ଓଡ଼ିଶାରେ ସକ୍ରିୟ ଜାଲ୍ ଟିକା ସାର୍ଟିଫିକେଟ୍ ରାକେଟ୍: କଟକ, ଭୁବନେଶ୍ବର ଓ ପୁରୀରେ କାମ କରୁଛି
ଦଲାଲଙ୍କର ତିଆରି ହୋଇଛି ହ୍ବାଟସଆପ୍ ଗ୍ରୁପ୍, ବିଦେଶ ଯିବା ପାଇଁ ଅଧିକ ବ୍ୟବହାର ହେଉଛି, ପୂର୍ବରୁ ପୁରୀରେ ଧରାପଡ଼ିଥିଲା ବଡ଼ଧରଣର ରାକେଟ୍
ଭୁବନେଶ୍ବର: ବିଦେଶ ଯିବା ପାଇଁ ହେଉ କି ଶ୍ରୀମନ୍ଦିର କିମ୍ବା ବିମାନଯାତ୍ରା ଲାଗି କୋଭିଡ୍ ଟିକାର ଦୁଇଟି ଡୋଜ୍ ସାର୍ଟିଫିକେଟ୍ କିମ୍ବା ଆର୍ଟିପିସିଆର ପରୀକ୍ଷା ରିପୋର୍ଟ ଜରୁରି। କେତେକ କ୍ଷେତ୍ରରେ ଏହା ହୋଇପାରୁ ନ ଥିବାରୁ ତିଆରି ହେଉଛି ଜାଲ୍ ରିପୋର୍ଟ ଓ ଟିକାର ସାର୍ଟିଫିକେଟ୍। ନିକଟରେ ଦୁଇଟି ଘଟଣାରୁ ଏହା ସାମ୍ନାକୁ ଆସିଛି। ବିଦେଶ ଯାତ୍ରା ପାଇଁ ବ୍ୟବହାର ହେଉଥିବା ଜାଲ୍ ଟିକା ସାର୍ଟିଫିକେଟ୍ ଧରାପଡ଼ିବା ଏବଂ ସପ୍ତାହେ ତଳେ ପୁରୀ ପୁଲିସ ହାତରେ ନକଲି ଆର୍ଟିପିସିଆର୍ ପରୀକ୍ଷା ରିପୋର୍ଟ ରାକେଟ୍ ଧରାପଡ଼ିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଡାର୍କ ଓ୍ୱେବ୍ ଏବଂ ବଜାରରେ ଜାଲ୍ ସାର୍ଟିଫିକେଟ୍ ଓ ରିପୋର୍ଟ ଅଳ୍ପ ଦାମରେ ସହଜରେ ମିଳିପାରୁଛି।
ମିଳିଥିବା ସୂଚନା ଅନୁସାରେ, କରୋନା କଟକଣା ପାଇଁ ଦେଶ ତଥା ବିଦେଶର ଏକାଧିକ କମ୍ପାନୀ ଓ୍ଵାର୍କ ଫ୍ରମ୍ ହୋମ୍ କରିଥିବା ବେଳେ କେତେକ ସଂସ୍ଥାର କାମ ବନ୍ଦ ରହିଥିଲା। ଅଧିକାଂଶ କର୍ମଚାରୀ ଘରକୁ ଫେରି ଆସିଥିଲେ। ଏବେ ସ୍ବାଭାବିକ ହେବା ପରେ କମ୍ପାନି ପକ୍ଷରୁ ପୁଣି ଥରେ ସେମାନଙ୍କୁ କର୍ମସ୍ଥଳୀକୁ ଡକାଯାଇଛି। ତେବେ କାର୍ଯ୍ୟରେ ଯୋଗ ଦେବା ପାଇଁ କମ୍ପାନି ପକ୍ଷରୁ ଦିଆଯାଉଥିବା ଧାର୍ଯ୍ୟ ସମୟ ଭିତରେ ଡବଲ୍ ଡୋଜ୍ ଟିକା ନେଇ ପାରୁ ନ ଥିବାରୁ ଅନେକ କର୍ମଚାରୀ ତରବରିଆ ଭାବେ ଜାଲ୍ ଟିକା ସାର୍ଟିଫିକେଟ୍ ସଂଗ୍ରହ କରୁଛନ୍ତି। ଯୋଗାଯୋଗ କଲେ ଏହା ଦଲାଲଙ୍କ ଜରିଆରେ ସହଜରେ ବି ମିଳିଯାଉଛି। ସେହିପରି ଜାଲ୍ ଆରଟିପିସିଆର୍ ରିପୋର୍ଟ ମଧ୍ୟ ଉପଲବ୍ଧ ହେଉଛି। ଯାହାକୁ ନେଇ ବିମାନଯାତ୍ରୀ ବିଦେଶ ଯାତ୍ରା କରୁଛନ୍ତି। କେତେକ କ୍ଷେତ୍ରରେ ଧରାପଡ଼ୁଥିଲେ ମଧ୍ୟ ଅଧିକାଂଶ ଜଣାପଡ଼ୁ ନାହିଁ।
କେବଳ ବିଦେଶ ଯାତ୍ରା ନୁହେଁ; ଦୁଇ ପ୍ରମୁଖ ରାଜ୍ୟ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡର ପର୍ଯ୍ୟଟନସ୍ଥଳୀକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ଆରଟିପିସିଆର୍ ପରୀକ୍ଷା ଓ ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ସେହିପରି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଦୁଇଟିରୁ ଗୋଟିଏ ବାଧ୍ୟତାମୂଳକ ହୋଇଛି। ତୁରନ୍ତ ରିପୋର୍ଟ ଯୋଗାଡ଼ କରିବା ସମ୍ଭବ ହେଉ ନ ଥିବା ବେଳେ କୋଭିଡ୍ ପଜିଟିଭର ୯୦ ଦିନ ଭିତରେ ଟିକା ନେଇ ନ ପାରିବାର ନିୟମ ରହିଛି। ତେଣୁ ଲୋକେ ଜାଲ୍ ରିପୋର୍ଟ ତିଆରି କରିବାରେ ଲାଗି ପଡ଼ିଛନ୍ତି। ଗତ ୧୩ ତାରିଖରେ ପୁରୀ ପୁଲିସ ହାତରେ ଜାଲ୍ ଆରଟିପିସିଆର୍ ରିପୋର୍ଟ ପ୍ରସ୍ତୁତ କରିବା ଅଭିଯୋଗରେ ୧୨ ଜଣ ଗିରଫ ହୋଇଥିଲେ। ଶ୍ରଦ୍ଧାଳୁ ପୁରୀ ମନ୍ଦିରକୁ ପ୍ରବେଶ କରିବା ସମୟରେ ରିପୋର୍ଟ ଜାଲ୍ ବୋଲି ଜଣାପଡ଼ିଥିଲା। ୩ଟି ମାମଲା ଆଧାରରେ ପୁଲିସ ରାକେଟ୍ର ମାଷ୍ଟରମାଇଣ୍ଡ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ରହିଥିଲେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇଣ୍ଟରନେଟ୍ କଳାବଜାର ସାଇଟ୍ କୁହା ଯାଉଥିବା ଡାର୍କଓ୍ୱେବ୍ରେ ମଧ୍ୟ ଟିକା ସାର୍ଟିଫିକେଟ୍ ଓ ରିପୋର୍ଟ ଉପଲବ୍ଧ ହେଉଛି। ଏହି ଡାର୍କଓ୍ୱେବ୍ରେ ସାଇବର ଅପରାଧୀମାନେ କିଣାବିକା କରୁଛନ୍ତି। ସବୁଠୁ ବଡ଼ କଥା ହେଲା ଏଥିରେ ଓଡ଼ିଆ ରିପୋର୍ଟ ମଧ୍ୟ ଦେଖିବାକୁ ମିଳିଛି। ଏହି ରାକେଟ୍ କଟକ, ଭୁବନେଶ୍ବର ଓ ପୁରୀରେ ସକ୍ରିୟ ରହିଛନ୍ତି। ଜାଲ୍ ରିପୋର୍ଟ ଓ ସାର୍ଟିଫିକେଟ୍ ଉଭୟ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ରେ ମିଳିପାରୁଛି। ଦଲାଲମାନଙ୍କର ଏକ ହ୍ବାଟସଆପ୍ ଗ୍ରୁପ୍ ରହିଛି। ଯେଉଁମାନଙ୍କର ଆବଶ୍ୟକ ସେମାନେ ଖୋଜାଖୋଜି କରୁଥିବା ସମୟରେ ଦଲାଲଙ୍କ ଠିକଣା ପାଇ ଯାଉଛନ୍ତି ବୋଲି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି। ସେମାନଙ୍କ ଜରିଆରେ ସାର୍ଟିଫିକେଟ୍ ହାସଲ କରୁଛନ୍ତି। ବିଶେଷ କରି ବିଦେଶ ଯାଉଥିବା ଲୋକ ଏହା ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ମାତ୍ର ୨/୪ ହଜାର ଟଙ୍କାରେ ସେମାନଙ୍କୁ ସହଜରେ ମିଳିଯାଉଛି। ଏହି ରାକେଟ୍ ଧରାପଡ଼ିବା ଅପେକ୍ଷା ଲୋକ ସଚେତନ ରହିବା ଜରୁରି। ଜାଲ୍ ରିପୋର୍ଟ ତିଆରି କରି ନିଜକୁ ଓ ଅନ୍ୟକୁ ଅସୁବିଧାରେ ପକାଉଛନ୍ତି। ଲୋକଙ୍କର ଆବଶ୍ୟକତା ରହୁଥିବାରୁ ଦଲାଲ୍ ସକ୍ରିୟ ହେଉଛନ୍ତି।