ଭୁବନେଶ୍ୱର: ଏଥର ଅଶ୍ଳୀଳ ନୁହେଁ ମଞ୍ଚରେ ପ୍ରଦର୍ଶିତ ହେବ ଭକ୍ତଭାବ ଓ ଭଗବାନଙ୍କ କଥାବସ୍ତୁ। ଶୁଭିବ ହରିନାମ ଓ ସଂକୀର୍ତ୍ତନର ମଧୁର ଧ୍ୱନି। ଦର୍ଶକେ ଦେଖିବେ ଓଡ଼ିଶାର ବୀର ପୁତ୍ରମାନଙ୍କ ବିଜୟର ଗାଥା। ଏହି ସ୍ୱାଦ ନେଇ ମଇଦାନକୁ ଓହ୍ଲାଇବ ଯାତ୍ରା ଟାଇଗର୍ ଦୈତାରୀ ପଣ୍ଡାଙ୍କ ସର୍ଜନଶୀଳ ଚିନ୍ତା ଓ ଚେତନାର ପ୍ରତିଫଳନ ‘ଆଦର୍ଶ ଅପେରା’। ଆସନ୍ତା ଦୁର୍ଗାପୂଜାରେ ଆରମ୍ଭ ହେବ ଏହି ଅପେରା ପାର୍ଟି। ଆଜି ୟୁନିଟ୍-୬ସ୍ଥିତ ବନଦୁର୍ଗା ମନ୍ଦିରରେ ଆୟୋଜିତ ଏକ ସମାରୋହରେ ଅପେରାର ଶୀର୍ଷକ ଗୀତ ଓ ନାଟକର ପୋଷ୍ଟର ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ‘ନାହଂ ତିଷ୍ଠାମି ବୈକୁଣ୍ଠେ’, ‘ଭକ୍ତାଧୀନ ଭଗବାନ’, ‘ପୂଜ୍ୟ ପୂଜା’, ‘ମିଶୁ ମୋର ଦେହ ଏ ଦେଶ ମାଟିରେ’ ଓ ‘ଜଗା ଆସୁଛି’ ଆଦି ୫ଟି ନାଟକର ପୋଷ୍ଟର ରିଲିଜ୍ ହୋଇଥିଲା। ଶ୍ରୀଚରଣ ମହାନ୍ତି, ସବିତା ସାହୁ, ଅଶୋକ କୁମାର ଓ ମୁନା ମହାନ୍ତି ଶୀର୍ଷକ ଗୀତରେ କଣ୍ଠଦାନ କରିଥିବା ବେଳେ ରତିକାନ୍ତ ସାମନ୍ତରାୟ ସଂଗୀତ ନିର୍ଦେଶନା ଦେଇଛନ୍ତି। ଖୁବ୍ ଶୀଘ୍ର ନାଟକର ଆଖଡ଼ା ମଧ୍ୟ ଆରମ୍ଭ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଯାତ୍ରା ନାଟକ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବା ଏହି ଅପେରା ପାର୍ଟିର ମୁଖ୍ୟ ଆଭିମୁଖ୍ୟ। ଏହା ସହ ଐତିହାସିକ, ପୌରାଣିକ ତଥା କାଳ୍ପନିକ ନାଟକଗୁଡ଼ିକ ମଞ୍ଚରୁ ହଜି ଯାଉଥିବା ବେଳେ ତା’ର ପୁନଃପ୍ରଚଳନ କରିବା, ସନ୍ଧ୍ୟା ସମୟରେ ନାଟକ ପରିବେଷଣ କରି ରାତି ଅନିଦ୍ରାରୁ କଳାକାର ଓ ଦର୍ଶକଙ୍କୁ ଅବ୍ୟାହତି ଦେବା, ଉନ୍ନତମାନର କାହାଣୀକୁ ନେଇ ଅଭିଜ୍ଞ କଳାକାରଙ୍କ ଦ୍ୱାରା ନାଟକ ପରିବେଷଣ କରିବା ଉଦ୍ଦେଶ୍ୟରେ ଏହି ଅପେରାର ସୃଷ୍ଟି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦ୍ୟୁମ୍ନ ଶତପଥୀ, ବିଭୂତି ଭୂଷଣ କର, ପବିତ୍ର ମୋହନ ସାମଲ, ପବିତ୍ର ମୋହନ ମହାରଥା, ଲିଙ୍ଗରାଜ ସାହୁ, ଜଗବନ୍ଧୁ ପଣ୍ଡା, ବିଜୟ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ଓଝା ଓ ନୀଳାଦ୍ରି ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ଦୁର୍ଗାପୂଜାରେ ମଇଦାନକୁ ଓହ୍ଲାଇବ ‘ଆଦର୍ଶ ଅପେରା’
ଉନ୍ମୋଚିତ ହେଲା ପୋଷ୍ଟର,ଗୀତ
/sambad/media/post_attachments/wp-content/uploads/2018/07/m1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)