ନିଶା ବେପାରୀଙ୍କୁ ତଡ଼ିପାର ଯୋଜନା, ଉଚ୍ଛେଦ ହେଲା ଜବରଦଖଲ ଘର

ଭୁବନେଶ୍ୱର: ନିଶାବେପାରୀଙ୍କୁ ତଡ଼ିପାର୍‌ କରିବା ପାଇଁ କମିସନରେଟ୍‌ ପୁଲିସ ଚଳାଇଥିବା ସ୍ବତନ୍ତ୍ର ଅଭିଯାନକୁ ଆଜି ଆଉ ଏକ ସଫଳତା ମିଳିଛି। ହଳଦୀପଡ଼ିଆ ବସ୍ତି‌‌‌ରେ ସରକାରୀ ଜାଗା ଜବରଦଖଲ କରି ଘର ତିଆରି କରିଥିବା ୭ ନିଶା ବେପାରୀଙ୍କ ୬ଟି ଘରକୁ ଆଜି ଭାଙ୍ଗି ଦିଆଯାଇଛି। ବିଏମ୍‌ସି ଓ ବିଡିଏ ପକ୍ଷରୁ ହୋଇଥିବା ଏହି ଉଚ୍ଛେଦରେ କମିସନରେଟ୍‌ ପୁଲିସ ସୁରକ୍ଷା ଯୋଗାଇଥିଲା। ପୂର୍ବାହ୍ନ‌‌ରେ ହଳଦୀପଡ଼ିଆ ବସ୍ତିରେ ଏହି ତିନି ବିଭାଗ ପାଖାପାଖି ୩ ଘଣ୍ଟା ଧରି ଅପରେସନ୍‌ କରିଥିଲେ। କିଛି ଘର ଭାଙ୍ଗିବା ପରେ ଗଳି ଭିତରକୁ ଜେସିବି ମେସିନ୍‌ ନ ପଶିବାରୁ କେତେକ ଘରକୁ ହାତରେ ଭଙ୍ଗା ଯାଇଥିଲା। ଏହି ପଦକ୍ଷେପକୁ ବିଭିନ୍ନ ସ୍ତରରୁ ସ୍ବାଗତ କରାଯାଇଛି। ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆଜି ଦମ୍ପତି ସରିଫ୍‌ ଖାଁ ଓ ଆୟେସା ବିବିଙ୍କ ଘର ସହ ତୁଳସୀ ଦାସ, ଦିଲ୍ଲୀପ ସିଂହ, ରାଜା ପରିଡ଼ା, ସଞ୍ଜୟ ମହାନ୍ତି ଓ ପ୍ରଦୀପ ପ୍ରଧାନଙ୍କ ଘର ଭଙ୍ଗା ଯାଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଅଭିଯାନରେ ଏମାନେ ଗୋଟିଏ ସପ୍ତାହ ଭିତରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ଗିରଫ ସମୟରେ ସେମାନଙ୍କୁ ଏହି ଉଚ୍ଛେଦ କଥା ଚେତାଇ ଦିଆଯିବା ସହ ତୁରନ୍ତ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏହି ୭ ଜଣଙ୍କର ଘର ଭଙ୍ଗା ଯାଇଥିବା ବେଳେ ଆଉ ଏକ ନୂଆ ତାଲିକା ପ୍ରସ୍ତୁତ ହେଉଛି। ପୁରୁଣା ତାଲିକାରେ ୪୦ଜଣ ନିଶା ବେପାରୀଙ୍କର ନାମ ରହିଥିବା ବେଳେ ଦ୍ବିତୀୟ ତାଲିକାରେ ୧୦ରୁ ଊର୍ଦ୍ଧ୍ବଙ୍କର ନାମ ରହିଛି।

ସମ୍ବନ୍ଧିତ ଖବର