ଭୁବନେଶ୍ୱର : ଅତିରିକ୍ତ ପୁଲିସ୍ କମିସନର୍ ଭାବେ ରେଖା ଲୋହାନି ଆଜି କମିସନରେଟ୍ ପୁଲିସରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ପୁଲିସ ସେବା ଭବନ ପରିସରରେ ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ପୂର୍ବତନ ଅତିରିକ୍ତ କମିସନର୍ ସଞ୍ଜୟ ସିଂହଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀମତୀ ଲୋହାନି କମିସନରେଟ୍ ପୁଲିସରେ ଡିସିପି (ହେଡ୍କ୍ବାର୍ଟର୍) ଭାବେ ସଫଳତାର ସହ କାମ କରିସାରିଛନ୍ତି। ସୋନପୁର ଓ ନୟାଗଡ଼ ଏସ୍ପି ଭାବରେ କାମ କରିବା ସହ ଗୁଇନ୍ଦା ଓ କେନ୍ଦ୍ର ଡେପୁଟେସନ୍ରେ ମଧ୍ୟ ସେ ଦାୟିତ୍ବ ନିର୍ବାହ କରିଥିଲେ। କମିସନରେଟ୍ ପୁଲିସରେ ଯୋଗ ଦେବା ପୂର୍ବରୁ ସେ ଆଧୁନିକୀକରଣ ଆଇଜି ଭାବରେ କାମ କରୁଥିଲେ। ବଡ଼ କଥା ହେଉଛି, ସାଇବର ଲ’ ରେ ସେ ଡିପ୍ଲୋମା କରିଛନ୍ତି। ଏଣୁ କମିସନରେଟ୍ ପୁଲିସରେ ତାଙ୍କ ଭୂମିକା ଆଗକୁ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କମିସନର୍ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
କାର୍ଯ୍ୟକ୍ରମରେ ସଞ୍ଜୟ ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ସିଂହ ଏଠାରେ ଅତିରିକ୍ତ ଡିସିପି ଭାବରେ ପାଖାପାଖି ଅଢ଼େଇ ବର୍ଷ କାମ କରିଥିଲେ। ତାଙ୍କ ନେତୃତ୍ବରେ ଏକ ଡ୍ରଗ୍ ସ୍କ୍ବାଡ୍ ଗଠନ ହୋଇଥିଲା, ଯେଉଁଥିପାଇଁ କମିସନରେଟ୍ ପୁଲିସକୁ ବେଶ୍ ସଫଳତା ମିଳିଥିଲା। ଜାନୁଆରିରୁ ଜୁଲାଇ ଭିତରେ ୬୫ ମାମଲା ରୁଜୁ ହେବା ସହ ୧ କେଜି ୮୨୧ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଜବତ ହୋଇଥିଲା। କମିସନରେଟ୍ ପୁଲିସ ଇତିହାସରେ ଏତେ କମ୍ ସମୟରେ ଏଭଳି ସଫଳତା ମିଳି ନଥିଲା। କମିସନର୍ ଶ୍ରୀ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ କାମ କରିବା ସୌଭାଗ୍ୟ ବୋଲି ଶ୍ରୀ ସିଂହ କହିଥିଲେ। ଡିସିପି ଉମାଶଙ୍କର ଦାଶ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/rekha-lohani.jpeg.jpg)