ଅଭିନେତା ରବି ନାରାୟଣଙ୍କ ପରଲୋକ

ଭୁବନେଶ୍ବର: ଚଳଚ୍ଚିତ୍ର, ଧାରାବାହିକ ଓ ମଞ୍ଚ ଅଭିନେତା ରବି ନାରାୟଣ ନାୟକଙ୍କର ଗତ ୨୦ ତାରିଖ ଦିନ ହୃଦ୍‌ଘାତରେ ବାଣୀବିହାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଭଦ୍ରକର ତିହିଡ଼ିରେ ଜନ୍ମିତ ଶ୍ରୀ ନାୟକ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ସ୍ବୀକୃତିପ୍ରାପ୍ତ କଳାକାର ରହିବା ସହ ଶତାଧିକ ମଞ୍ଚ ନାଟକରେ ଅଭିନୟ କରିଥିଲେ। ‘ତଅପୋଇ’ ଓ ‘ସତ କେବେ ଲୁଚି ରହେନା’ ଭଳି ଚଳଚ୍ଚିତ୍ରରେ ଅଭିନୟ ସହ ଓଡ଼ିଆ ମେଗା ଧାରାବାହିକ ‘ଆଶାର ଆକାଶ’ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଜଣେ ଉପ ବିଭାଗୀୟ ଅଧିକାରୀ ଭାବେ ୨୦୦୫ ମସିହାରୁ ଅବସର ନେବା ପରେ ନାଟକ କ୍ଷେତ୍ରରେ ଚଳଚଞ୍ଚଳ ରହିଥିଲେ। କାହାଣୀର ନାମ ଜନପଥ, ଉଲ୍‌କା, ନୀଳ ଆକାଶ ଦୂର ବନାନୀ ଓ ସନ୍ଧ୍ୟା ତାରା ଭଳି ନାଟକରେ ଅଭିନୟ କରି ନାଟ୍ୟ ରାଇଜରେ ଛାପ ଛାଡ଼ିଥିଲେ। ବେତାରରେ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ସମେତ ଶତାଧିକ ଗୀତିନାଟ୍ୟରେ ଅଭିନୟ କରି ରେଡ଼ିଓ ଶ୍ରୋତାଙ୍କ ମଧ୍ୟରେ ପରିଚିତ ହୋଇପାରି ଥିଲେ। ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ଧୂଳିଆ ବାବା’ର ଶୀର୍ଷକ ଚରିତ୍ରରେ ବି ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ପୁତ୍ର ଓ ପୁତ୍ର ବଧୂ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର