ମିନତି ନାୟକ ଓ ସସ୍ମିତା ଧଳଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା। ଦୁଇ ଭଉଣୀଙ୍କ ଉପରେ ପୁଲିସର ଆକ୍ରମଣକୁ ନେଇ ରାଜ୍ୟ ମାନବାଧିକାର କମିସନ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। କମିସନ ନିଜ ଆଡୁ ମାମଲା ରୁଜୁ କରି ପୁଲିସ ଡିଜି ଓ ପୁଲିସ କମିସନର୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର