ଠିକଣା ବଦଳାଇଲା ମଞ୍ଚ: ଚାରିକାନ୍ଥରୁ ବାହାରି ଏବେ ଡିଜିଟାଲ୍ରେ, ବିଭିନ୍ନ ସ୍ଥାନର ଲୋକଙ୍କୁ ଯୋଡ଼ିପାରୁଛି
କରୋନା ସମୟକୁ ଗଠନମୂଳକ କରିପାରିଛି, ଦର୍ଶକ ଅନେକ, ଆତ୍ମତୃପ୍ତି ନ୍ୟୁନ
ଭୁବନେଶ୍ବର: ସଂଧ୍ୟା ହେଲେ ନୂପୁରର ରୁଣୁଝୁଣୁ ଶବ୍ଦ ରବୀନ୍ଦ୍ର ମଣ୍ଡପକୁ ରୋମାଞ୍ଚିତ କରୁନି। ଜୟଦେବ ଭବନରୁ ଗୀତର ମଧୁର ସ୍ବର ଭାସିଆସୁନି। ୬ ମାସ ହେଲା କଳାକାରର କଳା ପ୍ରଦର୍ଶନ ଦେଖିବାକୁ ମିଳୁନି କି ଉତଙ୍ଗ ଭାଷଣ ଦେହରେ ଶିହରଣ ଖେଳାଉନି। ଦର୍ଶକଙ୍କୁ କଳାର ସିଧାପ୍ରସାରଣ ଦେଖିବାର ସୌଭାଗ୍ୟ ବି ମିଳୁନି। ଦୀର୍ଘ ୬ ମାସର ଲକ୍ଡାଉନ୍ ଓ ସଟ୍ଡାଉନ୍ ପରେ ଗାଡ଼ିମୋଟରର ଗର୍ଜନରେ ରାସ୍ତାଘାଟ କୋଳାହଳମୟ ହୋଇ ଉଠିଥିବା ବେଳେ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଜୟଦେବ ଭବନ ଓ ଭଞ୍ଜକଳାମଣ୍ଡପ ଆଦି ସହରର ପ୍ରମୁଖ ପ୍ରେକ୍ଷାଳୟସମୂହର ମଞ୍ଚ କିନ୍ତୁ ସେମିତି ନିଃଶବ୍ଦ ରହିଛି। ସଂଧ୍ୟା ହେଲେ କଳାକାର ଓ ଦର୍ଶକଙ୍କ ଭିଡ଼ ଜମୁନି କି ମଞ୍ଚକୁ କେହି ଆଉ ସୁନ୍ଦରୀ ବଧୂବେଶରେ ସଜେଇ ଦେଉନି। ଗୁମୁରି କାନ୍ଦୁଥିବା ମଞ୍ଚ କିନ୍ତୁ ତା’ର ନୂଆ ଠିକଣା ଖୋଜିଛି। ଯୁଗ ସହ ଆଧୁନିକୀକରଣରେ ସାମିଲ ହୋଇ ଚାରି କାନ୍ଥ ଭିତରୁ ଗୋଡ଼ କାଢ଼ିଛି। ସେ ପ୍ରେକ୍ଷାଳୟର ମଞ୍ଚରୁ ଡିଜିଟାଲ୍ ମଞ୍ଚରେ ପରିଣତ ହୋଇଛି। ଆଉ ଭର୍ଚୁଆଲ ମଞ୍ଚ ଭାବେ ବେଶ୍ ଆଦୃତି ଲାଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭର୍ଚୁଆଲ୍ ମଞ୍ଚରେ ୱେବିନାର୍ଠାରୁ ଆରମ୍ଭ କରି ଆଲୋଚନାଚକ୍ର, ସଭା ସମିତି, ବିଭିନ୍ନ ପ୍ରତିଯୋଗିତା, କର୍ମଶାଳା ଓ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ ହେଉଛି। ଗୋଟିଏ କ୍ଲିକ୍ରେ ଘରେ ବସି ଏହି ଭର୍ଚୁଆଲ୍ ମଞ୍ଚର ଆନନ୍ଦ ନେଉଛନ୍ତି ସମସ୍ତ ବୟସର ବ୍ୟକ୍ତିବିଶେଷ। କରୋନା ମହାମାରୀ ସମସ୍ତଙ୍କୁ ଶାରୀରିକ ଓ ସାମାଜିକ ଭାବେ ଦୂରେଇ ରଖିଥିଲେ ମଧ୍ୟ ଏହି ଭର୍ଚୁଆଲ ମଞ୍ଚ ଲୋକଙ୍କ ସମ୍ପର୍କର ସେତୁ ସାଜିଛି। ଦର୍ଶକଙ୍କୁ ମନୋରଞ୍ଜନ ଓ ଦକ୍ଷତା ବିକାଶର ସେତୁଟିଏ ଯୋଗାଇ ଦେଇଛି। ଏପରିକି ଏଥର ଭର୍ଚୁଆଲ୍ ରଜ କ୍ବିନ୍ ପ୍ରତିଯୋଗିତା ହୋଇଥିବା ନଜିର ରହିଛି। ଏମିତି ଭାବେ ଭର୍ଚୁଆଲ ମଞ୍ଚ ସହ ଯୋଡ଼ି ହୋଇଥିବା କିଛି ଆୟୋଜକଙ୍କ ଅନୁଭୂତି।
ବିଭିନ୍ନ ସ୍ଥାନର ଲୋକଙ୍କୁ ଯୋଡ଼ିପାରୁଛି
ପ୍ରେକ୍ଷାଳୟର ମଞ୍ଚରେ ସମୟସୀମା ଧାର୍ଯ୍ୟ କରାଯାଉଥିଲା। ଫଳରେ ଆମକୁ କିଛି ସୀମିତ କଥା ହିଁ କହିବାକୁ ପଡ଼ୁଥିଲା। କିନ୍ତୁ ଭର୍ଚୁଆଲ ମଞ୍ଚରେ ମନର ସମସ୍ତ ଭାବନାକୁ ନିର୍ଦ୍ବନ୍ଦ୍ବରେ ରଖି ହେଉଛି। ଅନ୍ୟପଟେ ଭର୍ଚୁଆଲ ମଞ୍ଚରେ ଦର୍ଶକ ସାମ୍ନାରେ ନଥିବାରୁ ତାଙ୍କ ପ୍ରତିକ୍ରିୟା ଜାଣି ହେଉନାହିଁ। ଅନ୍ଧାର କୋଠରୀ ଭିତରେ ରହି ଶୂନ୍ୟକୁ କିଛି କହିଲା ଭଳି ମନେ ହେଉଛି। ପୁଣି ଅନ୍ଲାଇନ୍ ମଞ୍ଚର ଅଭ୍ୟାସ ନଥିବାରୁ ଏହା ଏପର୍ଯ୍ୟନ୍ତ ବିଶେଷ ଫଳପ୍ରଦ ହୋଇଥିଲା ପରି ମନେ ହେଉନାହିଁ। କିନ୍ତୁ ଏହାର ସବୁଠାରୁ ଭଲ ଦିଗ ହେଉଛି ଏହି ମଞ୍ଚ ଦ୍ବାରା ଦୁନିଆର ଯେକୌଣସି ସ୍ଥାନରୁ ଲୋକ ଆମ ସହ ଯୋଡ଼ି ହୋଇପାରୁଛନ୍ତି। ଦୂରତା ବା କାର୍ଯ୍ୟବ୍ୟସ୍ତତା ଏଥିରେ ବାଧକ ସାଜୁନି।
ଆଜି ପର୍ଯ୍ୟନ୍ତ ମୁଁ ବିଦ୍ୟାଳୟର ପ୍ରଶିକ୍ଷଣ ସହ ପିଲାମାନଙ୍କୁ ଗୀତ, ନୃତ୍ୟ, ଚିତ୍ରାଙ୍କନ ଓ ଆର୍ଟ ଆଦି ତାଲିମ ଦେବାର ବ୍ୟବସ୍ଥା କରିଥିବା ବେଳେ ଅଟିଜିମ୍ ପିଲାମାନଙ୍କ ପାଇଁ ଏକ ୱେବିନାର୍ର ବି ଆୟୋଜନ କରିଥିଲି। ଏଥିସହ ବିଭିନ୍ନ ସ୍କୁଲ ଓ କଲେଜର ପିଲାମାନଙ୍କ ମଧ୍ୟରେ ଆର୍ଟ, ରଚନା ଲିଖନ, ପୋଷ୍ଟର ମେକିଂ ଆଦି ଅନ୍ଲାଇନ୍ ପ୍ରତିଯୋଗିତାର ଆୟୋଜନ କରିସାରିଛି। ଭବିଷ୍ୟତରେ ଏହି ମଞ୍ଚ ଅତ୍ୟାଧୁନିକ ମଣିଷମାନଙ୍କ ପାଇଁ ବେଶ୍ ଉପାଦେୟ ହେବ ବୋଲି ଆଶା କରାଯାଇପାରେ।
-ଚିନ୍ମୟୀ ପଣ୍ଡା, ଅଧ୍ୟକ୍ଷା, ଅଙ୍କୁର ସ୍କୁଲ
କରୋନା ସମୟକୁ ଗଠନମୂଳକ କରିପାରିଛି
ପ୍ରେକ୍ଷାଳୟ ବା ମଞ୍ଚରେ ଏକ କାର୍ଯ୍ୟକ୍ରମ କଲେ ତା’ ସହ ଏକ ଭାବ ଯୋଡ଼ି ହୋଇଯାଏ। ଅନେକ ଲୋକ ଆସନ୍ତି। କିଛି ଚିହ୍ନା ମୁହଁ ଅନେକ ଦିନ ପରେ ଦେଖା ହୁଅନ୍ତି ପୁଣି କିଛି ଅଚିହ୍ନା ମୁହଁ ଚିହ୍ନା ହୋଇଯାଏ। ଏଥିରେ ସୀମିତ ଲୋକ ଓ ପ୍ରାୟ ଚିହ୍ନା ଲୋକଙ୍କ ମଧ୍ୟରେ କାର୍ଯ୍ୟକ୍ରମଟି ସରିଥାଏ। କିନ୍ତୁ କରୋନା ସମୟରେ ଏହି ଭର୍ଚୁଆଲ ମଞ୍ଚ ବେଶ୍ ଉପାଦେୟ ହୋଇପାରିଛି। କିଛି ନହେଲେ ବି ଲୋକଙ୍କ ସହ ଯୋଡ଼ି ହୋଇପାରିଛେ। ସେମାନଙ୍କ ମୁହଁ ଦେଖିପାରୁଛେ। ଅନ୍ୟପଟେ ଆମ ଖାଲି ଓ ଲକ୍ଡାଉନ୍ ସମୟକୁ ଏହା ଗଠନମୂଳକ କରିପାରିଛି। ଆମେ ପିକକ୍ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଭର୍ଚୁଆଲ୍ ପ୍ରଶିକ୍ଷିଣ ଶିବିର, କର୍ମଶାଳା ଓ ୱେବିନାର୍ କରି ଭାବର ଆଦାନପ୍ରଦାନ କରିପାରିଛୁ। ପ୍ରତ୍ୟକ୍ଷ ବାର୍ତାଳାପ ନ ହୋଇପାରିଲେ ବି ଏହା ଦ୍ବାରା ଯୋଗାଯୋଗରେ ରହିପାରୁଛୁ।
-ଅନୁରାଧା ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା, ପିକକ୍
ଦର୍ଶକ ଅନେକ, ଆତ୍ମତୃପ୍ତି ନ୍ୟୁନ
ମଞ୍ଚରେ କାର୍ଯ୍ୟକ୍ରମଟିଏ କଲେ ଯେଉଁ ଭଳି ଆତ୍ମତୃପ୍ତି ମିଳେ, ଭର୍ଚୁଆଲ ମଞ୍ଚରେ ତାହାର ୧୦% ବି ମିଳେନାହିଁ। ଆଖିକୁ ଆଖି ମିଶାଇ ଦର୍ଶକ ସହ କଥା ହେଲେ ଯେଉଁ ଭାବର ସମ୍ପର୍କ ଯୋଡ଼ି ହୋଇପାରେ ଭର୍ଚୁଆଲ ମଞ୍ଚରେ ଏହା ହୋଇପାରିବ ନାହିଁ। କିନ୍ତୁ ଲକ୍ଡାଉନ୍ ସମୟରେ କ୍ଳାନ୍ତ ମନକୁ ସହଜ କରିବାରେ ତଥା ଦର୍ଶକଙ୍କ ସହ ଯୋଗାଯୋଗର ସମ୍ପର୍କ ରଖିବାରେ ଏହି ଭର୍ଚୁଆଲ ମଞ୍ଚ ସହାୟ ହୋଇଛି। କିନ୍ତୁ ଖୋଲା ମଞ୍ଚରେ ଆମକୁ ୫୦୦ ଦର୍ଶକ ଦେଖିପାରୁଥିବା ବେଳେ ଭର୍ଚୁଆଲ ମଞ୍ଚରେ ଏକାଥରେ ୧୦ ହଜାରରୁ ଅଧିକ ଦର୍ଶକ ଦେଖିପାରୁଛନ୍ତି। ଅଗଷ୍ଟ ୯ ତାରିଖ ଦିନ ଏହି ଭଳି ଭାବେ ଆମେ ‘ସଂଭାବନା’ ପକ୍ଷରୁ ଭର୍ଚୁଆଲ ମଞ୍ଚରେ ‘ଜୟହିନ୍ଦ’ କାର୍ଯ୍ୟକ୍ରମର ସିଧାପ୍ରସାରଣ କରି ସଫଳ ହୋଇଥିଲୁ।
-ଦେବପ୍ରସାଦ ପରିଜା, ସମ୍ପାଦକ, ସଂଭାବନା