‘ଝଙ୍କଡ଼ ନୁହେଁ, କୋଣାର୍କର ବାସିନ୍ଦା ଥିଲେ ଆଦିକବି’

ଭୁବନେଶ୍ୱର: ଆଦିକବି ସାରଳା ଦାସ ତାଙ୍କ ରଚିତ ମହାଭାରତରେ ନିଜ ବାସସ୍ଥଳୀ କନକବତୀ ପାଟଣା ଯଙ୍ଖେପୁର ବୋଲି ବର୍ଣ୍ଣନା କରିଛନ୍ତି। ଅଧିଷ୍ଠାତ୍ରୀ ଦେବୀ ସାରଳା ଥିବାରୁ ସେ ସାରଳାଙ୍କର ଦାସ ବା ସେବକ ବୋଲି ନିଜକୁ ଅଭିହିତ କରିଛନ୍ତି। ପୂର୍ବରୁ ଅନେକ ଗବେଷକ ମନମୋହନ ଚକ୍ରବର୍ତ୍ତୀ, ମୃତ୍ୟୁଞ୍ଜୟ ରଥ, ଗୋପୀନାଥ ନନ୍ଦଶର୍ମା ଓ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସାରଳାଦାସଙ୍କ ବାସଭୂମି ଆଧୁନିକ କନକପୁର ଅଞ୍ଚଳ ବୋଲି ନିର୍ଣ୍ଣୟ କରିଛନ୍ତି। କନକବତୀ ପାଟଣା ଓ ଯଙ୍ଖେପୁର ମଧ୍ୟରେ ଉଚ୍ଚାରଣଗତ ସାମ୍ୟତା ଥିବାରୁ ସେମାନେ ଏଭଳି ସିଦ୍ଧାନ୍ତ ନେଇଛନ୍ତି। କିନ୍ତୁ ସାରଳା ଦାସ ତାଙ୍କ ଦ୍ବାରା ରଚିତ ମହାଭାରତରେ ତାଙ୍କ ବାସସ୍ଥଳୀ ଚନ୍ଦ୍ରଭାଗା କୂଳ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଚନ୍ଦ୍ରଭାଗା ନଦୀକୁ ବିଭିନ୍ନ ସମୟରେ ସୂଚକ ଭାବରେ ବ୍ୟବହାର କରିଛନ୍ତି। ଏଣୁ ଚନ୍ଦ୍ରଭାଗା କୂଳଠାରୁ ଅନେକ ଦୂରରେ ଝଙ୍କଡ଼ ରହିଥିବାରୁ ଏହାକୁ ଆଦିକବିଙ୍କର ବାସସ୍ଥଳୀ ଭାବରେ ବିବେଚନା କରାଯାଇ ପାରେନା। ଏହି ତତ୍ତ୍ବକୁ ଆଧାର କରି ପୂର୍ବରୁ ଗୋପୀନାଥ ମହାନ୍ତି ମଧ୍ୟ ସାରଳା ଦାସଙ୍କର ବାସସ୍ଥଳୀ କୋଣାର୍କ ବୋଲି ବିବେଚନା କରିଥିଲେ। ଏଥିପାଇଁ ସେ କିଛି ତଥ୍ୟ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। କିନ୍ତୁ ସେତେବ‌େଳେ ଗବେଷକମାନେ ଏହି ତଥ୍ୟକୁ ଗ୍ରହଣ କଲେ ନାହିଁ। ଅନ୍ୟପଟେ ଝଙ୍କଡ଼ ଅଞ୍ଚଳରେ ଚନ୍ଦ୍ରଭାଗା ନାମରେ କୌଣସି ନଦୀ ମଧ୍ୟ ନାହିଁ। ଏଣୁ ଆଦିକବିଙ୍କର ବାସସ୍ଥଳୀ କୋଣାର୍କ ହେବା ଅଧିକ ଯୁକ୍ତିଯୁକ୍ତ। ଗବେଷକମାନେ ଏହି ତଥ୍ୟକୁ ଏଡ଼ାଇ ଯିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ଅବସରପ୍ରାପ୍ତ ରିଡର୍‌ ଡ. କୈଳାସ ଚନ୍ଦ୍ର ଦାଶ। ଅନ୍ତର୍ଜାତୀୟ ଅଭିଲେଖାଗାର ଦିବସ ଅବସରରେ ଜାତୀୟ ଅଭିଲେଖାଗାର ପରିସରରେ ସୋମବାର ଆୟୋଜିତ ‘ଡ. କୈଳାସ ଚନ୍ଦ୍ର ଦାଶ ବକ୍ତୃତା’ ଅବସରରେ ସେ ଏହା ପ୍ରକାଶ କରିଛନ୍ତି। ଜାତୀୟ ଅଭିଲେଖାଗାର ସହକାରୀ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର ଏହାକୁ ପରିଚାଳନା କରିଥିଲେ। ଅନେକ ଗବେଷକ, ସଂସ୍କୃତିପ୍ରେମୀ ତଥା ଐତିହାସିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର