ଆଦିତ୍ୟ ଦାଶ ମୃତ୍ୟୁକୁ ବର୍ଷେ ପୂରିଲା: ହତ୍ୟା ନା ଆତ୍ମହତ୍ୟା, ଏବେ ବି ରହସ୍ୟ ଘେରରେ

କ୍ରାଇମବ୍ରାଞ୍ଚ ଦାଖଲ କରିସାରିଛି ଚୂଡ଼ାନ୍ତ ଚାର୍ଜସିଟ୍‌, ଫାଇଲ୍‌ ହେବ ପ୍ରୋଟେଷ୍ଟ ପିଟିସନ୍‌

ଭୁବନେଶ୍ବର: ଯୁବ ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ଆଜି ବର୍ଷେ ପୂରିଛି। ଗତବର୍ଷ ଆଜିର ତାରିଖରେ ସେ ଅଚାନକ ଘରୁ ନିଖୋଜ ହୋଇ ଯାଇଥିବାବେଳେ ପରଦିନ ରେଳ ଧାରଣାରୁ ତାଙ୍କ ମୃତଦେହ ମିଳିଥିଲା। ବିବାହର ମାତ୍ର ୨୭ ଦିନ ପରେ ତାଙ୍କର ଏଭଳି ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ନବବିବାହିତା ପତ୍ନୀ ବିଦ୍ୟାଶ୍ରୀ ଅଭିଯୋଗ କରିଥିଲେ। ପରେ ତାଙ୍କ ହାତଗଢ଼ା ସଂଗଠନ ‘ପ୍ୟୁପୁଲ ଫର୍ ସେବା’ ସମେତ କେତେକ ବ୍ୟକ୍ତିବିଶେଷ ମଧ୍ୟ ସମାନ ଅଭିଯୋଗ ଉଠାଇ ଏହାର ରହସ୍ୟ ଉନ୍ମୋଚନ ଲାଗି ଦାବି କରିଥିଲେ। ପ୍ରଥମେ ରେଳବାଇ ପୁଲିସ ଏହାର ତଦନ୍ତ କରିଥିଲେ ମଧ୍ୟ ମୃତ୍ୟୁ ପଛର କାରଣ ଖୋଜି ପାଇନଥିଲା। ପରେ କ୍ରା‌ଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେଇଥିଲା। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିଥିବା ଚୂଡ଼ାନ୍ତ ଚାର୍ଜସିଟ୍‌ରେ ଆଦିତ୍ୟ ରେଳଧାରଣାରେ ଆତ୍ମହତ୍ୟା କରିଥିବା କୁହାଯାଇଛି। ମାତ୍ର ଏହା ସାର୍ବଜନୀନ ହୋଇ ନ ଥିବାରୁ ଏବେବି ଆଦିତ୍ୟ ଏହି ମୃତ୍ୟୁ ରହସ୍ୟମୟ ହୋଇ ରହିଛି।

ଗତ ଜାନୁଆରି ମାସରେ କ୍ରାଇମବ୍ରାଞ୍ଚ ମାମଲାର ଫାଇନାଲ ଚାର୍ଜସିଟ୍‌ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ କରିସାରିଛି। ଏଥିରେ କ୍ରାଇମ୍‌ବ୍ରାଞ୍ଚ ଅଧିକ କିଛି କରିନାହିଁ। ବରଂ ଜିଆରପି ପ୍ରସ୍ତୁତ କରିଥିବା କାଗଜପତ୍ରକୁ ଉପସ୍ଥପନ କରିଛି ବୋଲି ଅଭିଯୋଗ କରିଛନ୍ତି ପ୍ୟୁପୁଲ ଫର ସେବା ଓକିଲ ନିହାର ରଞ୍ଜନ ଓଝା। ଏଣୁ ଆସନ୍ତାକାଲି କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଫାଇଲ ହେବ ବୋଲି ସେ କହିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଜିଆର୍‌ପିରେ ଅଭିଯୋଗ ହୋଇଥିଲା। ହେଲେ ଜିଆରପି ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ ପାଇବାରୁ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ଯାଇଥିଲା। ହେଲେ କ୍ରାଇମ୍‌ବ୍ରାଞ୍ଚ ବିଶେଷ କିଛି କସରତ କରିନାହିଁ। ମାମଲାକୁ ‌ଯେନତେନ ପ୍ରକାରେଣ ସାରିଦେବାକୁ ଉଦ୍ୟମ କରିଛି। ଆଦିତ୍ୟଙ୍କ ମା’, ବାପା ଓ ପତ୍ନୀ ବିଦ୍ୟାଶ୍ରୀ ବିଧିବଦ୍ଧ ଭାବରେ ଥାନାରେ ଅଭିଯୋଗ କରିନଥିଲେ ମଧ୍ୟ ପ୍ୟୁପୁଲ ଫର ସେବା ପକ୍ଷରୁ ୭ ଜଣ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ହେଲେ ଜିଆରପି ପ୍ରୀତମ୍‌ ମିଶ୍ରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିବାବେଳେ ଅନ୍ୟ ୬ ଜଣଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିନଥିଲା। ଏମାନଙ୍କର ବୟାନ ମଧ୍ୟ ରେକର୍ଡ କରିନଥିଲା। ଫାଇନାଲ ଚାର୍ଜସିଟ୍‌ରେ କ୍ରାଇମ୍‌ବ୍ରାଞ୍ଚ ଏହି ମୃତ୍ୟୁକୁ ଆତ୍ମହତ୍ୟା ରୂପ ଦେଇଛି। କିନ୍ତୁ ବିବାହର ମାତ୍ର ୨୭ ଦିନରେ ସେ କାହିଁକି ଆତ୍ମହତ୍ୟା କଲେ କିମ୍ବା ତାଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ ତାକୁ ମଧ୍ୟ ଖୋଜି ବାହାର କରିବାର ଅଛି ବୋଲି ଶ୍ରୀ ଓଝା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆଦିତ୍ୟ ଯେଉଁ ଡାଏରି ଲେଖିଥିଲେ ସେଥିରେ ବିଦ୍ୟାଶ୍ରୀ ମଧ୍ୟ ଦୁଇ ଫର୍ଦ୍ଦ ଲେଖିଥିଲେ। ହେଲେ ଏହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ଜବତ ତାଲିକାରେ ମଧ୍ୟ ଏହି ଦୁଇ ଫର୍ଦ୍ଦ ନାହିଁ। କଲ୍‌ ଡିଟେଲ୍ସ ମଧ୍ୟ ସଂଗ୍ରହ କରା ଯାଇନାହିଁ। ଯେଉଁ ସିସିଟିଭି କଥା ଫାଇନାଲ ଚାର୍ଜସିଟ୍‌ରେ ଅଛି, ସେଥିରେ କେବଳ ଆଦିତ୍ୟଙ୍କର କଲ୍‌ ଅଛି, ହେଲେ ବିଦ୍ୟାଶ୍ରୀଙ୍କର ନାହିଁ। ଏଣୁ ତଦନ୍ତ ଅସମ୍ପୂର୍ଣ୍ଣ ଲାଗୁଛି। ସେଥିପାଇଁ ସିଆରପିସିର ଧାରା ୨୧୦ ବଳରେ ଏହି ପିଟିସନ୍‌ ଦାଖଲ କରିବେ ଏବଂ କୋର୍ଟ ଚାହିଲେ ନିଜଆଡ଼ୁ ଏହାର ଶୁଣାଣି କରିପାରିବେ ବୋଲି ଶ୍ରୀ ଓଝା କହିଛନ୍ତି।

ସମ୍ବନ୍ଧିତ ଖବର