ଭୁବନେଶ୍ୱର : ପୁଣି ଥରେ ଚର୍ଚ୍ଚାକୁ ଆସିଛି ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ଦୀର୍ଘ ଦିନ ହେବ କ୍ରାଇମ୍ବ୍ରାଞ୍ଚ ଏହାର ତଦନ୍ତ କରୁଥିଲେ ହେଁ ଆଖିଦୃଶିଆ ଅଗ୍ରଗତି କରି ନାହିଁ। ତଦନ୍ତରେ ଶିଥିଳତା ଆସି ଯାଇଥିବାରୁ ସିବିଆଇ ଏହାର ତଦନ୍ତ କରୁ ବୋଲି ଦାବି କରିଛି ସଂଗଠନ ପିପୁଲ ଫର ସେବା। ଏନେଇ ଆଜି ସଂଗଠନର ସଦସ୍ୟମାନେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତେବେ ଏହି ସ୍ମାରକପତ୍ରରେ ସିଧାସଳଖ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଟାର୍ଗେଟ୍ କରିଛି ପିପୁଲ ଫର ସେବା।
ସେମାନଙ୍କ ଅଭିଯୋଗ ମୁତାବକ, ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ୩ ମାସ ପୂରି ଯାଇଛି। ହେଲେ ମୃତ୍ୟୁର କାରଣକୁ ନେଇ କ୍ରାଇମ୍ବ୍ରାଞ୍ଚ କୌଣସି ନର୍ଯ୍ୟାସରେ ପହଞ୍ଚି ପାରୁନାହିଁ। ତଦନ୍ତ ପ୍ରକ୍ରିୟା ଆଦୌ ସନ୍ତୋଷଜନକ ନୁହେଁ। ଯେଉଁଭଳି ଭାବରେ ଆଦିତ୍ୟଙ୍କର ମୃତଦେହ ପଡ଼ିଥିଲା, ତାହା କେବେ ବି ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ନୁହେଁ। ଶରୀରରେ ଯେଉଁ ସବୁ କ୍ଷତଚିହ୍ନ ରହିଛି, ସେଥିରୁ ପ୍ରମାଣିତ ହେଉଛି କି ଆତ୍ମହତ୍ୟା ନୁହେଁ। ଆଦିତ୍ୟ ତାଙ୍କ ଡାଏରିରେ ସବୁକିଛି ଲେଖିଛନ୍ତି କିନ୍ତୁ ସେଥିରେ ବିଦ୍ୟାଶ୍ରୀ ହେରଫେର୍ କରିଛନ୍ତି। ବିଦ୍ୟାଶ୍ରୀ ହେଉଛନ୍ତି ପ୍ରଥମ ମହିଳା, ଯିଏ ଆଦିତ୍ୟଙ୍କ ମୃତଦେହ ଠାବ କରିଥିଲେ ଏବଂ ଘରକୁ ଖବର ଦେଇଥିଲେ। ମୃତ୍ୟୁ ପରେ ବିଦ୍ୟାଶ୍ରୀ ବିଭିନ୍ନ ସମୟରେ ଦେଇଥିବା ମନ୍ତବ୍ୟରେ ତାଳମେଳ ରହିନାହିଁ। ବିବାହ ପରେ ସେ ବିବ୍ରତ ଥିଲା, ମାନସିକ ଚାପରେ ଥିଲା, ସେ ନେଇ ପିପୁଲ ଫର ସେବା ସଦସ୍ୟଙ୍କୁ କହିସାରିଛି। ଏଣୁ ଏହା ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ନୁହେଁ। ଏହାର ସିବିଆଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସଂଗଠନ ପକ୍ଷରୁ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/aditya-das.jpg)