ଆଦିତ୍ୟ ମୃତ୍ୟୁ ମାମଲା : ସ୍ୱୀକାର କଲେ ଚିନ୍ମୟୀ, ହାତ କାଟିବାକୁ ଧମକ ଦେଇଥିଲେ

ବିଦ୍ୟାଶ୍ରୀ ଆସିବା ପରେ ଆଦିତ୍ୟ-ଚିନ୍ମୟୀଙ୍କ ସଂପର୍କ ଭାଙ୍ଗି ଯାଇଥିଲା!

ଭୁବନେଶ୍ୱର/ବାଲେଶ୍ୱର : ଗତକାଲି ଗଣମାଧ୍ୟମ ଆଗରେ ନିଜ ହାତ ଦେଖାଇ ‘କଟାଦାଗ ଖୋଜ’ ବୋଲି କହୁଥିବା ଆଦିତ୍ୟଙ୍କ ପୁରାତନ ବାନ୍ଧବୀ ଚିନ୍ମୟୀ ଆଜି ସ୍ବର ବଦଳାଇଛନ୍ତି। ଆଦିତ୍ୟ ଓ ତାଙ୍କ ସଂପର୍କ‌‌ରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ସେ ନିଜ ହାତ କାଟିଦେବେ ବୋଲି ଆଦିତ୍ୟଙ୍କୁ ଧମକ ଦେଇଥିବା ସ୍ବୀକାର କରିଛନ୍ତି। କିନ୍ତୁ ରାଗିକି ନୁହେଁ, ମଜା‌ରେ ସେ ଏହା କହିଥିଲେ ବୋଲି କହିଛନ୍ତି। ସେହିପରି ଆଦିତ୍ୟ ଆଉ କାହାକୁ ବାହା ହୋଇଯାଉଥିବାରୁ ସେ ଗଭୀର ମାନସିକ ଯନ୍ତ୍ରଣା ପାଇଥିଲେ। ଏଥିପାଇଁ ସେ ଔଷଧର ସାହାରା ନେଉଥିବା କହିଛନ୍ତି। ଆଦିତ୍ୟଙ୍କ ବାପା ନନ୍ଦିକିଶୋର ଓ ମା’ ପଦ୍ମାଳୟା ଆଣିଥିବା ଅଭିଯୋଗକୁ ଗତକାଲି ସଫା ସଫା ଫାଙ୍କି ଦେଇଥିବା ଚିନ୍ମୟୀଙ୍କ ଆଜି ଏପରି ପଟ ପରିବର୍ତ୍ତନ ପ୍ରସଙ୍ଗକୁ ଜଟିଳ କରିଛି।

ଅନ୍ୟପଟେ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ତାଙ୍କର ସଂପୃକ୍ତି କ’ଣ ରହିଛି, ସେନେଇ କନକ ନ୍ୟୁଜ୍‌ରେ ମୁହଁ ଖୋଲିଛନ୍ତି ଚିନ୍ମୟୀ। ସେ କହିଛନ୍ତି, ଏହି ଘଟଣା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଆଦିତ୍ୟଙ୍କୁ ଭଲ ପାଉଥିଲେ ଏବଂ ଏହି ପ୍ରେମ ଦୁଇପାଖିଆ ଥିଲା। କିନ୍ତୁ କନକ ଷ୍ଟୁଡିଓରେ ଉପସ୍ଥିତ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଏହାକୁ ଅସ୍ୱୀକାର କରିଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ପାଇଁ ସେ ଚିନ୍ମୟୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ପ୍ରେମରେ ବିଫଳ ହେବା ପରେ ସେ ଆଦିତ୍ୟଙ୍କୁ ବାରମ୍ବାର ଧମକାଇବା ସହ ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ଚିନ୍ମୟୀ କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ‌ସେହିପରି ଆଜି ଏକ କଲ୍‌ ରେକର୍ଡ ଭାଇରାଲ ହୋଇଛି। ସେଥିରେ ଚିନ୍ମୟୀଙ୍କର କଣ୍ଠସ୍ବର ରହିଥିବା ନେଇ ଚର୍ଚ୍ଚା ହେଉଛି। ଅଡିଓରେ ଯୁବତୀଜଣଙ୍କ ନିଜକୁ ମାନସିକ ରୋଗୀ ବୋଲି କହିଛନ୍ତି। ୪ବର୍ଷ ହେବ ସେ ମାନସିକ ଦୁଶ୍ଚିନ୍ତାରେ ରହିଥିବା ସ୍ବୀକାର କରୁଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ଖବର ପାଇବା ପରେ ସେ ପାଗଳ ଭଳି ହୋଇଥିଲେ। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଟେନ୍‌ସନ୍‌ରେ ଥିଲେ ବୋଲି ଏହି ଅଡିଓରେ ରହିଛି। ତେବେ ଏହା ଉପରେ ଚିନ୍ମୟୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ବିଦ୍ୟାଶ୍ରୀ ଆସିବା ପରେ ଆଦିତ୍ୟ-ଚିନ୍ମୟୀଙ୍କ ସଂପର୍କ ଭାଙ୍ଗି ଯାଇଥିଲା!
୨୦୧୯ ଅଗଷ୍ଟରେ ଚିନ୍ମୟୀଙ୍କ ସଂସ୍ପର୍ଶରେ ଆସିଥିଲେ ଆଦିତ୍ୟ। ଏହାପରେ ସେ ଭୁବନେଶ୍ବର ଆଶ୍ରମ ଆସିଥିଲେ। ପ୍ରେମ ସମ୍ପର୍କ ଥିଲା ବୋଲି ଆଦିତ୍ୟ ସ୍ବୀକାର କରିଥିଲେ। ତେବେ କ’ଣ ହେଲା କେଜାଣି ଡିସେମ୍ବରରେ ଫାଟ ଆସିଥିଲା। ଏହାପରେ ବିଦ୍ୟାଶ୍ରୀ ଆସିଥିଲେ। ତାଙ୍କ ସହ ଟିକ୍‌ଟକ୍‌ ଭିଡିଓରୁ ଆରମ୍ଭ ହୋଇଥିଲା ପ୍ରେମ। ଜାନୁଆରିରୁ ମାର୍ଚ୍ଚ, ମାତ୍ର ତିନିମାସରେ ‌ଆଦିତ୍ୟ ତରବରିଆ ଭାବେ ତାଙ୍କ ବିବାହ କରିଥିଲେ। ବିଦ୍ୟାଶ୍ରୀ କହୁଥିଲେ, ‘ଅନେକ ଝିଅ ତାଙ୍କ ପଛରେ ପଡ଼ିଥିଲେ, ହେଲେ ସେ ମତେ ଜୀବନ ସାଥୀ ବାଛିଲେ।’ ଆଦିତ୍ୟଙ୍କ ଘନିଷ୍ଠ ବନ୍ଧୁ ତଥା ପିପୁଲ ଫର ସେବାର ସଦସ୍ୟ ପପୁଙ୍କ କହିବା ମୁତାବକ, ଚିନ୍ମୟୀଙ୍କ ସହ ଆଦିତ୍ୟଙ୍କର ପ୍ରେମ ସମ୍ପର୍କ ଥିଲା। ଆଦିତ୍ୟଙ୍କ ଏହି ପ୍ରେମ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର