ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଫେସ୍‌ବୁକକୁ ଚିଠି ଲେଖିଲା କ୍ରାଇମ୍‌ବ୍ରାଞ୍ଚ

ଉଠିଲା ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଫେସ୍‌ବୁକକୁ ଚିଠି ଲେଖିଛି। ଆଦିତ୍ୟଙ୍କ ଫେସ୍‌ବୁକ୍‌ ଚାଟ୍ ବିବରଣୀ, ଲଗ୍‌ଇନ୍‌ ବିବରଣୀ, ଆଇପି ଠିକଣା, ଉପଭୋକ୍ତା ପଞ୍ଜୀକରଣ ବିବରଣୀ ପାଇଁ ଫେସ୍‌ବୁକର ଲ’ ଏନ୍‌ଫୋର୍ସମେଣ୍ଟ ବିଭାଗକୁ ଚିଠି ଲେଖିଛି କ୍ରାଇମ୍‌ବ୍ରାଞ୍ଚ। ତାଙ୍କ ଫେସ୍‌ବୁକ୍‌ ଅନ୍ୟ କେହି ପରିଚାଳନା କରିଥିବା ନେଇ ସନ୍ଦେହ ପ୍ରକାଶ ପାଇବା ପରେ କ୍ରାଇମ୍‌ବ୍ରାଞ୍ଚ ଏହି ପଦକ୍ଷେପ ନେଇଛି। ଶେଷ ପୋଷ୍ଟକୁ ଅନ୍ୟ କେହି ଲେଖିଛି କିମ୍ବା ପୂର୍ବରୁ କିଏ ଏହାକୁ ହ୍ୟାଣ୍ଡେଲ କରୁଥିବା ବାବଦରେ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ସିଆରପିସି ୯୧ ବଳରେ ଏହି ଚିଠି ଲେଖିଛି। କିନ୍ତୁ କ୍ରାଇମ୍‌ବ୍ରାଞ୍ଚର ଏସବୁ ପଦକ୍ଷେପ ସତ୍ତ୍ବେ ପିପୁଲ୍‌ସ ଫର ସେବାର ସଦସ୍ୟମାନେ ଓ ଜରାଶ୍ରମର ଅନ୍ତେବାସୀମାନେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।

‘ମୃତ୍ୟୁ ଯେବେ ଆସେ ଧୀରେ ଧୀରେ ଆସେ, କେହି ଜାଣି ପାରନ୍ତି ନାହିଁ।’ ଫେସ୍‌ବୁକ୍‌ରେ ଆଦିତ୍ୟଙ୍କର ଏହି ଶେଷ ପୋଷ୍ଟ ପ୍ରଥମରୁ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏଥିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲା। କିନ୍ତୁ ପରେ ମାମଲାର ମୋଡ଼ ଭିନ୍ନ ଭିନ୍ନ ଦିଗକୁ ମାଡ଼ିଯିବା ପରେ ଏହି ପୋଷ୍ଟ ଆଦିତ୍ୟଙ୍କର ନିଜ ଲେଖା ନୁହେଁ ବୋଲି ସନ୍ଦେହ ଘନେଇଥିଲା। ଏମିତି ପୋଷ୍ଟ କରି ତାଙ୍କ ହତ୍ୟାକାଣ୍ଡକୁ କେହି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ବୋଲି ସନ୍ଦେହ କରାଯାଇଥିଲା। ତେଣୁ କ୍ରାଇମ୍‌ବ୍ରାଞ୍ଚ ଏହା ଉପରେ ଗୁରୁତ୍ବ ଦେଇଛି। ତେଣୁ ଶେଷ ପୋଷ୍ଟ ପ୍ରକୃତରେ ଆଦିତ୍ୟ ଲେଖିଥିଲେ ନା ଅନ୍ୟ କେହି ଲେଖିଥିଲା, ତାହା ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଫେସ୍‌ବୁକ୍‌ ଉତ୍ତରକୁ ଅପେକ୍ଷା କରିଛି।

ଏହା ବ୍ୟତୀତ କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟଙ୍କ ଦୁଇଟି ମୋବାଇଲ୍ ଫୋନ୍‌ର କଲ୍ ଡିଟେଲ୍ସ ରେକର୍ଡ (ସିଡିଆର) ମଧ୍ୟ ମଗାଇଛି। ପାଖାପାଖି ୧୦ ମାସର କଲ୍‌ ରେକର୍ଡ ଦାଖଲ କରିବା ପାଇଁ ସମ୍ପୃକ୍ତ ମୋବାଇଲ ଅପରେଟରମାନଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ତାଙ୍କ ପତ୍ନୀ, ବନ୍ଧୁ ଏବଂ ଏନ୍‌ଜିଓର ସଦସ୍ୟମାନଙ୍କ କଲ୍ ବିବରଣୀ ମଧ୍ୟ ସ୍କାନ୍‌ କରାଯିବ ବୋଲି ଜଣାପଡ଼ିଛି। ସାଇବର ବିଶେଷଜ୍ଞମାନେ ଏହି ସବୁ କାର୍ଯ୍ୟରେ ଲାଗିଛନ୍ତି। ଆଦିତ୍ୟଙ୍କ ଫୋନ୍‌ରୁ ଡିଲିଟ ହୋଇଥିବା କଲ ଲଗ୍, ଚାଟ୍‌ ଓ କଲ୍‌ ରେକର୍ଡ ଆଦିକୁ ପୁନରୁଦ୍ଧାର କରାଯାଉଛି ବୋଲି ସୂଚନା ମିଳୁଛି। ମୃତ୍ୟୁ ଘଟଣାକୁ ୪୫ ଦିନ ବିତିଯାଇଥିଲେ ମଧ୍ୟ ରହସ୍ୟ ଉନ୍ମୋଚନ ହୋଇପାରୁନଥିବାରୁ ପିପୁଲ୍‌ସ ଫର୍‌ ସେବାର ସଦସ୍ୟ ଓ ଜରାଶ୍ରମର ଅନ୍ତେବାସୀମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଆଦିତ୍ୟ ମଦ ବିରୋଧୀ ଆନ୍ଦୋଳନ‌ର ପୁରୋଧା ଥିବାରୁ ତାଙ୍କ ମୃତ୍ୟୁ ପଛରେ ଅନ୍ୟ କାହାର ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର