ଭୁବନେଶ୍ବର: ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ଆଜି ସକାଳୁ ଖାଉଟି ସାମଗ୍ରୀ ବଣ୍ଟନର ତଦାରଖ କରିଛନ୍ତି। ଶ୍ରୀ ସ୍ବାଇଁ ଲକ୍ଷ୍ମୀସାଗର ଅଞ୍ଚଳରେ ଏକାଧିକ ଖାଉଟି ସାମଗ୍ରୀ ବିକ୍ରୟ କେନ୍ଦ୍ରରେ ଅଚାନକ ପହଞ୍ଚି ଖାଉଟିଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏଥିସହ କିଛି ବିକ୍ରୟ କେନ୍ଦ୍ରର ଅବ୍ୟବସ୍ଥା ଦେଖି ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ସରକାର ଦେଉଥିବା ଖାଉଟି ସାମଗ୍ରୀ କିପରି ଖାଉଟି ଠିକ୍ ଭାବେ ପାଇବେ, ସେନେଇ ଗୁରୁତ୍ବାରୋପ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରଥମେ ଝାରପଡ଼ା ଖାଉଟି ସାମଗ୍ରୀ କେନ୍ଦ୍ରରେ ପହଞ୍ଚିଥିଲେ। ଏଠାରେ ଖାଉଟିଙ୍କ ଲମ୍ବା ଧାଡ଼ି ଥିଲେ ହେଁ ଡିଲର୍ ସାମଗ୍ରୀ ଠିକ୍ ସମୟରେ ଦେଉ ନଥିବା ଅଭିଯୋଗ ହୋଇଥିଲା। ଏମିତିକି ସର୍ଭର ଡାଉନ୍ ଥିବା ଦର୍ଶାଇ ଲୋକଙ୍କୁ ଫେରାଇ ଦିଆଯାଉଥିଲା। ଏହି କେନ୍ଦ୍ରରେ ୧୬୦୦ରୁ ଅଧିକ ହିତାଧିକାରୀ ରହିଛନ୍ତି। ମାସକୁ ହାତ ଗଣତି କିଛି ଦିନ ବଣ୍ଟନ ପରେ କେନ୍ଦ୍ରକୁ ବନ୍ଦ କରି ଦିଆଯାଉଛି। ସାମଗ୍ରୀ ନେବା ପାଇଁ ପ୍ରତିଯୋଗିତା ଚାଲୁଛି। ତେଣୁ ରାତି ଚାରିଟାରୁ ଖାଉଟି ଧାଡ଼ିରେ ଛିଡ଼ା ହୋଇ ରହୁଛନ୍ତି। କିନ୍ତୁ ଡିଲର୍ ମନଇଚ୍ଛା ଆସୁଛନ୍ତି। କେତେବେଳେ ସକାଳ ୧୦ଟା ପରେ ତ କେତେବେଳେ ଜମା ଖୋଲୁନଥିବା ଅଭିଯୋଗ ହୋଇଥିଲା।
ଏଥିସହ ତିନି ମାସର ଗହମ ଦିଆଯାଇ ନଥିବା ନେଇ ଉପସ୍ଥିତ ଲୋକାମାନେ ଅଭିଯୋଗ କରିଥିଲେ। ଡିଲର୍ ଶ୍ରୀନିବାସ ସାମନ୍ତରାୟ ଉପସ୍ଥିତ ନଥିଲେ। ଉପସ୍ଥିତ ଥିବା ଡିଲର୍ଙ୍କ ପୁତୁରା ପ୍ରତାପ ସାମନ୍ତରାୟଙ୍କୁ ଏନେଇ ଶ୍ରୀ ସ୍ବାଇଁ ତାଗିତ୍ କରିବା ସହ ନିର୍ଦ୍ଧାରିତ ସମୟରେ କେନ୍ଦ୍ର ଖୋଲିବା ଏବଂ ଶୃଙ୍ଖଳିତ ଭାବେ କିପରି ସାମଗ୍ରୀ ବଣ୍ଟନ କରାଯିବ ସେ ନେଇ ପରାମର୍ଶ ଦେଇଥିଲେ। ପରେ ଲକ୍ଷ୍ମୀସାଗର ମେଲଣ ପଡ଼ିଆଠାରେ ଥିବା ସରକାରୀ ସୁଲଭ ମୂଲ୍ୟ ଦୋକାନକୁ ଯାଇଥିଲେ। ଏଠାରେ ଡିଲର୍ ଦୀପକ କୁମାର ପଟ୍ଟନାୟକଙ୍କ ଅତିରିକ୍ତ ଜିଲ୍ଲାପାଳଙ୍କ ଆସିବା ଖବର ଶୁଣି ତରବରିଆ ଭାବେ କେନ୍ଦ୍ର ଖୋଲିଥିଲେ। ଏଠାରେ ୯୦୦ କାର୍ଡଧାରୀ ଥିବା ବେଳେ କୌଣସି ଖାଉଟିଙ୍କୁ ଦେଖିବାକୁ ମିଳିନଥିଲା। ପୂର୍ବ କେନ୍ଦ୍ର ପରି ଏଠାରେ ମଧ୍ୟ କେନ୍ଦ୍ରର ନୋଟିସ୍ ବୋର୍ଡରେ ଆବଶ୍ୟକ ସୂଚନା ଲେଖାଯାଇନଥିଲା। ଯାହାକୁ ନେଇ ତାଗିଦ୍ କରିଥିଲେ ଶ୍ରୀ ସ୍ବାଇଁ।