‘ବାପା-ମା’ଙ୍କ ମୁହଁ ଦେଖିଥିଲେ ଏଭଳି ଭୁଲ ନିଷ୍ପତ୍ତି ନେଇପାରି ନଥାନ୍ତି’
ପୁଅ ଆତ୍ମହତ୍ୟା କରିଥିବା କଥା ମାନୁନାହାନ୍ତି ମା’
ହାତଲେଖା ଆଦିତ୍ୟଙ୍କର କି ନୁହେଁ ଯାଞ୍ଚ ହେବ: ପୁଲିସ

Advertisment

ଭୁବନେଶ୍ବର : ‘ମୃତ୍ୟୁ କେଉଁ ବାଟରେ କାହା ପାଖକୁ ଆସେ କେହି କହିପାରନ୍ତି ନାହିଁ। ଠିକ୍‌ ଯେମିତି ମୋ ପାଖରେ ପହଞ୍ଚିଯାଇଛି। ମୋ ଶେଷ ଇଚ୍ଛା ପୂରଣ କରିବ। ବୃଦ୍ଧାଶ୍ରମ ପାଇଁ ଜମି କିଣିବ।.... ସରକାରଙ୍କ ସହ ପଙ୍ଗା ନେବାକୁ ହେଲେ ନିଜକୁ ସବୁ କ୍ଷେତ୍ରରେ ମଜବୁତ କରିବାକୁ ପଡ଼ିବ। ନହେଲେ ସେମାନେ ଜିନା ମୁସ୍କିଲ କରିଦେବେ। ....ଦେଶରୁ ମଦ ବନ୍ଦ ହୋଇଗଲେ ମୋ ଆତ୍ମାକୁ ଶାନ୍ତି ମିଳିବ।..... ଅନେକ କିଛି କରିବାକୁ ଇଚ୍ଛା‌ ଥିଲା। ହେଲେ ସମ୍ଭବ ହେଲାନି। ବାପା ମା’ଙ୍କ ମୁହଁକୁ ଚାହି ଦେଇଥିଲେ ମୁଁ ଏଭଳି ଭୁଲ ନିଷ୍ପତ୍ତି ନେଇପାରି ନଥାନ୍ତି। ସେମାନେ କାଲି ଆସୁଛନ୍ତି। ହେଲେ ତା ପୂର୍ବରୁ ହୁଏତ ମୁଁ ନ ଥିବି। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି।’

publive-image

ଗତକାଲି ସ‌ନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ମୋଟିଭେଟର ‘ମାନବପ୍ରେମୀ’ ଆଦିତ୍ୟଙ୍କ ଡାଏରିରେ ରହିଛି ଏମିତି ୪ ପୃଷ୍ଠାର ସୁଇସାଇଡ୍‌ ନୋଟ୍। ଯାହାକୁ ଜବତ କରିଛି ରେଳବାଇ ପୁଲିସ। ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ଏହି ସୁଇସାଇଡ୍‌ ନୋଟ୍‌ ସ୍ପଷ୍ଟ କରୁଥିଲେ ମଧ୍ୟ ଏହି ହାତ ଲେଖା ଆଦିତ୍ୟଙ୍କର କି ନୁହେଁ; ତାହା ଯାଞ୍ଚ ହେବ ବୋଲି କହିଛି ରେଳବାଇ ପୁଲିସ। ଅନ୍ୟପଟେ ଅନ୍ୟକୁ ବଞ୍ଚିବା ଶିଖାଉଥିବା ଏକମାତ୍ର ପୁଅର ଆତ୍ମହତ୍ୟାକୁ ଗ୍ରହଣ କରିପାରି ନାହାନ୍ତି ଆଦିତ୍ୟଙ୍କ ମା’। ‘ମୋ ପୁଅ ‌କୌଣସି ପରିସ୍ଥିତିରେ ଆତ୍ମହତ୍ୟା କରିପାରିବନି’ ବୋଲି କହିଛନ୍ତି ତାଙ୍କ ମା’ ପଦ୍ମାଳୟା। ଏମିତି କଥା ନାହିଁ ଯାହା ମତେ ପୁଅ କୁହେନି। ୮ ଦିନ ପାଇଁ ଗାଁ’କୁ ଯାଇଥିଲି। ସେଇଦିନ ରାତିରେ କଥା ହେଇଛି ସକାଳେ ଯାଉଛି ବୋଲି। ଏତେବଡ଼ କଥା ହେଇଗଲା, ପୁଅ ଟିକେ ମତେ କହିଲାନି? ମୋ ପୁଅ ଏମିତି ମରିପାରିବନି। କିଏ ତାକୁ ମାରିଦେଇଛି ନିଶ୍ଚୟ ବୋଲି କହିବା ବେଳେ ପାଟି ଖନି ମାରିଯାଉଥିଲା ମା’ ପଦ୍ମାଳୟାଙ୍କର।

ଜିଆରପି ଏସ୍‌ପି ଅଶୋକ ବିଶ୍ବାଳ ଆଦିତ୍ୟଙ୍କ ଭଡ଼ାଘରୁ ଏହି ଡାଏରି ଜବତ କରିବା ସହ ପରିବାରର ଅନ୍ୟ ସଦସ୍ୟ ଓ ବୃଦ୍ଧାଶ୍ରମରୁ ବୟାନ ରେକର୍ଡ କରିଛନ୍ତି। ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ବି କରିଛନ୍ତି। ଆଦିତ୍ୟଙ୍କର ମୋବାଇଲ ଜବତ କରାଯାଇଛି। ତାଙ୍କ ପାଖକୁ ଆସୁଥିବା ଫୋନ୍‌ କଲ୍‌ ସହ ପତ୍ନୀଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରାଯାଉଛି। ଡାଏରିରେ ଥିବା ଲେଖା ଆଦିତ୍ୟଙ୍କର କି ନୁହେଁ ତାହା ଯାଞ୍ଚ ହେବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ଯାହା କୁହାଯାଇ ପାରିବ। ତେବେ ପ୍ରାଥମିକ ତଦନ୍ତରେ ଏହା ଏକ ଆତ୍ମହତ୍ୟା ବୋଲି ସେ କହିଛନ୍ତି।