ଭୁବନେଶ୍ବର: ସାରଳା ଆର୍ଟ ଏକାଡେମି ଟ୍ରଷ୍ଟ ଏବଂ ସାରଳା ପ୍ରଡକ୍ସନ୍‌ ପକ୍ଷରୁ ୨୩ତମ ‘ଆଦିକବି ସାରଳା ଦାସ ସମ୍ମାନ’ ପ୍ରଦାନ ଉତ୍ସବ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବା, କଳା, ସାହିତ୍ୟ, ସଂସ୍କୃତି ଓ ଚଳଚ୍ଚିତ୍ର‌ କ୍ଷେତ୍ର‌ରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବର୍ଷିୟାନ୍‌ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ଆଦିକବି ସାରଳା ସମ୍ମାନ’ ପ୍ରଦାନ କରଯାଇଥିବା ବେଳେ ଜ୍ୟୋତିରଂଜନ ନାୟକଙ୍କୁ ଶ୍ରେଷ୍ଠ ନାୟକ ଓ ଭୂମିକା ଦାସଙ୍କୁ ଶ୍ରେଷ୍ଠ ନାୟିକା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisment

ସେହିପରି ବବି ନାୟକ ଶ୍ରେଷ୍ଠ ଖଳନାୟକ, ଅଭିଜିତ୍‌ ମଜୁମଦାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଦୀପ୍ତିରେଖା ପାଢ଼ୀ ଶ୍ରେଷ୍ଠ କଣ୍ଠଶିଳ୍ପୀ, ହରିହର ମହାପାତ୍ର ଶ୍ରେଷ୍ଠ ହାସ୍ୟାଭିନେତା, ଲୁବୁନ୍‌ ଟୁବୁନ୍‌ ଶ୍ରେଷ୍ଠ ଆଲବମ୍‌ ନୃତ୍ୟ ନିର୍ଦ୍ଦେଶକ, ଜୀବନ ପଣ୍ଡା ଶ୍ରେଷ୍ଠ ଚରିତ୍ର ଅଭିନେତା ଓ ଚଣ୍ଡୀ ପରିଜାଙ୍କୁ ଶ୍ରେଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା।
‌ସେହିପରି ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ବିଶିଷ୍ଟ ଲେଖକ ‌ଶୈଳେଶ୍ବର ନନ୍ଦଙ୍କୁ ‘ସାରଳା ଦାସ ସାହିତ୍ୟ ସମ୍ମାନ’, ସାହସିକତା ପାଇଁ ଡିଆଇଜି ସତ୍ୟଜିତ୍‌ ନାୟକଙ୍କୁ ‘ସାରଳା ଦାସ ସାହସୀ ସମ୍ମାନ’ ଏବଂ କବି ପ୍ରକାଶ ନାୟକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅସିତ ପତିଙ୍କୁ ‘ଶୁଦ୍ରମୁନି ସାରଳା ଜ୍ୟୋତି ସମ୍ମାନ’ ପ୍ରଦାନ କରାଯାଇଥିଲା।

ଅଭିନେତା ଓ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ସମାଜସେବା କ୍ଷେତ୍ର ପାଇଁ ଭଗତସିଂହ ଯୁବସଂଘର ସଭାପତି ଆଶିଷ ଅନୁରାଗଙ୍କୁ ପ୍ରଥମ ‘ବାଣୀକ୍ଷେତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା। ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ସାହୁ ଓ ଅଭିନେତା ଶୁଭାଶିଷ ଶର୍ମାଙ୍କୁ ‘ସାରଳା ଚଳଚ୍ଚିତ୍ର ପ୍ରତିଭା ସମ୍ମାନ’, ମମତା ମଂଜରୀ ଦାସଙ୍କୁ ‘ସାରଳା ପ୍ରତିଭା ସେବା ସମ୍ମାନ’, ମାନସୀ ପାତ୍ରଙ୍କୁ ‘ସାରଳା କନ୍ୟାରତ୍ନ ସମ୍ମାନ’, ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଚଳଚିତ୍ର ସଂଳାପ ଲେଖକ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ‘ସାରଳା ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ଏହାବ୍ୟତୀତ ବହୁ ପ୍ରତିଭାଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ‘ବାଣୀକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସାରଳା ଆର୍ଟ ଏକାଡେମି ଟ୍ରଷ୍ଟ, ସାରଳା ପ୍ରଡକ୍ସନ୍‌ ଓ ବାଣୀକ୍ଷେତ୍ରର ପ୍ରତିଷ୍ଠାତା ଅଶୋକ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବାଣୀକ୍ଷେତ୍ରର ସମ୍ପାଦକ ତଥା ସାରଳା ଆର୍ଟ ଏକାଡେମି ଟ୍ରଷ୍ଟ ଅଧ୍ୟକ୍ଷ ପ୍ରକାଶ ନାୟକ ସଭାପତିତ୍ବ କରିଥିଲେ। ଅମରେଶ ବେଉରା, ସୁବ୍ରତ ମୋହନି, ସାମ୍ବାଦିକ ସୁରଥ ଦାସ ମଞ୍ଚ ପରିଚାଳନା କରିଥିଲେ। ପରେ କଳାକାରମାନଙ୍କ ଦ୍ବାରା ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।