ଅଭିନେତା ରାଇମୋହନଙ୍କ ମୃତ୍ୟୁ ମାମଲା: ୩୬ଘଣ୍ଟା ପରେ ବି କାରଣ ଅସ୍ପଷ୍ଟ

ପରିବାରରେ ସବୁକିଛି ଠିକ୍‌ ଥିଲା: ପୁଲିସ

ଭୁବନେଶ୍ବର : ବରିଷ୍ଠ ଓଲିଉଡ୍ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ଶବ ମିଳିବା ଘଟଣାକୁ ଇତିମଧ୍ୟରେ ୩୬ଘଣ୍ଟା ବିତିଲାଣି। କିନ୍ତୁ ତାଙ୍କର ମୃ୍ତ୍ୟୁ ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି। ମଞ୍ଚେଶ୍ବର ଥାନା ପୁଲିସ ଅଭିନେତା ରାଇମୋହନଙ୍କ ପରିବାର ଲୋକଙ୍କୁ ପ୍ରାୟ ୨ଘଣ୍ଟାରୁ ଅଧିକ କାଳ ପଚରାଉଚରା କରିଥିଲେ ବି ତାଙ୍କ ମୃତ୍ୟୁ ପଛର କାରଣ ପଦାକୁ ଆଣିପାରିନାହିଁ। ପରିବାର ଲୋକଙ୍କର ମୋବାଇଲ୍ ଫୋନ୍‌ର କଲ୍ ଡିଟେଲ୍ସ ଯାଞ୍ଚ କରିବା ସହିତ ହ୍ବାଟ୍ସଆପ୍‌ରେ କ’ଣ ଚାଟିଂ ହୋଇଥିଲା ତା’ର ଟିକିନିଖି ତଥ୍ୟ ବାହାର କରିଛି।

ପୁଲିସ କହିବାନୁସାରେ, ରାଇମୋହନ ଆତ୍ମହତ୍ୟା ପୂର୍ବ ଦିନ ଦୁଇ ଝିଅଙ୍କ ସହିତ କଥା ହୋଇଥିଲେ। ବଡ଼ଝିଅକୁ ମନପସନ୍ଦର ଖାଇବା ତିଆରି କରିବାକୁ କହିଥିଲେ। ପରେ ସାଙ୍ଗ ହୋଇ ସମସ୍ତେ ରାତିରେ ଖାଇଥିଲେ। ପରଦିନ ସକାଳୁ ଅର୍ଥାତ୍ ଶୁକ୍ରବାର ସମସ୍ତେ ଡ୍ରେସ୍ କିଣିବାକୁ ମାର୍କେଟ୍‌କୁ ଯିବାର ଥିଲା। ୭ବର୍ଷ ହେଲା ରାଇମୋହନଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର୍‌ର ଆସନ୍ତା ଜୁଲାଇ ୮ତାରିଖରେ ବାହାଘର ଥିଲା। ଡ୍ରାଇଭର୍‌ର ଘରର ପୁଅଠାରୁ ବି ଅଧିକ ଥିଲା। ତେଣୁ ଡ୍ରାଇଭର୍‌ର ବାହାଘର ପାଇଁ ରାଇମୋହନଙ୍କ ପରିବାର ଉତ୍ସାହିତ ଥିଲେ। ପରେ ସକାଳୁ ଉଠି ସମସ୍ତେ ଜଳଖିଆ କରିଥିଲେ। ରାଇମୋହନ ସବୁଦିନ ସକାଳୁ ଚୁଡ଼ା ଓ କଦଳୀ ଖାଉଥିବା ବେଳେ ସେଦିନ ଘରେ ଚୁଡ଼ା ସରିଯାଇଥିଲା। ସେଥିପାଇଁ ସେ କିଛି ଖାଇନଥିଲେ। ପତ୍ନୀ ବ୍ୟସ୍ତ ହେବାରୁ ସେ ବାହାରକୁ ଯାଇ ଖାଇଦେବେ ବୋଲି କହିଥିଲେ। ପରେ ବଡ଼ଝିଅ, ପତ୍ନୀ ଓ ଡ୍ରାଇଭର୍ ମିଶି କାର୍‌ରେ ମାର୍କେଟିଂ କରିବାକୁ ଯାଇଥିଲେ। ୧୨ଟା ସୁଦ୍ଧା ଘରକୁ ଫେରି ଆସିବେ ବୋଲି କହିଥିଲେ। ଏହା ପରେ ରାଇମୋହନ ସେମାନଙ୍କୁ ପଠାଇ ଘର କବାଟ ଭିତରୁ ଦେଇଥିଲେ। ପରେ ସେମାନେ ଆସିବା ବେଳକୁ ରାଇମୋହନଙ୍କ ଝୁଲନ୍ତା ଶବ ଦେଖିଥିଲେ।

କବାଟ ଖୋଲିବାକୁ ନେଇ ଉପୁଜିଲା ସନ୍ଦେହ
ଅପରପକ୍ଷେ ମଞ୍ଚେଶ୍ବର ଥାନା ପୁଲିସ ରାଇମୋହନଙ୍କ ଘର କବାଟ କିଏ ଖୋଲିଲା, ସେନେଇ ତଦନ୍ତ ଆରମ୍ଭ କରିଛି। କାରଣ ପରିବାର ଲୋକଙ୍କ କହିବା ଅନୁସାରେ ରାଇମୋହନ ଘର ଲୋକଙ୍କୁ ପଠାଇବା ପରେ ଭିତରୁ କବାଟ ଦେଇଥିଲେ। ପରେ ଘର ଲୋକ ଫେରିବା ବେଳକୁ କବାଟ ଆଉଜା ହୋଇଥିଲା। ତେଣୁ ପ୍ରଶ୍ନ ଉଠୁଛି, ପରିବାର ଲୋକ ଯିବା ପରେ ରାଇମୋହନଙ୍କ ଘରକୁ କେହି ଆସିଥିଲା। ନା ରାଇମୋହନ ଆତ୍ମହତ୍ୟା କରିବେ ବୋଲି ସ୍ଥିର କରିବା ପରେ କବାଟ ଆଉଜାଇ ଆତ୍ମହତ୍ୟା କରିଥିଲେ। ଆଜି ପରିବାର ଲୋକଙ୍କୁ ଜେରା ବେଳେ ପୁଲିସ ସୂଚନା ପାଇଛି ଯେ ରାଇମୋହନ କୁକୁରକୁ ବିସ୍କୁଟ୍ ଦେବା ପାଇଁ କବାଟ ଖୋଲି ଯାଇଥିଲେ। ପରେ କବାଟ ଆଉଜାଇ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକଙ୍କ ଏଭଳି କଥାର କୌଣସି ଠୋସ୍ ପ୍ରମାଣ ପାଇନଥିବାରୁ ପୁଲିସ ଏହି ଦିଗରେ ଏବେ ତଦନ୍ତ ଆଗକୁ ବଢ଼ାଇଛି।

ସମ୍ବନ୍ଧିତ ଖବର