ଭୁବନେଶ୍ୱର: ମହରାଜା ଫିଲ୍ମ ହଲ୍ରେ ଶନିବାର ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ହେବ ବୋଲି ରବିବାର ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଭୁବନେଶ୍ୱର ଡିସିପିଙ୍କ ଅଧୀନରେ ଦକ୍ଷ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। କେବଳ ସାମ୍ବାଦିକ ନୁହଁନ୍ତି, ସାଧାରଣ ଜନତାଙ୍କ ପାଇଁ ରାଜ୍ୟର ସବୁ ସିନେମା ହଲ ମାଲିକଙ୍କ ସହ ଆଲୋଚନା କରାଯିବ। ଲୋକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନର ଆବଶ୍ୟକତା ରହିଛି ବୋଲି ଶର୍ମା କହିଛନ୍ତି।
ସୂଚନାଯୋଗ୍ୟ ଶନିବାର ଅପରାହ୍ନରେ ମହରାଜା ହଲରେ ଫିଲ୍ମ ଚାଲିଥିବା ବେଳେ କିଛି ଯୁବକ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପୁଲିସ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ତେଣୁ ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା।
ସାମ୍ବାଦିକ ସୁରକ୍ଷା ମଂଚ ଏହି ଘଟଣାକୁ ଅଧିକ ନିନ୍ଦା କରିଛି। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ନିନ୍ଦନୀୟ ବୋଲି କହିଛି। ତେଣୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣିବାର ଆବଶ୍ୟକତା ରହିଛି ବୋଲି ମଂଚ ପକ୍ଷରୁ କୁହାଯାଇଛି। ଦୀର୍ଘ ୨୪ ଘଣ୍ଟା ପରେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଂଚ ଦାବି କରିଛି।