ଆଦିତ୍ୟ ମୃତ୍ୟୁ ମାମଲା : ଆସିଲା ପଲିଗ୍ରାଫ୍‌ ଟେଷ୍ଟ୍‌ ରିପୋର୍ଟ, ରହସ୍ୟ ଉପରୁ ପରଦା ଶୀଘ୍ର ଉଠିବ!

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାରେ ହୋଇଥିବା ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ଆଜି କ୍ରାଇମ୍‌ବ୍ରାଞ୍ଚ ହାତକୁ ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପପୁ, ଦୀପକଙ୍କର ହୋଇଥିବା ପଲିଗ୍ରାଫ୍‌ ଟେଷ୍ଟର ରିପୋର୍ଟ ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବ୍‌ ଆଜି କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଛି। ରିପୋର୍ଟ ପାଇବା ପରେ ତଦନ୍ତର ବେଗ ତ୍ବରାନ୍ବିତ ହେବ। ଯଦିଓ ରିପୋର୍ଟ ନେଇ କ୍ରାଇମ୍‌ବ୍ରାଞ୍ଚ ଏଯାଏ କିଛି ସୂଚନା ଦେଇନାହିଁ ତେବେ ସମସ୍ତ ସଦସ୍ୟ ସତ କହିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ପଚରା ଯାଇଥିବା ପ୍ରଶ୍ନର ଯେଉଁ ଉତ୍ତର ଥିଲା ସେହିସବୁ ଉତ୍ତର ଏହି ସଦସ୍ୟମାନେ ଦୃଢ଼ତାର ସହ ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଯାହା ଜାଣିବାକୁ ଚାହୁଁଥିଲା ତାହା ପାଇଥିବା କୁହାଯାଉଛି। ଏଣୁ ମୃତ୍ୟୁ ରହସ୍ୟ ଉପରୁ ଖୁବ୍‌ଶୀଘ୍ର ପରଦା ହଟିବା ନେଇ ଆଶା କରାଯାଉଛି।

ଅନ୍ୟପଟେ ଆଜି ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓଟିରେ ଆଦିତ୍ୟ ଓ ତାଙ୍କ ତତ୍‌କାଳୀନ ପ୍ରେମିକା ଚିନ୍ମୟୀ ରହିଛନ୍ତି। ଭିଡିଓଟିକୁ ଆଉ ଜଣେ ସୁଟିଂ କରୁଛନ୍ତି। ଭିଡିଓରେ ଆଦିତ୍ୟ ଓ ଚିନ୍ମୟୀ ତଳେ ବସି ଏକାଠି ଖାଉଛନ୍ତି। ଆଦିତ୍ୟ ଚିନ୍ମୟୀଙ୍କୁ ଖୁଆଇ ଦେଉଛନ୍ତି। ସମଗ୍ର ଭିଡିଓଟିକୁ ଦେଖିଲେ ଲାଗୁଛି କି ଆଦିତ୍ୟ ଓ ଚିନ୍ମୟୀଙ୍କ ପ୍ରେମ ଏକତରଫା ନଥିଲା। ପୂର୍ବରୁ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା ନନ୍ଦକିଶୋର ଏହାକୁ ଏକତରଫା କହୁଥିବା ବେଳେ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଚିନ୍ମୟୀଙ୍କୁ ଦାୟୀ କରୁଥିଲେ। ଏହି ସବୁ ପ୍ରମାଣ ଏବେ ଅଭିଯୋଗକୁ ହାଲୁକା କରିଛି। ତେବେ କେବଳ ଏହି ଘଟଣା ନୁହେଁ; ବରଂ ଆଦିତ୍ୟଙ୍କର ଆହୁରି କିଛି ପ୍ରେମ ସମ୍ପର୍କକୁ ନେଇ ଚର୍ଚା ଆରମ୍ଭ ହୋଇଛି।

ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଚିନ୍ମୟୀଙ୍କ ଛଡ଼ା ଅନ୍ୟ ଦୁଇ ଜଣ ଝିଅଙ୍କ ସହ ଆଦିତ୍ୟଙ୍କର ଘନିଷ୍ଠତା ଥିଲା। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ହେଉଛନ୍ତି ସାଲେପୁରର। ତେବେ ଅଳ୍ପ ଦିନ ମଧ୍ୟରେ ସେମାନଙ୍କର ସମ୍ପର୍କ ଛିନ୍ନ ହୋଇଥିଲା। ସମ୍ପର୍କ ଭାଙ୍ଗି ଯିବା ପରେ ମଧ୍ୟ ସମ୍ପୃକ୍ତ ଯୁବତୀଙ୍କ ବାହାଘରକୁ ସାଲେପୁର ଯାଇଥିଲେ ଆଦିତ୍ୟ। ଆଉ ଜଣେ ଯୁବତୀଙ୍କ ସହ ମଧ୍ୟ ଆଦିତ୍ୟଙ୍କର ସମ୍ପର୍କ ରହିଥିଲା। ସମ୍ପର୍କ ଆଗକୁ ବଢ଼ୁଥିବା ବେଳେ ଏକ ବିବାଦ ଉଠିଥିଲା। ଆଶ୍ରମର ପୂର୍ବତନ କୋଷାଧ୍ୟକ୍ଷ ପଲକଙ୍କ ସହ ଆଦିତ୍ୟଙ୍କର ପଡ଼ିନଥିଲା। ଉଭୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ଉଗ୍ର ରୂପ ନେଇଥିବା ବେଳେ ମାତ୍ର କିଛି ଦିନ ମଧ୍ୟରେ କୋଷାଧ୍ୟକ୍ଷ ପଦରୁ ପଲକଙ୍କୁ ହଟାଇ ଦେଇଥିଲେ ଆଦିତ୍ୟ। ଏହି ଝିଅଙ୍କ ପାଇଁ ଗଣ୍ଡଗୋଳ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ପଲକଙ୍କ ସହ ଝଗଡ଼ା ପରେ ଆଦିତ୍ୟଙ୍କର ସମ୍ପୃକ୍ତ ଯୁବତୀଙ୍କ ସହ ମଧ୍ୟ ସମ୍ପର୍କ ଛିନ୍ନ ହୋଇଥିଲା।

ତେବେ ଏ ସମସ୍ତ ପ୍ରସଙ୍ଗ କେବଳ ଚର୍ଚ୍ଚାରେ ରହିଛି। ତଦନ୍ତରେ ଏସବୁର ବିଶେଷ କିଛି ମୂଲ୍ୟ ରହିନଥିବା ସ୍ପଷ୍ଟ ହୋଇଛି। ଆଜି ପର୍ଯ୍ୟନ୍ତ ଏହି ଯୁବତୀଙ୍କ କଥା ହେଉ ବା ଫେସ୍‌ବୁକ୍‌ରେ ଆଦିତ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଶ୍ରୀଙ୍କ ହାତ ବୋଲି ସିଧାସଳଖ ଦୋଷ‌ାରୋପ କରୁଥିବା ଶୁଭାଶିଷ ଷଡ଼ଙ୍ଗୀଙ୍କ ପ୍ରସଙ୍ଗ ହେଉ, କିଛି ବି ତଦନ୍ତ ପରିସରଭୁକ୍ତ ହୋଇ ନାହିଁ। ଏହି ପଲିଗ୍ରାଫ୍‌ ଟେଷ୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିବା ସହ ଖୁବ୍‌ଶୀଘ୍ର କଳ୍ପନାଜଳ୍ପନାର ଅନ୍ତ ଘଟିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର