କଟକ: କୁଖ୍ୟାତ ଠକ ବିନୟ କୁମାର ଦାସ ନିଯୁକ୍ତି ଆଳରେ ରାଜ୍ୟରେ ବେକାର ଯୁବକ ଯୁବତୀଙ୍କୁ କେବଳ ଲୁଟୁ ନଥିଲା, ଜ୍ୟୋତିଷ ଶାସ୍ତ୍ରରେ ବିଶାରଦ କହି ଲୋକଙ୍କ ଭବିଷ୍ୟବାଣୀ ବି କରୁଥିଲା। ଏହା ଜରିଆରେ ସେ ବହୁ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ମାରିଛି। ମାଟ୍ରିମୋନି ୱେବସାଇଟ୍‌ ମାଧ୍ୟମରେ ବିବାହ କରାଇ ଦେବାକୁ କହି ଠକିଛି। ରାଜ୍ୟରେ ଆହୁରି ତିନୋଟି ଶାଖା କାର୍ଯ୍ୟାଳୟ ପୁଲିସ ଠାବ କରିଥିବା ବେଳେ ବିନୟର ଲମ୍ବା ନେଟ୍‌ଵାର୍କ ରାଜ୍ୟ ସାରା ବ୍ୟାପିଥିବା କୁହାଯାଉଛି।

Advertisment

ସୂଚନା ଅନୁଯାୟୀ, କୁଖ୍ୟାତ ଠକ ବିନୟ କୁମାର ଦାସ ଆଡଭାନ୍ସ ଏ ଟୁ ଜେଡ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ ନାଁରେ ଏକ ୱେବସାଇଟ୍ www. advanceda2z.com ଖୋଲି ଲୋକଙ୍କୁ ଠକୁଥିଲା। ସେହିଭଳି ଶିକ୍ଷକତା, ବ୍ୟାଙ୍କିଙ୍ଗ, ଗଣମାଧ୍ୟମ, ଆଇଟି ଇଞ୍ଜିନିୟର, ସ୍ବାସ୍ଥ୍ୟ ସେବା, ମାର୍କେଟିଂ, ଆଇନ ବିଭାଗ, ବିପିଓ ଇତ୍ୟାଦି କ୍ଷେତ୍ରରେ ନିଯୁକ୍ତି ଦେବାକୁ www. advanceda2z.com/jobs ନାଁରେ ଓ ବରକନ୍ୟା ଯୋଗାଡ଼ ପାଇଁ ମାଟ୍ରିମୋନି ୱେବସାଇଟ୍ www.a2zwedlock.com ଖୋଲିଥିଲା। ସେହିଭଳି ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ଥିବା କହି ଲୋକଙ୍କ ଭବିଷ୍ୟବାଣୀ କରୁଥିଲା। ଏଥିପାଇଁ ବି ଆଉ ଏକ ୱେବସାଇଟ୍ www. a2zastro.com ଖୋଲିଥିଲା। ହୋମ୍ ସର୍ଭିସ୍ ନାଁରେ ବି ସେ www. a2zquickservice.com ମାଧ୍ୟମରେ ଉଇ ନିୟନ୍ତ୍ରଣ, ରଙ୍ଗ କାମ, କାଠ କାମ, ଘରୋଇ ସୁରକ୍ଷା, ପାଣି ପାଇପ୍ ମରାମତି, ଗାଡ଼ି ମରାମତି ଭଳି ସେବା ବି ଯୋଗାଇ ଦେଉଥିଲା। ଯିଏ ଏହି ୱେବସାଇଟ୍‌ ଖୋଲୁଥିଲେ, ସେଥିରେ ନିଜର ନାଁ ଓ ଯୋଗାଯୋଗ ନମ୍ବର ଉଲ୍ଲେଖ କରିବାକୁ କୁହାଯାଉଥିଲା। ଯୋଗାଯୋଗ ନମ୍ବର ମିଳିବା ପରେ ବିନୟର ଠକ ଟିମ୍ ସେମାନଙ୍କୁ ଟ୍ରାପ୍ କରିବା ଆରମ୍ଭ କରିଦେଉଥିଲା। ଅରୁଣୋଦୟ ମାର୍କେଟ୍ ହାଇକୋର୍ଟ କଲୋନିରେ ଥିବା ଅଫିସକୁ ଡାକି ପ୍ରଥମେ ପଞ୍ଜୀକରଣ ଆଳରେ ଟଙ୍କା ଜମା କରିବାକୁ କହି ପର୍ଯ୍ୟାୟକ୍ରମେ ଟଙ୍କା ଲୁଟୁଥିଲା। ଠକେଇ କାରବାର ଚାଲିଥିବା ନେଇ କାହାର ଯେଭଳି ସନ୍ଦେହ ନହୁଏ, ସେଥିପାଇଁ ବିନୟ ଦେୟମୁକ୍ତ ଯୋଗାଯୋଗ ନମ୍ବର ୧୮୦୦-୧୨୧-୭୧୯୯ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଜାରି କରିଥିଲା।

ବଲାଙ୍ଗୀର, କୋରାପୁଟ, ପାରାଦୀପରେ ଅଫିସ୍

କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟରୁ ତଥ୍ୟ ଲୋଡ଼ାଗଲା

ଅନଲାଇନ୍‌ରେ ମିଳିଲାଣି ୫ ୱେବସାଇଟ୍, ଆଉ ୫ ମାମଲା ରୁଜୁ

୨୦୧୧ରୁ ଏହି ଠକ ସଂସ୍ଥା ଖୋଲିଥିବା ବିନୟ ପୁଲିସକୁ କହୁଥିବା ବେଳେ ଏ ନେଇ କୌଣସି ପଞ୍ଜୀକରଣ ବାବଦ କାଗଜପତ୍ର ପୁଲିସକୁ ଦେଖାଇ ପାରିନାହିଁ। ଏ ସମ୍ପର୍କରେ ବାଦାମବାଡ଼ି ଥାନା ପୁଲିସ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟକୁ ତଥ୍ୟ ମାଗିଛି। ବିନୟ ଏହି ସଂସ୍ଥା ଖୋଲିବା ପୂର୍ବରୁ କୌଣସି ପଞ୍ଜୀକରଣ କରିଛି କି ନାହିଁ, ଯଦି କରିଛି କି ପ୍ରକାର ବ୍ୟବସାୟ କରିବାକୁ ଅନୁମତି ଆଣିଥିଲା, ସେନେଇ ତଥ୍ୟ ଦେବାକୁ ମନ୍ତ୍ରାଳୟର ସହଯୋଗ ଲୋଡ଼ିଛି। ବି.ଏ ପାସ୍ କରିଥିବା ଜଗତସିଂହପୁର ବିରିଡ଼ି ଅଞ୍ଚଳର ବିନୟ ହାଇକୋର୍ଟ କଲୋନିରେ ମୁଖ୍ୟ ଅଫିସ ଖୋଲିଥିବା ବେଳେ ଜଗତସିଂହପରୁ ଜିଲ୍ଲା ପାରାଦୀପ ତାରିଣୀ ଗଡ଼ା, କୋରାପୁଟ, ବଲାଙ୍ଗୀରରେ ଶାଖା କାର୍ଯ୍ୟାଳୟ ଖୋଲିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଶାଖା କାର୍ଯ୍ୟାଳୟରେ ଚଢ଼ଉ ଯୋଜନା ହେଉଛି। ହାଇକୋର୍ଟ କଲୋନିରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ଏକ ୪୦ଜଣିଆ ମହିଳା ଟିମକୁ ନେଇ କଲ୍ ସେଣ୍ଟର ଖୋଲିଥିଲା। ଏହି କଲ୍ ସେଣ୍ଟର ମାଧ୍ୟମରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଯୋଗାଯୋଗ କରୁଥିଲା। ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ରିମାଣ୍ଡ ଆବେଦନ ହୋଇଥିବା ବେଳେ ଶୁକ୍ରବାର କୋର୍ଟ ଏ ନେଇ ଶୁଣାଣି କରିବାକୁ ଯାଉଛନ୍ତି। ରିମାଣ୍ଡରେ ଆସିଲେ ଠକେଇ କେଳେଙ୍କାରୀ ସମ୍ପର୍କରେ ଆହୁରି ତଥ୍ୟ ସାମନାକୁ ଆସିପାରିବ ବୋଲି କୁହାଯାଉଛି।