ସରିଲା ଆଦିଗୁରୁ ପଙ୍କଜ ଉତ୍ସବ : ସଂଚିତା ଭଟ୍ଟାଚାର୍ଯ୍ୟଙ୍କୁ ମାହାରୀ ସମ୍ମାନ

ଭୁବନେଶ୍ୱର : ନୃତ୍ୟ ଓ ପ୍ରତିଭା ପୂଜାର ଅନନ୍ୟ କାର୍ଯ୍ୟକ୍ରମ ଆଦିଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ସମ୍ମାନ ପ୍ରଦାନ ଉତ୍ସବର ଆଜି ଥିଲା ଉଦ୍‌ଯାପନୀ ସନ୍ଧ୍ୟା। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶେଷ ସନ୍ଧ୍ୟାରେ ନୃତ୍ୟଶିଳ୍ପୀ ସଂଚିତା ଭଟ୍ଟାଚାର୍ଯ୍ୟଙ୍କୁ ‘ମାହାରୀ ସମ୍ମାନ ୨୦୧୮’ରେ ସମ୍ମାନିତ କରାଯାଇଥିଲା। ୫୦ ହଜାର ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ଆଦିଗୁରୁଙ୍କ ଉପରେ ପୁସ୍ତକ ରଚନା ପାଇଁ ପ୍ରସ୍ତାବ ରଖାଯାଇଥିଲା।

ଆଜି ସନ୍ଧ୍ୟାରେ ସଂଚିତା ପରିବେଷଣ କରିଥିଲେ ମଧୁରାଷ୍ଟକମ୍‌। ଗୁରୁ ପଙ୍କଜଚରଣ ଦାସଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ହରିହର ପଣ୍ଡାଙ୍କ ସଙ୍ଗୀତ ସଂଯୋଜନାରେ କୃଷ୍ଣଙ୍କ ଅବତାରର ମାଧୁର୍ଯ୍ୟକୁ ପରିପ୍ରକାଶ କରିଥିଲେ। ପରେ ପରିଧୀ ଯୋଶୀ ‘ବାଜୁଛି ସହି ବାଜାରେ… ଗୀତରେ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଭାରତୀ ମିଶ୍ର ନୃତ୍ୟାଭିନୟରେ ‘ଦୁର୍ଗା’ ପ୍ରସ୍ତୁତ କରିଥିବା ବେଳେ ରସିକା ଗୁମାସ୍ତେ ଆରବି ପଲ୍ଲବୀରେ ନୃତ୍ୟ ଭେଟି ଦେଇଥିଲେ। ଶେଷରେ ତପନ କୁମାର ସାହୁ ନୃତ୍ୟ ପରିବେଷଣ କରିଥିଲେ। ଶେଷ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ଗୁରୁ ମିନତି ମିଶ୍ର, ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ, ପ୍ରାକ୍ତନ ପ୍ରଶାସକ ଡ. ସୁବାସ ପାଣି, ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମହା ପ୍ରବନ୍ଧକ ଗୌତମ ଭଟ୍ଟାଚାର୍ଯ୍ୟ, ଏଜିଏମ୍‌ ବ୍ରଜକିଶୋର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଧନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ବଟକୃଷ୍ଣ ତ୍ରିପାଠୀ, ନିର୍ଦେଶକ ଶରତ ଦାସ ପରିଚାଳନା କରିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର