ଭୁବନେଶ୍ୱର: ଟେଳାଏ ମାଟି ତାଙ୍କ ପାପୁଲି ସ୍ପର୍ଶ କଲେ ପାଲଟିଯାଏ କଣ୍ଢେଇଟିଏ, ନଚେତ୍ ଘରକରଣା ଜିନିଷଟିଏ। ମାଟି ସହିତ ଯେମିତି ତାଙ୍କର ଯୁଗଯୁଗର ସମ୍ପର୍କ। ଯେବେ ଅନ୍ୟ କୁମ୍ଭାର ପରିବାରର ସଦସ୍ୟମାନେ କହୁଥିଲେ ‘ହାଣ୍ଡି ଗଢ଼ିଲେ ଭାତ ଖାଇବୁ’ ସେତେବେଳେ ସେ କହିଲେ, ‘ମାଟିରେ ଚମତ୍କାର କରି ନାଁ କରିବି’। ବାସ୍ ତାଙ୍କର ଏହି ଝୁଙ୍କ୍ ଓ କଳା ଚାତୁରି ତାଙ୍କୁ କରିଦେଲା ଅନନ୍ୟ। ମୁମ୍ବାଇର ଓବ୍ରେଇ ହୋଟେଲ୍ ହେଉ କି ମେ ଫେୟାର, ରାଜଭବନ ହେଉ କି ନବୀନ ନିବାସ। ଶୋଭା ପାଉଛି ତାଙ୍କ କଳାର ନିଦର୍ଶନ। ମାଟିରେ ଅନେକ ଚମତ୍କାର ସୃଷ୍ଟି କରିଥିବା ଏହି ବିସ୍ମୟ ମଣିଷଙ୍କ ମନ୍ଦର ରଣା। ବୟସ ୮୧। କିନ୍ତୁ ତାଙ୍କ ଅଥୟ ହାତ ଓ ଉତ୍ସୁକ କାରିଗରୀ ମନ ଏବେ ବି ମାଟିରେ ଜୀବନ ଭରିଦିଏ। କଳାରେ ଏଭଳି ଉତ୍କର୍ଷ ପାଇଁ ସେ ୧୦୭ଟି ସରକାରୀ ଓ ବେସରକାରୀ ସଂଗଠନରୁ ସମ୍ମାନର ମୁକୁଟ ପିନ୍ଧିଛନ୍ତି। କୌଳିକ ବୃତ୍ତିରେ ଆଉ ଚଳି ହେବ ନାହିଁ ବୋଲି କହି ଯେଉଁମାନେ ମୁହଁ ଫେରେଇ ନେଉଛନ୍ତି ସେଠି ପରିଣତ ବୟସରେ ମନ୍ଦର ରଣା ଗଢ଼ିଛନ୍ତି ମାଟି ଶିଳ୍ପର କାରଖାନା। ୧୧ ଜଣଙ୍କୁ କର୍ମ ନିଯୁକ୍ତି ଦେଇ ମାସକୁ ଲକ୍ଷାଧିକ ଟଙ୍କାର ଆୟ କରି ଉଦାହରଣ ସୃୃଷ୍ଟି କରିଛନ୍ତି।
ମାତ୍ର ୧୬ ବର୍ଷ ବୟସରୁ ବାପା ଚିନ୍ତାମଣି ରଣାଙ୍କ ନିକଟରେ କୁମ୍ଭାର ଶାଳରେ ବସିବସି ମାଟି ଭିତରେ ନିଜର ସ୍ୱପ୍ନକୁ ସାକାର ରୂପ ଦେବା ଆରମ୍ଭ କରିଥିଲେ। ମାତ୍ର ହାଣ୍ଡି ଓ ମାଠିଆରେ ହିଁ ସବୁ ସୀମିତ ଥିଲା। ତେବେ ମଳିପଡ଼ାର ମହେନ୍ଦ୍ର ପଟ୍ଟନାୟକଙ୍କ ପରାମର୍ଶରେ ୧୯୮୦ ମସିହାରେ ସେ ୧୧ ଜଣଙ୍କୁ ନେଇ ‘ନୂଆଗାଁ ଉତ୍କଳମଣି କୁମ୍ଭକାର ଶିଳ୍ପ ସମବାୟ ସମିତି’ ଗଢ଼ିଲେ। ପରେ ଲଳିତ କଳା ଏକାଡେମି ପକ୍ଷରୁ ଖଣ୍ଡଗିରିରେ ଆୟୋଜିତ ଏକ ଟେରାକୋଟୋ କର୍ମଶାଳାରେ ଏକାଡେମିର ସଚିବ ଜଗଦୀଶ କାନୁନ୍ଗୋଙ୍କ ପରାମର୍ଶରେ ଯୋଗ ଦେଇ ଟେରାକୋଟା ପ୍ରସ୍ତୁତିର ବର୍ଣ୍ଣବୋଧକୁ ମୁଖସ୍ଥ କରିନେଲେ। କଳା ପ୍ରତି ପ୍ରବଳ ଅନୁରାଗ ପାଇଁ ସେ ଶିଖିଥିବା ଟେରାକୋଟା କାମ ତାଙ୍କ ଶାଳଘରେ ନବଜନ୍ମ ପାଇଲା। ହାତୀ, ଘୋଡ଼ା, ବୁଦ୍ଧ, ଗଣେଶ, ନର୍ତକୀ, ସଖୀ, ଗଣ୍ଡା, ହରିଣ, ଡଲ୍ଫିନ୍ ଓ କୁମ୍ଭୀର ତିଆରି କରି ଅଧିକ ଆୟର ବାଟ ପାଇଗଲେ। ମୁମ୍ବାଇର ଓବରେଇ ହୋଟେଲ୍, ମେ ଫେୟାର, ସ୍ୱସ୍ତି ପ୍ରିମିୟମ ସମେତ ବହୁ ବଡ଼ବଡ଼ ହୋଟେଲ୍ ଏବଂ ଭବାନୀ ମଲ୍ ସମେତ ବହୁ ବଡ଼ବଡ଼ ମାର୍କେଟ୍ରେ ତାଙ୍କ ହାତ ତିଆରି ମାଟିର କାରିଗରୀ ଶୋଭା ପାଇଲା। ତାଙ୍କ ହାତଗଢ଼ା ମାଟିର ୭ଫୁଟିଆ ହାତୀ ନାଲ୍କୋକୁ ୮୦ ହଜାର ଟଙ୍କାରେ ବିକ୍ରି କରିଥିବା ବେଳେ ରାଜ୍ୟପାଳ ଏସ୍ସି ଜମିର୍ଙ୍କୁ ୨ଟି ବଡ଼ ମାଟି ଘୋଡ଼ା ପ୍ରସ୍ତୁତ କରି ଦେଇଥିଲେ। ଏହି ମାଟି ଘୋଡ଼ା ଦେଖି ରାଜ୍ୟପାଳ ଓ ତାଙ୍କର ଧର୍ମପତ୍ନୀ ଚମତ୍କତ ହୋଇ ମନ୍ଦରଙ୍କୁ ୩୫ ହଜାର ଟଙ୍କା ଦେବା ସହ ଖୁବ୍ ପ୍ରଶଂସା କରିଥିଲେ। ଖାଲି ସେତିକି ନୁହେଁ, ଧଉଳିରେ ଚାଲିଥିବା ଏକ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଟିରେ କିଛି ଗଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବା ପରେ ମନ୍ଦର ନବୀନଙ୍କୁ ହାତ ଧରି ମାଟିରେ ହାଣ୍ଡି ଗଢ଼ିବା ଶିଖେଇ ଦେଇଥିଲେ।
ସବୁଠୁ ବଡ଼ କଥା ହେଉଛି ମାଟିରେ ଫ୍ରିଜ୍ ଓ ଫିଲ୍ଟର ତିଆରି କରି ସେ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲେ ୨୦୦୧ରୁ ୨୦୧୩ ଯାଏଁ ସେ ଭାରତର ସବୁ ସ୍ଥାନରେ ନିଜର କାରିଗରୀକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଲେ। ତାଙ୍କ ପୁଅ ବୋହୂ ବି ସୁଇଜରଲାଣ୍ଡ୍ ଯାଇ ଟେରାକୋଟାର କୌଶଳ ଶିଖିବାର ଗୌରବ ଅର୍ଜନ କଲେ। ନିକଟରେ ଦୀପାବଳି ଆସୁଥିବାରୁ ମନ୍ଦର ଏବେ ନୂଆ ନୂଆ ଡିଜାଇନର ଦୀପ ଗଢ଼ିବାରେ ନିମଗ୍ନ। ୧୦୮ ଦୀପ ହେଉ କି ଆଞ୍ଜୁଳା ଦୀପ, କମକୁଟ ଚିତ୍ରବିଚିତ୍ର ଦୀପ ହେଉ ଅବା ଡାଳି ଦୀପ। ଦୀପର କିସମ କିସମ ସମ୍ଭାର ସୃଷ୍ଟି କରୁଥିବା ମନ୍ଦର ରଣାଙ୍କ କହିବା ମୁତାବକ ସେ ଦୀପାବଳିରେ କେବଳ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଦୀପ ବିକ୍ରି କରନ୍ତି। ତାଙ୍କ ନିକଟରେ ଏମିତି ଦୀପ ରହିଛି, ଯାହାର ଦାମ ୬ ହଜାର ଟଙ୍କା। ମନ୍ଦରଙ୍କ କହିବା ମୁତାବକ ଯଦି କେହି କହେ ମୋ ଭଳି ମଣିଷଟେ ମାଟିରେ ଗଢ଼ିଦିଅ ତାହା ବି ମୁଁ କରିପାରିବି। ତେବେ ଦୁଃଖ ଏହି ଯେ ଏବେ ଏହି କୌଳିକ ବୃତ୍ତିରୁ କୁମ୍ଭାର ପରିବାର ମୁହଁ ଫେରେଇ ନେଲେଣି। ମୁଁ ଏବେ ବି ଅନେକଙ୍କୁ କୁହେ ଆସ ମୋ ପାଖରେ ଖାଇପିଇ ୧୦ ହଜାର ଟଙ୍କା ଦରମା ନେଇ କାମ କର। ହେଲେ କେହି ଆସିବାକୁ ପ୍ରସ୍ତୁତ ନୁହଁନ୍ତି। ଏହା ହିଁ ସବୁଠୁ ବଡ଼ ଦୁଃଖ ବୋଲି ସେ କହନ୍ତି।
୮୧ ବର୍ଷରେ ବି ଅବଶ ହୋଇନି ହାତ: ୧୦୭ ସଂଗଠନରୁ ପାଇଛନ୍ତି ପୁରସ୍କାର
/sambad/media/post_attachments/wp-content/uploads/2017/10/35.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)