ସାରଳାଙ୍କ ସାହିତ୍ୟରେ ସମାଜର ଚିତ୍ର ଥିଲା

ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧ ଉତ୍ସବ

0

ଭୁବନେଶ୍ୱର : ପବିତ୍ର ମାଘ ସପ୍ତମୀ ତଥା ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧ ଉତ୍ସବ ଅବସରରେ ସାରଳା ସ୍ମୃତି ସଂସଦ ପକ୍ଷରୁ ରାଜ୍ୟ ଅଭିଲେଖାଗାର ପରିସରରେ ସାରଳା ସାହିତ୍ୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ସାରଳା ସାହିତ୍ୟ ଉପରେ ଆଲୋଚନାକରି ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି କହିଛନ୍ତି, ଆଜିର ସାହିତ୍ୟ ଓ ସମାଜ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏପରିକି ସାହିତ୍ୟିକମାନେ ସ୍ଥାନୀୟ କଥାକୁ ଛାଡ଼ି ଜାତୀୟ, ଅନ୍ତର୍ଜାତୀୟ ପ୍ରସଙ୍ଗକୁ ସେମାନଙ୍କ ଲେଖାରେ ସ୍ଥାନ ଦେଉଛନ୍ତି। ଏପରି ସାହିତ୍ୟ କାଳଜୟୀ ହୋଇପାରିବ ନାହିଁ। ବହୁବର୍ଷ ତଳେ ଆଦିକବି ରଚନା କରିଥିବା କୃତି ଆଜି ବି ଲୋକମୁଖରେ ରହିଛି। ସାରଳାଙ୍କ ସାହିତ୍ୟରେ ସମାଜ ତଥା ସାଧାରଣ ଲୋକର ଚିତ୍ର ଥିଲା। ସେଥିପାଇଁ ଏହା ବର୍ତମାନ ମଧ୍ୟ ଲୋକଙ୍କଦ୍ୱାରା ଗ୍ରହଣୀୟ ହୋଇରହିଛି। ଏଥିସହିତ ଶ୍ରୀ ମହାନ୍ତି ପ୍ରଖ୍ୟାତ ସାରସ୍ୱତ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି ମାଘସପ୍ତମୀ ଓ ସାରଳା ଦାସଙ୍କ ସମ୍ପର୍କରେ ଲେଖିଥିବା ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରିଥିଲେ।

‘ସାରଳା ସାହିତ୍ୟର ପ୍ରାସଙ୍ଗିକତା’ ସମ୍ପର୍କରେ ବକ୍ତବ୍ୟ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାହିତ୍ୟ ବିଭାଗ ପ୍ରାକ୍ତନ ମୁଖ୍ୟ ବାଉରିବନ୍ଧୁ କର କହିଲେ, ସାରଳାଙ୍କ ସାହିତ୍ୟ ସରଳ ଭାଷାର ସାହିତ୍ୟ। ପାଞ୍ଚଶହ ବର୍ଷ ତଳେ ଲେଖାଯାଇଥବା ଏହି ସାହିତ୍ୟ ଏବେ ବି ଅସରନ୍ତି ପ୍ରେରଣାର ଉତ୍ସ ପ୍ରଦାନ କରେ। ତାଙ୍କ ସାହିତ୍ୟରେ ସଂସ୍କାରର ମଧ୍ୟ ଗୁରୁତ୍ୱ ରହିଥିଲା। ତନ୍ତ୍ର ବିଦ୍ୟା, ବ୍ରାହ୍ମଣ୍ୟବାଦ ପରି କଥାର ବିରୋଧ ତାଙ୍କ ଲେଖାରେ ଦେଖାଯାଏ। ସାରଳା ସାହିତ୍ୟ ଉପରେ ବକ୍ତବ୍ୟ ରଖି ପ୍ରଭାତ କୁମାର ନନ୍ଦ କହିଲେ, ସାରଳାଙ୍କ ସାହିତ୍ୟରେ ଗ୍ରାମୀଣ ଶବ୍ଦର ଚମତ୍କାରିତା ଅନ୍ୟତମ ଆକର୍ଷଣ। ଓଡ଼ିଆ ସାହିତ୍ୟରେ ବ୍ୟକ୍ତିଗତ କୃତିତ୍ୱକୁ ବିଚାର କଲେ ସାରଳା ଦାସ ଓ ଉପେନ୍ଦ୍ର ଭଞ୍ଜଙ୍କ ନାମ ସର୍ବାଗ୍ରେ ରହିବ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରାକ୍ତନ ମୁଖ୍ୟ ସାରଦା ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସଂସଦ ପକ୍ଷରୁ ପ୍ରସ୍ତୁତ ଓଡ଼ିଆ କ୍ୟାଣ୍ଡେର ଲୋକାର୍ପିତ ହୋଇଥିଲା। ସାହିତ୍ୟିକ ରମାକାନ୍ତ ମିଶ୍ର ଅତିଥି ପରିଚୟ ଦେଇଥିଲେ। ଇଂ ସୁବାସ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଦୀପ୍ତ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.