ଆଦର୍ଶ ବିଦ୍ୟାଳୟ ଜମି ଅଧିଗ୍ରହଣକୁ ଜୋର୍‌ଦାର ବିରୋଧ, ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ବିଧାୟକ

ବାରଙ୍ଗ: ଭୁବନେଶ୍ବର ବ୍ଲକ ଆଦର୍ଶ ବିଦ୍ୟାଳୟ ପାଇଁ ଆଜି ଅନ୍ଧାରୁଆରେ ହେବାକୁ ଥିବା ଜମି ଅଧିଗ୍ରହଣକୁ ଗ୍ରାମବାସୀମାନେ ଜୋର୍‌ଦାର ବିରୋଧ କରିଛନ୍ତି। ଅନ୍ଧାରୁଆ ଗ୍ରାମବାସୀଙ୍କ ସହ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିରୋଧରେ ସାମିଲ୍ ହେବାରୁ ଶେଷରେ ପ୍ରଶାସନ ଜମି ଅଧିଗ୍ରହଣ କରିପାରିନାହିଁ। ଆଜି କଳବଳ ଧରି ତହସିଲ କର୍ତ୍ତୃପକ୍ଷ ପ୍ରସ୍ତାବିତ ଜମି ଦଖଲ ପାଇଁ ଅନ୍ଧାରୁଆରେ ପହଞ୍ଚିଥିଲେ ହେଁ ଧାରଣାରତ ଗ୍ରାମବାସୀଙ୍କୁ ବିଧାୟକ ଶ୍ରୀ ରାଉତରାୟଙ୍କ ସମର୍ଥନ ପ୍ରଶାସନକୁ ଫେରିବାକୁ ବାଧ୍ୟ କରିଛି। ଫଳରେ ଭୁବନେଶ୍ବର ବ୍ଲକ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ଆଦର୍ଶ ବିଦ୍ୟାଳୟ ପାଇଁ ଅନ୍ଧାରୁଆ ମୌଜାରେ ଭୁବନେଶ୍ବର ତହସିଲ କର୍ତ୍ତୃପକ୍ଷ ୨୫ ଏକର ପରିମିତ ଜମି ଚିହ୍ନଟ କରିଛନ୍ତି। ପୂର୍ବରୁ ଏହି ଜମି ଅଧିଗ୍ରହଣକୁ ଗ୍ରାମବାସୀମାନେ ବିରୋଧ କରିଆସୁଛନ୍ତି। ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସା‌ରେ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା କରାଯାଇନାହିଁ। ତେଣୁ ଜମି ଅଧିଗ୍ରହଣ କରାଇଦେବେ ନାହିଁ ବୋଲି ଗ୍ରାମବାସୀମାନେ ପୂର୍ବରୁ ପ୍ରଶାସନକୁ ଚେତାଇ ଦେଇଥିଲେ। ଆଜି ଭୁବନେଶ୍ବର ତହସିଲଦାର, ଶିକ୍ଷା ବିଭାଗ ଅଧିକାରୀ, ସହକାରୀ ଯନ୍ତ୍ରୀ ଓ ଚନ୍ଦକା ଥାନା ଅଧିକାରୀ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ଜେସିବି ମେସିନ ଧରି ଜମି ଦଖଲ କରିବାକୁ ଆସିଥିବାବେଳେ ଗ୍ରାମବାସୀମାନେ ବିରୋଧ କରିଥିଲେ। ଶତାଧିକ ଗ୍ରାମବାସୀ ଜେସିବି ମେସିନ ସମ୍ମୁଖରେ ଧାରଣା ଦେଇଥି‌ଲେ। ଖବର ପାଇ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ସେଠା‌ରେ ପହଞ୍ଚି ଗ୍ରାମବାସୀଙ୍କ ସହ ସ୍ବର ମିଳାଇଥିଲେ ଓ ବି‌କ୍ଷୋଭକାରୀଙ୍କ ସହ ଧାରଣାରେ ବସିଥିଲେ। ଫଳରେ ଅଡ଼ୁଆରେ ପଡ଼ି ଯାଇଥିଲା ପ୍ରଶାସନ। ଶେଷରେ ବାଧ୍ୟ ହୋଇ ପ୍ରଶାସନକୁ ଫେରିଯିବାକୁ ପଡିଥିଲା।

ବିଧାୟକ ଓ ଗ୍ରାମବାସୀଙ୍କ ଅଭିଯୋଗ ଯେ ଉକ୍ତ ଜମିରେ ବିଦ୍ୟାଳୟ ନିର୍ମାଣ ପ୍ରସ୍ତାବକୁ ବାତିଲ କରିବା ପାଇଁ ପୂର୍ବରୁ ଗ୍ରାମବାସୀମାନେ ଲିଖିତଭାବେ ଜଣାଇଛନ୍ତି। ଏହା ସତ୍ତ୍ବେ ବିନା ଗ୍ରାମସଭାରେ ପ୍ରଶାସନ ଜୋର୍‌ କରି ଜମି ଅଧିଗ୍ରହଣ କରିବାକୁ ଆସିଛି। ଏହା ପୂର୍ବରୁ ସରକାର ଅନ୍ଧାରୁଆରେ ବାୟୋଟେକ୍‌ନୋଲଜି ପାର୍କ, ଇଏସ୍ଆଇ ଡାକ୍ତରଖାନା ଲାଗି ଜମି ଅଧିଗ୍ରହଣ କରି ଖାଲି ପକାଇ ରଖିଛନ୍ତି। ତେଣୁ ଏହି ଜମି ଅଧିଗ୍ରହଣ କରିବା ପରେ ଏଠାରେ ସ୍କୁଲ ପ୍ରତିଷ୍ଠା ହେବ ବୋଲି କିଛ ନିଶ୍ଚିତତା ନାହିଁ। ଅନ୍ଧାରୁଆର ସବୁ ଗୋଚର ଜମିକୁ ପ୍ରକଳ୍ପ କରିବା ଆଳରେ ଅଧିଗ୍ରହଣ କରି ଖାଲି ପକାଇ ରଖାଯାଇଛି। ଅଥଚ ବଞ୍ଚି ରହିଥିବା ଏହି ଏକମାତ୍ର ଗୋଚର ଜମିକୁ ହାତେଇବାକୁ ପୁଣି ଯୋଜନା କରାଯାଇଛି। ଏହି ଜମିକୁ ବାଦ୍‌ଦେଲେ ଗ୍ରାମରେ ଆଉ ଗୋ ଚାରଣ ଜମି ନାହିଁ। ଉକ୍ତ ଜମିର ଗୋଟିଏ ଅଂଶରେ ପିଲାଙ୍କର ଖେଳ ପଡ଼ିଆ ରହିଛି। କିଛି ଅଂଶକୁ ଗ୍ରାମବାସୀମାନେ ଶ୍ମଶାନଭାବେ ବ୍ୟବହାର କରନ୍ତି। ଏହି ଗୋଚର ଜମି ବିନା ଗାଁର ଗୋରୁଗାଈମାନେ ସମସ୍ୟାରେ ପଡ଼ିବେ। ତେବେ କିଛି ଗ୍ରାମବାସୀଙ୍କ ବଡ଼ ଅଭିଯୋଗ ହେଉଛି ଗ୍ରାମସଭା କରାଯାଇନାହିଁ।

ସମ୍ବନ୍ଧିତ ଖବର