ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା, ହସ୍ତାକ୍ଷର କରିବ ପର୍ଦ୍ଦାଫାସ୍

ତୁରନ୍ତ ରିପୋର୍ଟ ଦେବା ପାଇଁ ଚିଠି ଲେଖିଲା ଜିଆରପି

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ୧୫ ଦିନ ବିତି ଯାଇଥିବା ବେଳେ ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ବିଭିନ୍ନ ଦିଗକୁ ଆଧାର କରି ଜିଆରପି ତଦନ୍ତ କରି ସାରିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା, ମା’, ଶ୍ବଶୁର ଘର ଲୋକ, ପିପୁଲ୍ସ ଫର୍ ସେବା ସଦସ୍ୟ, ସାଙ୍ଗସାଥୀଙ୍କୁ ମିଶାଇ ପ୍ରାୟ ୧୫ରୁ ଅଧିକ ଲୋକଙ୍କୁ ଜେରା କରି ସାରିଲାଣି ପୁଲିସ। ୫୦ ପୃଷ୍ଠାରୁ ଅଧିକ ଦସ୍ତାବିଜ୍ ମଧ୍ୟ ପ୍ରସ୍ତୁତ କରି ସାରିଲାଣି। ଜବତ ସୁଇସାଇଡାଲ୍ ନୋଟର ହସ୍ତାକ୍ଷର ମାମଲାର ପର୍ଦ୍ଦାଫାସ୍ କରିବ ବୋଲି କୁହାଯାଉଛି।

ଏହି ହସ୍ତାକ୍ଷର ଆଦିତ୍ୟଙ୍କର ନା ଆଉ କାହାର ତାହା ଜାଣିବା ପାଇଁ ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନସିକ୍ ଲାବରେଟୋରି ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ଜବତ ଡାଏରି ପଠାଯାଇଛି। ରିପୋର୍ଟ ତୁରନ୍ତ ପ୍ରଦାନ କରିବା ଲାଗି ବ୍ୟୁରୋକୁ ଜିଆରପି ପକ୍ଷରୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ଆଦିତ୍ୟଙ୍କୁ ହତ୍ୟା କରି ଟ୍ରେନ୍ ଲାଇନରେ ଫିଙ୍ଗି ଦିଆଯାଇଥିବା ନେଇ ସୋସିଆଲ୍ ମିଡିଆରେ ଅଭିଯୋଗ ମଧ୍ୟ ଆସୁଛି। ଘଟଣାଦିନ ଆଦିତ୍ୟଙ୍କୁ କାରରେ କିଏ ଷ୍ଟେସନକୁ ପଠାଇଥିଲା ବୋଲି ଶୁଭାଶିଷ ଷଡ଼ଙ୍ଗୀ ନାମକ ଯୁବକ ଫେସବୁକରେ ପ୍ରଶ୍ନ ଉଠାଇଛନ୍ତି। ସେ ଆଦିତ୍ୟଙ୍କ ମୃତ୍ୟୁ ପରଠାରୁ ଏକାଧିକ ପୋଷ୍ଟ କରିଛନ୍ତି। ବିଭିନ୍ନ ତଥ୍ୟ, ବିଭିନ୍ନ ଦିଗକୁ ଆଧାର କରି ସେ ଏକାଧିକ ପୋଷ୍ଟ କରୁଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ନିକଟରେ କିଛି ତଥ୍ୟ ରହିଛି କି? ଜିଆରପି ତାଙ୍କୁ ପଚରାଉଚରା କରିବ କି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର