କରୋନା ଛାଟରେ ଛଟପଟ: ଜୀବିକା ଗଲା, ଏବେ କର୍କଟ ସହ ଯୁଝୁଛନ୍ତି ଅଭିନେତ୍ରୀ ପ୍ରତିଭା

ଭୁବନେଶ୍ବର : ପରିବାରର ଅର୍ଥାଭାବକୁ ଦୂର କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ନିଜର କଳା ପ୍ରତିଭାକୁ ପାଥେୟ କରି କିଛି ରୋଜଗାର କରିବେ ଓ ପରିବାରର ଅନଟନକୁ ଦୂର କରିବେ ବୋଲି ଧାଇଁ ଆସିଥିଲେ ରାଜଧାନୀ। ଦୂରଦର୍ଶନ ଓ ଟିଭି ପରଦାରେ ଅଭିନୟ କରି ସଫଳ ମଧ୍ୟ ହୋଇଥିଲେ। ମାତ୍ର ହଠାତ୍ ମହାମାରୀ କରୋନା ସବୁ କିଛି ବିଗାଡ଼ି ଦେଲା। କାମ ନ ମିଳିବାରୁ ରୋଜଗାର ଠପ୍‌ ହୋଇଗଲା। ତେବେ ଏତିକିରେ ତାଙ୍କ କଷଣ ସୀମିତ ରହିଲା ନାହିଁ। ହଠାତ୍ ସେ ମୁଖ କର୍କଟ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଲା। ଏବେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ହୋଇପାରୁନି। ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ହୋଇପାରୁ ନ ଥିବାରୁ ରୋଗର ପ୍ରକୋପ ବଢ଼ିବଢ଼ି ଚାଲିଛି। ଫଳରେ ଜୀବନମରଣର ଦୋ’ଛକିରେ ଅସହାୟ ହୋଇ ଛିଡ଼ା ହୋଇଛନ୍ତି ଅଭିନେତ୍ରୀ ପ୍ରତିଭା ରାଉତ।

ପ୍ରତିଭାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ସ୍ବାମୀ ଜଣେ କ୍ଷୁଦ୍ର ଚାଷୀ। ପୁଅ ଶିକ୍ଷିତ ହୋଇ ବି ବେକାର। ଚାକିରି ନ ପାଇ ଗାଁରେ ବାପାଙ୍କୁ ଚାଷ କାମରେ ସହଯୋଗ କରେ। ମାତ୍ର ଚାଷରୁ ହେଉଥିବା ଆୟ ପରିବାର ଚଳାଇବା ପାଇଁ ଯଥେଷ୍ଟ ହୁଏନି। ତେଣୁ କଳାରେ ରୁଚିଥିବା ପ୍ରତିଭା ଅଭିନୟ କରି ଦି’ ପଇସା ରୋଜଗାର କରିବାକୁ ଧାଇଁ ଆସିଥିଲେ ଭୁବନେଶ୍ବର। ଅନେକ ସଂଘର୍ଷ ପରେ ତାଙ୍କୁ ସୁଯୋଗ ମିଳିଥିଲା। ସୌଭାଗ୍ୟକୁ ଛୋଟ ପରଦାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ଦୂରଦର୍ଶନ ଏବଂ ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ଛୋଟମୋଟ ଅଭିନୟ କରି ସେ କିଛି ଅର୍ଥ ରୋଜଗାର କରିବାରେ ସକ୍ଷମ ହୋଇଥିଲେ। ଫଳରେ ରାଜଧାନୀରେ ନିଜେ ଚଳିବା ସହିତ ପରିବାରର ଆର୍ଥିକ ବୋଝକୁ କିଛି ପରିମାଣରେ ହାଲୁକା କରି ପାରିଥିଲେ ପ୍ରତିଭା। ହେଲେ କରୋନା ମହାମାରୀ ପ୍ରଥମେ ତାଙ୍କ ରୋଜଗାର ଛଡ଼ାଇନେଲା। ପରଦାରେ କାମ ମିଳିଲା ନାହିଁ। ହାତରେ ସଂଚିଥିବା ସ୍ବଳ୍ପ ଅର୍ଥ ବି ସରିଗଲା। ପରିସ୍ଥିତି ଏମିତି ହେଲା ଯେ ଶେଷରେ ସେ ନିଜେ ଚଳିବା ପାଇଁ ପର ଘରେ ରହି କାମ କରିବା ପର୍ଯ୍ୟନ୍ତ କଥା ଗଲା। ଏତିକି‌ରେ ତାଙ୍କ ଦୁଃଖର ଅନ୍ତ ହୋଇନଥିଲା। ସ୍ବାସ୍ଥ୍ୟ ପରୀକ୍ଷାରୁ ସେ ମୁଖ କର୍କଟ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଲା।

ପ୍ରଥମେ ସେ କଟକ ଅଚାର୍ଯ୍ୟ ହରିହର କ୍ୟାନ୍‌ସର ଗବେଷଣା କେନ୍ଦ୍ରକୁ ଯାଇଥିଲେ। ମାତ୍ର ସେଠାରେ ଶଯ୍ୟା ଅଭାବ ଦର୍ଶାଇ ଅନ୍ୟତ୍ର ଯିବାକୁ ପରାମର୍ଶ ଦିଆଯାଇଥିଲା। ଘରୋଇ ହସ୍ପିଟାଲ ଯିବା ଲାଗି ତାଙ୍କ ପାଖରେ ସମ୍ବଳ ନାହିଁ। ତେଣୁ ଚିକିତ୍ସା ବିଳମ୍ବ ହେବାରୁ ରୋଗ ବଢ଼ିବାକୁ ଲାଗିଲା। ଘା’ ବଢ଼ିବଢ଼ି ଚାଲିଥିବା ବେଳେ ଯନ୍ତ୍ରଣା ଅସମ୍ଭାଳ ହୋଇ ପଡ଼ିଲାଣି। ରୋଗ ଜ୍ବାଳାରେ କେତୋଟି ଦାନ୍ତ ଖସି ପଡ଼ିଲାଣି। ଏପରି ସମୟରେ ଅସ୍ତ୍ରୋପଚାର ନ ହେଲେ ପରିସ୍ଥିତି ସଂଗିନ୍ ହେବା ଆଶଙ୍କା ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ମାତ୍ର ଅର୍ଥାଭାବ ଚିକିତ୍ସାରେ ବାଧକ ସାଜିଛି। ସରକାର, କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା କେହି ସହୃଦୟ ବ୍ୟକ୍ତି ଏଦିଗରେ ତାଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଆକୁଳ ନିବେଦନ କରିଛନ୍ତି। ସାହାଯ୍ୟ କରିବାକୁ ଚାହୁଥିବା ବ୍ୟକ୍ତି ବା ଅନୁଷ୍ଠାନ ମୋବାଇଲ୍‌ ନମ୍ବର ୯୯୩୮୧୯୪୯୧୦ ରେ ତାଙ୍କ ସହିତ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର