ଦୁର୍ଘଟଣାରେ ଶିଳ୍ପ ବିଭାଗ ଅତିରିକ୍ତ ସଚିବଙ୍କ ମୃତ୍ୟୁ

ଭୁବନେଶ୍ବର : ସୋମବାର ପୂର୍ବାହ୍ନରେ ହଂସପାଳ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିଳ୍ପ ବିଭାଗ ଅତିରିକ୍ତ ସଚିବ ବସନ୍ତ କୁମାର ଦାସଙ୍କର ମୃତ୍ୟୁ ଘଟିଛି। ନିଜ କାର୍‌ (ଓଡି୦୨ଇ-୦୮୮୮)ରେ ସେ କଟକରୁ ଭୁବନେଶ୍ବର ଫେରୁଥିଲେ। କୁଆଖାଇ ପୋଲ ଉପରେ ଗାଡ଼ି ରଖି ସେ ନଈ ଭିତରକୁ ପୂଜା ଜିନିଷ ଫିଙ୍ଗିବାକୁ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକକୁ ଧରି ପିଟିଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଉଭୟ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଓ କାର୍‌କୁ ଜବତ କରିଥିଲା। ସମ୍ପୃକ୍ତ ଟ୍ରକ୍‌ ଚାଳକକୁ ମଧ୍ୟ ଗିରଫ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପରିବାରବର୍ଗ ମୃତଦେହ ନେଇ ୟୁନିଟ୍‌ ୯ରେ ଥିବା ସରକାରୀ କ୍ବାର୍ଟର୍ସ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ବରିଷ୍ଠ ସରକାରୀ ଅଧିକାରୀମାନେ ତାଙ୍କର ଶେଷ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର