ଭୁବନେଶ୍ୱର : ବହୁଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଏବେ ନୂଆ ମୋଡ଼ ଆସିଛି। ସୋସିଆଲ ମିଡିଆରେ ବିଦ୍ୟାଶ୍ରୀଙ୍କୁ ଦୋଷୀ ସଜାଇ ଭିଡିଓ ଅପ୍ଲୋଡ୍ କରୁଥିବା ଶୁଭାଶିଷ ଷଡ଼ଙ୍ଗୀଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି। ଆଦିତ୍ୟ ମୃତ୍ୟୁ ମାମଲାରେ ସେ ସୋସିଆଲ ମିଡିଆରେ ମୁହଁ ଖୋଲିବେ ନାହିଁ ବୋଲି ହାଇକୋର୍ଟ ତାଙ୍କୁ ନୋଟିସ କରିଛନ୍ତି। ଏହାପରେ ସେ ପୂର୍ବରୁ ଅପ୍ଲୋଡ୍ କରିଥିବା ସମସ୍ତ ଭିଡିଓ ଫେସ୍ବୁକ୍ରୁ ଡିଲିଟ୍ କରିଛନ୍ତି।
ଆଦିତ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଶ୍ରୀଙ୍କ ହାତ ଅଛି ବୋଲି ସିଧାସଳଖ କହି ଶୁଭାଶିଷ ଫେସ୍ବୁକ୍ରେ ଭିଡିଓ ଅପ୍ଲୋଡ୍ କରୁଥିଲେ। ଦୀର୍ଘ ଦିନ ଧରି ଏଭଳି ୩୦ରୁ ଊର୍ଦ୍ଧ୍ବ ଭିଡିଓ ଅପ୍ଲୋଡ୍ କରିବା ପରେ ବିଦ୍ୟାଶ୍ରୀ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏୟାରଫିଲ୍ଡ ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଏଣୁ ବିଦ୍ୟାଶ୍ରୀ ବାଧ୍ୟ ହୋଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅପିଲ କରିବା ସହ ଶୁଭାଶିଷଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ।
ଅନ୍ୟପଟେ ଏହି ଘଟଣାକୁ ନେଇ ଏବେ ଆଦିତ୍ୟଙ୍କ ଫ୍ୟାନ୍ ଓ ଶୁଭାଶିଷଙ୍କ ଫ୍ୟାନ୍ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ହାଇକୋର୍ଟଙ୍କ ଆଦେଶକୁ ନାପସନ୍ଦ କରି ଭିଡିଓ ଅପ୍ଲୋଡ୍ କରିଛନ୍ତି। ଏଭଳି ୩ ଜଣ ଯୁବକ ଲଗାତାର ଭିଡିଓ ଅପ୍ଲୋଡ୍ କରିବାରେ ଲାଗିଛନ୍ତି। ଏମାନଙ୍କ ଉପରେ ହାଇକୋର୍ଟଙ୍କ ଛାଟ ବାଜିବା ନେଇ ଆଶଙ୍କା ପ୍ରକାଶ ପାଇଛି।