ମୋ ବାପା ସ୍ୱାଧୀନତା ସଂଗ୍ରାମୀ ବଳରାମ ପତି ବେଶ୍ ମାଛ ପ୍ରିୟ। ତେଣୁ ପିଲାବେଳୁ ମୁଁ ବି ମାଛ ଖାଇବା ଓ ଧରିବାକୁ ବେଶ୍ ଭଲ ପାଉଥିଲି। ସେତେବେଳେ ପୋଖରୀରେ ବନିଶୀ ପକାଇବା ମୋର ନିତିଦିନିଆ ଅଭ୍ୟାସ ଥିଲା। ଆମ ଗାଁ ପ୍ରୀତିପୁର ବିବି ହାଇସ୍କୁଲରେ ମୁଁ ପଢୁଥିଲି। ପାଖ ଜୁଣଭଦ୍ରା ନଦୀରେ ପ୍ରତିଦିନ ବନିଶୀ ପୋତି ଦେଇ ମୁଁ ସ୍କୁଲ ଯାଉଥିଲି। କ୍ଲାସରେ ବସିଥିବା ବେଳେ ବନିଶୀରେ ମାଛ ପଡ଼ିଥିବ କି ନାହିଁ, ତାହା ହିଁ ଭାବୁଥିଲି। ଗୋଟିଏ ପିରିୟଡ୍ ସରି ଆଉ ଜଣେ ସାର୍ ଆସିବା ସମୟ ଭିତରେ ମୁଁ ସ୍କୁଲରୁ ଚାଲି ଆସି ବନିଶୀ ଦେଖି ପଳାଉଥିଲି।
ଦିନେ ସ୍କୁଲରୁ ଫେରି ମୁଁ ଦେଖିଲି ବନିଶୀରେ ଗୋଟିଏ ବଡ଼ ଶେଉଳ ମାଛ ପଡ଼ିଛି। ତାକୁ ଦେଖି ମୁଁ ବେଶ୍ ଖୁସି ହୋଇଗଲି। ତା’କୁ ମାଟି ଉପରକୁ ଆଣିଲି। ସେତେବେଳେ ତା’ ଗାଲିରେ କଣ୍ଟା ଫୁଟି ରକ୍ତ ବୋହୁଥାଏ। ସେ ମତେ କରୁଣ ଆଖିରେ ଚାହିଁଥାଏ। ତାକୁ ଦେଖି ପୂର୍ବ ଦିନ ସ୍କୁଲରେ ସାର୍ ପଢ଼ାଇଥିବା ଗପରେ ଗୌତମବୁଦ୍ଧ କିପରି ଏକ ଶର ବିଦ୍ଧ ପକ୍ଷୀକୁ ଉଦ୍ଧାର କରି ଛାଡ଼ି ଦେଇଥିଲେ, ସେଇ କଥା ମନେପଡ଼ିଗଲା। ଜୀବେଦୟା ଭାବ ମୋ ମନରେ ଖେଳିଗଲା। ମୁଁ ତା’ ଗାଲିରୁ କଣ୍ଟା କାଢ଼ି ତାକୁ ଏକ ବଡ଼ ପୋଖରୀରେ ଛାଡ଼ିଦେଲି। ଏଥିସହ ମାଛ ଖାଇବା ବି ବନ୍ଦ କରିଦେଲି। ମାଛ ଖାଇବାକୁ ଭଲ ପାଉଥିବାରୁ ହଠାତ କାହିଁକି ମାଛ ଛାଡ଼ି ଦେଲି ଘରେ ସମସ୍ତେ ବ୍ୟସ୍ତ ହେଲେ। ଥରେ ମାଉସୀଙ୍କ ଘରକୁ ଯାଇଥିବା ବେଳେ ସେଠାରେ ମତେ ଭାତ ଭିତରେ ମାଛ ପୂରେଇ ଦେଇଦେଲେ। ମୁଁ ଅଜାଣତରେ ତାକୁ ଖାଇଦେଲି। ତା’ ପରଠୁ ମୁଁ ପୁଣି ପୂର୍ବ ଭଳି ମାଛ ଖାଇବା ଆରମ୍ଭ କରିଦେଲି। ପିଲାଦିନର ଏମିତି ଅନେକ ସ୍ମୃତି ଅଛି। ଯାହା ମନେ ପଡ଼ିଲେ ଆଖିକୁ ଲୁହ ଚାଲିଆସେ ତ’ କେବେ ଓଠକୁ ହସ…..
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର