ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ବିଦ୍ୟାଶ୍ରୀ ସମେତ ୪ଜଣଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ
ମିଳିଲା ଫରେନ୍ସିକ୍ ଲ୍ୟାବ୍ର ସ୍ବୀକୃତି, ଜୋର ଧରୁଛି ସିବିଆଇ ତଦନ୍ତ ଦାବି
ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାର ତଦନ୍ତରେ ନୂଆ ମୋଡ଼ ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବନ୍ଧୁ ପପୁ ଓ ବିକାଶଙ୍କ ସମେତ ମୋଟ ୪ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମ୍ବ୍ରାଞ୍ଚ କରିଥିବା ଆବେଦନକୁ ଆଜି ମଞ୍ଜୁରି ମିଳିଛି। ଫରେନ୍ସିକ୍ ଲ୍ୟାବ୍ର ମଞ୍ଜୁରି ପରେ ଏବେ ସତ ପଦାକୁ ଆସିବ ବୋଲି କ୍ରାଇମ୍ବ୍ରାଞ୍ଚ ଆଶାବାଦୀ ରହିଛି। ଜେରା ବେଳେ କିଏ କେତେ ମିଛ କି ସତ କହୁଥିଲା, ତାହା ଏହି ପଲିଗ୍ରାଫ୍ ଟେଷ୍ଟରେ ଜଣାପଡ଼ିଯିବ ବୋଲି କୁହାଯାଉଛି।
ଅପରପକ୍ଷେ ଫରେନ୍ସିକ୍ ଲ୍ୟାବ୍ ଏବେ ପ୍ରଶ୍ନ ତିଆରିରେ ବ୍ୟସ୍ତ ଅଛି। କାହାକୁ କେଉଁ ପ୍ରଶ୍ନ ପଚରାଯିବ, କାହା ପରେ କାହା ପାଳି ପଡ଼ିବ, କେଉଁ ସମାନ ପ୍ରଶ୍ନ କେତେଜଣଙ୍କୁ ପଚରାଯିବ, ପ୍ରଶ୍ନଗୁଡ଼ିକର ଉତ୍ତର ସହ ପୂର୍ବର ବୟାନ ମଧ୍ୟ ମେଳ କରାଯିବ। ପ୍ରଶ୍ନୋତ୍ତର ସମୟରେ ହିଁ ସତ କି ମିଛ ସ୍ପଷ୍ଟ ହୋଇଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଶ୍ନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ହେବା ପରେ ଖୁବ୍ଶୀଘ୍ର ସେମାନଙ୍କୁ ଲ୍ୟାବ୍ରେ ଉପସ୍ଥିତ ହେବା ପାଇଁ ନୋଟିସ୍ କରାଯିବ ବୋଲି ଜଣାପଡ଼ିଛି। ନୋଟିସ୍ ପରେ ସେମାନଙ୍କର ସ୍ବୀକୃତି ନିଆଯିବ। ତା’ ପରେ ଏହି ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ଅସମୟରେ ହୋଇଥିବା ବାହାଘରରେ ମୁଖ୍ୟ ପୁରୋଧା ସାଜିଥିବା ବରିଷ୍ଠ ଓଏଏସ୍ ଅଫିସର୍ଙ୍କୁ କ୍ରାଇମ୍ବ୍ରାଞ୍ଚ ଜେରା କରିବ ବୋଲି ଜଣାପଡ଼ିଛି। କଡ଼ା କଟକଣା ଭିତରେ ବାହାଘର ଆୟୋଜନ କରିବାକୁ ସେ କିଭଳି ଓ କାହିଁକି ରିସ୍କ ନେଲେ? ଏଭଳି କାମ ପାଇଁ ତାଙ୍କୁ କେଉଁଠୁ ଚାପ ଥିଲା କି? ମୃତ୍ୟୁ ପୂର୍ବରୁ ସେ ଆଦିତ୍ୟ କିମ୍ବା ବିଦ୍ୟାଶ୍ରୀଙ୍କ ସହ ସମ୍ପର୍କରେ ଥିଲେ କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଶାରେ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।
ସେହିଭଳି ଗତ ୧୯ ତାରିଖରେ ପ୍ରଥମଥର ପାଇଁ ଆଦିତ୍ୟଙ୍କ ବାପାଙ୍କ ଫେସ୍ବୁକ୍ ଆକାଉଣ୍ଟ(ନନ୍ଦୀକିଶୋର ଦାଶ)ରେ ଏକ ଭିଡିଓ ଅପ୍ଲୋଡ୍ ହୋଇଥିଲା। ଏଥିରେ ଆଦିତ୍ୟ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଏଣୁତେଣୁ ଲେଖୁଥିବା ବ୍ୟବହାରକାରୀଙ୍କ ପାଇଁ ଆଦିତ୍ୟଙ୍କ ମା’ ଓ ବାପା କେତେକ ପରାମର୍ଶ ଦେଇଥିଲେ। ଏହା ସେଲ୍ଫି ଭିଡିଓ ନଥିଲା, ଅନ୍ୟଜଣେ ସୁଟିଂ କରିଥିଲେ। ୨୪ ଘଣ୍ଟା ମଧ୍ୟରେ ଆଦିତ୍ୟଙ୍କର ଆଉ କେତେକ ପ୍ରେରଣାଦାୟୀ ଭିଡିଓ ମଧ୍ୟ ଅପ୍ଲୋଡ୍ ହୋଇଛି। ପୂର୍ବରୁ ସୋସିଆଲ ମିଡିଆରେ କିଛି କହୁ ନଥିବା ଆଦିତ୍ୟଙ୍କ ବାପା, ମା’ ହଠାତ୍ କାହିଁକି ସକ୍ରିୟ ହେଲେ, ତାଙ୍କ ଆକାଉଣ୍ଟକୁ ସେ ଚଳାଉଛନ୍ତି ନା ଆଉ କିଏ ଚଳାଉଛି; ଏହାକୁ ନେଇ ମଧ୍ୟ କ୍ରାଇମ୍ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି।
କେମିତି ହୁଏ ପଲିଗ୍ରାଫ୍ ଟେଷ୍ଟ
ନିୟମାନୁଯାୟୀ, ଯାହାର ପଲିଗ୍ରାଫ୍ ଟେଷ୍ଟ କରାଯିବ, ତା’ ଯଥେଷ୍ଟ ପୂର୍ବରୁ ସେମାନଙ୍କର ସହମତି ଲୋଡ଼ାଯିବ। ଜଣେ ଜୁଡିସିଆଲ ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ସେମାନେ ଏହି ପରୀକ୍ଷା ପାଇଁ ରାଜି ବୋଲି ସ୍ବୀକୃତି ଦେବା ପରେ ହିଁ ପରୀକ୍ଷା କରାଯିବ। କିନ୍ତୁ ବାଧ୍ୟ କରି କିମ୍ବା ଜୋରଜବରଦସ୍ତି କରି କାହାର ଏହି ପରୀକ୍ଷା କରାଯାଇପାରିବ ନାହିଁ। ଓକିଲଙ୍କ ଉପସ୍ଥିତିରେ ଏହି ପଲିଗ୍ରାଫ୍ ଟେଷ୍ଟକୁ ଆନୁଷ୍ଠାନିକ ଭାବେ ରେକର୍ଡ କରାଯିବ। କେବଳ ତଦନ୍ତକାରୀ ଅଧିକାରୀ ବ୍ୟତୀତ ଅନ୍ୟ କାହାକୁ ଏହି ପରୀକ୍ଷାରେ ସୁଯୋଗ ଦିଆଯିବ ନାହିଁ। ଦୁଇଟି ପ୍ରଶ୍ନ ମଧ୍ୟରେ ଅତି କମ୍ରେ ୨୫ ସେକେଣ୍ଡର ଅନ୍ତର ରହିବ। ପ୍ରତି ପ୍ରଶ୍ନର ଉତ୍ତର ‘ହଁ’ କିମ୍ବା ‘ନା’ରେ ଦେବାକୁ ହେବ। ଝାଳ, ରକ୍ତଚାପ ଓ ନିଶ୍ବାସ ପ୍ରଶ୍ବାସ ଗତିବିଧିକୁ ମାପି ମେସିନ୍ ସତ/ମିଛ ଧରିବ।