ଭୁବନେଶ୍ବର : ପ୍ରଥମ ଥର ପାଇଁ ଭୁବନେଶ୍ବର ଏମ୍‌ସରେ କଟିଯାଇଥିବା ଅଙ୍ଗକୁ ଅସ୍ତ୍ରୋପଚାର କରି ଯୋଡ଼ି ଦିଆଯାଇପାରିଛି। ଜଣେ ବ୍ୟକ୍ତିଙ୍କ କଟି ଯାଇଥିବା ବାମ ହାତର ବୁଢ଼ା ଆଙ୍ଗୁଠିକୁ ଯୋଡ଼ି ଦିଆଯାଇଛି। ଏମ୍‌ସର ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରି ବିଭାଗର ସହକାରୀ ପ୍ରଫେସର ଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳ ପ୍ରାୟ ୧୦ ଘଣ୍ଟାର ଅସ୍ତ୍ରୋପଚାର ପରେ ଏହି ପ୍ରକ୍ରିୟାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

ଏମ୍‌ସ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏପ୍ରିଲ୍‌ ୨୦ ତାରିଖ ରାତି ପ୍ରାୟ ୯ଟା ବେଳେ ଖୋର୍ଦ୍ଧା ଅଞ୍ଚଳର ରବୀନ୍ଦ୍ର ମୁଦୁଲି (୫୪) କୌଣସି କାମ କରୁଥିବା ବେଳେ କଟର୍‌ ମେସିନ୍‌ରେ ତାଙ୍କ ହାତର ବୁଢ଼ା ଆଙ୍ଗୁଠି ପୂରା ଛିଡ଼ି ଯାଇଥିଲା। ତେବେ କଟି ଯାଇଥିବା ବୁଢ଼ା ଆଙ୍ଗୁଠିକୁ ସେ ବରଫରେ ରଖି ଭୁବନେଶ୍ବର ଏମ୍‌ସରେ ପହଞ୍ଚିଥିଲେ। ‌ସେତେବେଳକୁ ରାତି ୨ଟା ବାଜି ସାରିଥିଲା ଓ ଆଙ୍ଗୁଠି କଟିବାକୁ ୫ ଘଣ୍ଟା ହୋଇସାରିଥିଲା। ତାଙ୍କୁ ତୁରନ୍ତ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ପରଦିନ ସକାଳ ୯ଟାରେ ଅସ୍ତ୍ରୋପଚାର ହୋଇଥିଲା। ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଡ. ସଞ୍ଜୟ ଗିରି, ଡ.ଶାନ୍ତନୁ ସୁବା, ଡ. କୌଶିକ, ଡ. ଆହାନା ଏବଂ ଡ. ଗୋପିକାଙ୍କ ସହିତ ନିଶ୍ଚେତକ ଦଳର ଡ. ନୀତାଶା ଏବଂ ଡ. ପ୍ରେଗମାଂସୁ ପ୍ରମୁଖ ସାମିଲ ଥିଲେ। ମାଇକ୍ରୋସ୍କୋପ୍ ସହାୟତାରେ ବିଚ୍ଛିନ୍ନ ହୋଇଯାଇଥିବା ଧମନୀ, ଶିରାପ୍ରଶିରା ଏବଂ ସ୍ନାୟୁକୁ ଯତ୍ନର ସହିତ ଯୋଡ଼ାଯାଇଥିଲା। ଏଥିପାଇଁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା। ଅସ୍ତ୍ରୋପଚାର ପରେ ଯୋଡ଼ା ଯାଇଥିବା ଆଙ୍ଗୁଠିରେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଛି। ପ୍ରାୟ ୩/୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ ଭାବେ କାମ କରିବ ବୋଲି ଡ. ଗିରି କହିଛନ୍ତି। ଡ. ଗିରିଙ୍କ କହିବା କଥା ଏପରି ଅଘଟଣ ଘଟିଲେ, ଛିଡ଼ି ଯାଇଥିବା ଅଂଗକୁ ଏକ ଗଜ୍ କନା କିମ୍ବା ସଫା କପଡ଼ାରେ ଗୁଡ଼ାଇବା ସହ ପଲିଥିନ୍‌ରେ ରଖି ବରଫରେ ସଂରକ୍ଷିତ କରି ରଖିବା ଉଚିତ୍। ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ ନୁହେଁ। ୬ ଘଣ୍ଟା ଭିତରେ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଆବଶ୍ୟକ।