ଭୁବନଶ୍ବେର: ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ଜବତ ହୋଇଥିବା ଡାଏରି ଲ୍ୟାବ୍‌ ଯାଇଛି। ଘଟଣାର ସପ୍ତାହେ ପରେ ମଞ୍ଚେଶ୍ବର ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ (‌ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି)କୁ ରେଳବାଇ ପୁଲିସ ଏହି ଡାଏରିକୁ ପଠାଇଛି। ଡାଏରିରେ ରହିଥିବା ଲେଖା କାହାର ଏନେଇ ଏସ୍‌ଏଫ୍‌ଏସ୍‌ଏଲ୍‌ ପ୍ରମାଣିତ କରିବ। ଏହି ଡାଏରି ସହ ଆଦିତ୍ୟଙ୍କର ଅନ୍ୟ ସ୍ଥାନରେ ଥିବା ବିଭିନ୍ନ ହାତଲେଖା ପୁଲିସ ସଂଗ୍ରହ କରି ଲ୍ୟାବ୍‌ ପଠାଇଛି। ଚେକ୍‌ରେ ତାଙ୍କ ଦସ୍ତଖତ ମଧ୍ୟ ଲ୍ୟାବ୍‌ ପଠାଯାଇଛି।

Advertisment

ଆଦିତ୍ୟ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରୁଥିବା ଭିଡିଓଗୁଡ଼ିକର ତାରିଖୱାରି ତାଲିକା କରି ଏକ ଖାତାରେ ରଖୁଥିଲେ। ସେହି ମୋଟା ବନ୍ଧେଇ ଖାତାକୁ ପୁଲିସ ଜବତ କରି ମଧ୍ୟ ଯାଞ୍ଚ ପାଇଁ ପଠାଇଛି। ତା’ ସହିତ ବିଦ୍ୟାଶ୍ରୀଙ୍କ ହାତଲେଖା ଓ ପପୁ, ବିକାଶ ଓ ପ୍ରୀତମ୍‌ଙ୍କ ହାତଲେଖାକୁ ମଧ୍ୟ ଯାଞ୍ଚ କରୁଛି ପୁଲିସ। ସମସ୍ତ ଲେଖାକୁ ଯାଞ୍ଚ କରି ଲ୍ୟାବ୍‌ ଏହି ହାତଲେଖା କାହାର ତାହା ସ୍ପଷ୍ଟ କରିବ। ଯଦି ଏହା ଆଦିତ୍ୟଙ୍କର ହୋଇନଥାଏ ତେବେ କିଏ ଡାଏରି ଲେଖିଲା? ପୂର୍ବରୁ ହତ୍ୟା ଯୋଜନା କରି ତାକୁ ଆତ୍ମହତ୍ୟା ରୂପ ଦେଲା କି? ଏଭଳି ଅନେକ ପ୍ରଶ୍ନ ଏବେ ମାମଲାକୁ ଆହୁରି ରହସ୍ୟାବୃତ୍ତ କରିଥିବା ବେଳେ ରେଳବାଇ ପୁଲିସ ଇତିମଧ୍ୟରେ ଅନେକ ପ୍ରମାଣ ସଂଗ୍ରହ କରିଛି। ପୁରୁଷୋତ୍ତମ ଏକ୍ସପ୍ରେସ୍‌‌ ଧକ୍କାରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଛି। ରାତି ୮ଟା ୧୭ ମିନିଟ୍‌ରେ ଏହି ଟ୍ରେନ୍‌ ଆଦିତ୍ୟଙ୍କୁ ଧକ୍କା ଦେଇଛି। ଟ୍ରେନ୍‌ ଲୋକୋ ପାଇଲଟ୍‌ଙ୍କୁ ଜେରା କଲା ବେଳେ ପୁଲିସ ଏଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ଅନ୍ୟପଟେ ଆଦିତ୍ୟଙ୍କ ଭଡ଼ା ଘରୁ ରେଳ ଧାରଣା ପର୍ଯ୍ୟନ୍ତ ରାସ୍ତାରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ଫୁଟେଜ୍‌ରେ ପୁଲିସ ଆଦିତ୍ୟଙ୍କୁ ପାଇଛି। ମୃତ୍ୟୁର ୨୦ ମିନିଟ୍‌ ପୂର୍ବରୁ ସେ ଚାଲି ଚାଲି ରେଳଧାରଣା ଆଡ଼େ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରହିଛି। ୮ଟା ୧୭ ମିନିଟ୍‌ରେ ଏହି ଘଟଣାସ୍ଥଳ ପାଖାପାଖି କେଉଁ କେଉଁ ମୋବାଇଲ ଆକ୍ଟିଭ୍‌ ଥିଲା ତାହାକୁ ମଧ୍ୟ ପୁଲିସ ‌ଯୋଗାଡ଼ କରିଛି। ସେମାନଙ୍କୁ ଠାବ କରାଯାଇଛି। ସେମାନଙ୍କୁ ପଚରାଉଚରା ପରେ ସେମାନେ ମଧ୍ୟ ଏ ନେଇ ଅଧିକ ତଥ୍ୟ ଦେଇ ପାରନ୍ତି ବୋଲି ପୁଲିସ ଆଶ କରିଛି। ଆଦିତ୍ୟ ଘରେ ମୋବାଇଲ୍‌, ପର୍ସ, ହାତ ଘଣ୍ଟା, ଗାଡ଼ି ଛାଡ଼ି ଆସିବା ଓ ସଂସାର ଛାଡ଼ି ଚାଲି ଯାଉଥିବା କଥା ଡାଏରିରେ ଉଲ୍ଲେଖ କରିବା ଘଟଣା ପରେ ତଦନ୍ତରୁ ମିଳିଥିବା ଏଭଳି ତଥ୍ୟ ଏହି ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ଆଡ଼କୁ ନେଇ ଯାଇଛି।

ତେବେ ଯଦି ଆତ୍ମହତ୍ୟା ବୋଲି ପ୍ରମାଣିତ ହୁଏ ତେବେ ଆତ୍ମହତ୍ୟା ପାଇଁ କିଏ ବାଧ୍ୟ କରିଛି? ସେ ନେଇ ମଧ୍ୟ ତଦନ୍ତ ହେଉଛି। ଆତ୍ମହତ୍ୟା ପଛର ଅନେକ କାରଣ ସମ୍ବନ୍ଧରେ ମଧ୍ୟ ପୁଲିସ ତଥ୍ୟ ଯୋଗାଡ଼ କରିଛି। ଅନ୍ୟପଟେ ତଦନ୍ତ ନ ସରିବା ଯାଏ ପୁଲିସ ବିକାଶ, ପପୁ ଓ ସଂସ୍ଥାର ସଭାପତି ପ୍ରତୀକଙ୍କୁ ସହର ନଛାଡ଼ିବା ପାଇଁ କହିଛି। ଗତକାଲି ପୁଲିସ ଆଦିତ୍ୟଙ୍କର ପ୍ରମୁଖ ସହଯୋଗୀ ତଥା ପିପୁଲ ଫର ସେବାର ଅନ୍ୟତମ ସଦସ୍ୟ ପପୁଙ୍କୁ ଦୁଇଘଣ୍ଟା ଜେରା କରିଥିଲା। ଦୁଇଘଣ୍ଟାର ଜେରାରେ ପୁଲିସ ଅନେକ ତଥ୍ୟ ପାଇଥିଲା। ୭୦ ହଜାର ଟଙ୍କା କାରବାରକୁ ନେଇ ମଧ୍ୟ ତନାଘନା କରିଥିଲା। ଆଜି ବିକାଶକୁ ପୁଲିସ ୩ଘଣ୍ଟା ଜେରା କରିଛି।