ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ସମୀକ୍ଷା, ୨୦୨୨ ସୁଦ୍ଧା ସରିବ କାମ

ଭୁବନେଶ୍ବର: ଭୁବନେଶ୍ବରର ଅନ୍ଧାରୁଆଠାରେ ମଡେଲ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ ହେବ। ଓଡ଼ିଶାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୫୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏଠାରେ ମେଡିକାଲ, ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ଲାଗି ପ୍ରଶିକ୍ଷଣ ଦିଆଯିବ। ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ବର୍ଗତ ବିଜୟ କୁମାର ସାହୁଙ୍କର ଏହା ଏକ ଅଭିଳଷିତ ପ୍ରକଳ୍ପ ଥିଲା। ଆଗାମୀ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ କରି ସଙ୍ଗଠନର ଉପଦେଷ୍ଟାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦର୍ଶନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।

ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଛି। ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଟାଟା ଷ୍ଟିଲ୍‌ ଦ୍ବାରା ଜାରି ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଲାଗି କୁହାଯାଇଛି। ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ବରଗଡ଼ ଜିଲ୍ଲାପାଳଙ୍କୁ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ସହ ଜମିର ମାଲିକାନା ନିର୍ବାହୀ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ବିଦ୍ୟାଳୟଗୁଡ଼ିକର ଉନ୍ନତୀକରଣ ପାଇଁ ଓମ୍‌ବାଡ୍‌ସ ପାଣ୍ଠିରେ ନିର୍ମିତ ହେଉଥିବା ହଷ୍ଟେଲ, ପାଚେରି କାନ୍ଥ, ସାଇକେଲ ଷ୍ଟାଣ୍ଡ, ଗମନାଗମନ ରାସ୍ତା ଆଦି ବାବଦରେ ମଧ୍ୟ ସମୀକ୍ଷା କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ସମୀକ୍ଷା ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ପୂର୍ତ୍ତବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଆରଡବ୍ଲୁଏସ୍‌ଏସ୍‌ର ମୁଖ୍ୟ ଯନ୍ତ୍ରୀ, ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ପ୍ରତିନିଧି, ଓବିସିସିର ପରିଚାଳନା ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ସଚିବ, ଅନ୍ୟ ସମସ୍ତ ନିର୍ବାହୀ ଯନ୍ତ୍ରୀ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର