ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା : ଅଡ଼ୁଆ ସୂତାରେ ଛନ୍ଦି ହେଉଛି ପୁଲିସ

ପତ୍ନୀ ବିଦ୍ୟାଶ୍ରୀଙ୍କୁ ସାଢ଼େ ୪ ଘଣ୍ଟା ଜେରା, ନୂଆ ମୋଡ଼କୁ ନେଲା ଭାଇରାଲ୍‌ କଲ୍‌ ରେକର୍ଡିଂ

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ୧୧ ଦିନ ବିତିବା ପରେ ବି ରେଳବାଇ ପୁଲିସ ଏହି ରହସ୍ୟମୟ ମୃତ୍ୟୁ ମାମଲା ଉପରୁ ସ୍ପଷ୍ଟ ଭାବେ ପରଦା ହଟାଇବାରେ ସଫଳ ହୋଇପାରିନାହିଁ। ଲୋକ ପାଇଲଟ୍‌ଙ୍କ ମତାମତ ଓ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ରେଳବାଇ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି ପ୍ରମାଣ କରିବାକୁ ଉଦ୍ୟମ କରିଛି। କିନ୍ତୁ ଆଜି ଭାଇରାଲ୍‌ ହୋଇଥିବା ଏକ ଅଡିଓ କଲ୍‌ ରେକର୍ଡିଂ ପୁଣି ପୁଲିସର ତଦନ୍ତ ଉପରେ ପଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ପୁଲିସର ଜେରା କାର୍ଯ୍ୟକ୍ରମ ସରୁ ନଥିବାରୁ ଏହି ମାମଲାକୁ ନେଇ ସାଧାରଣରେ ଉତ୍ସୁକତା ବଢ଼ି ଚାଲିଛି। ଗୁମର ଖୋଜିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ପୁଲିସ ୬ଜଣଙ୍କୁ ଜେରା କରି ସାରିଥିବା ବେଳେ ଆଜି ସନ୍ଧ୍ୟାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବାପା ମା’ଙ୍କୁ ଜେରା କରିଛି।

ସୁନ୍ଦରପଦାରେ ଥିବା ଆଦିତ୍ୟଙ୍କ ଭଡ଼ା ଘରକୁ ଯାଇ ଆଜି ରେଳବାଇ ପୁଲିସ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ସନ୍ଧ୍ୟା ୭ଟାରୁ ତାଙ୍କୁ ଜେରା କରାଯାଇଥିଲା। ଦୁଇ ବରିଷ୍ଠ ଅଧିକାରୀଙ୍କ ସହ ଆଇଓ(ତଦନ୍ତକାର ଅଧିକାରୀ) ବିଦ୍ୟାଶ୍ରୀଙ୍କଠାରୁ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିଛନ୍ତି। ଗୁଡ଼େଇତୁଡ଼େଇ ତାଙ୍କୁ ୫୭ଟି ପ୍ରଶ୍ନ କରିଥିଲେ। କୁହେଳିକାର ଜାଲ ବୁଣିଥିବା ଜବତ ଡାଏରିଠାରୁ ଆରମ୍ଭ କରି ଆଦିତ୍ୟଙ୍କ ବାବଦରେ ଭାଇରାଲ ହେଉଥିବା ମହିଳା-ପୁରୁଷଙ୍କ କଲ୍‌ ରେକର୍ଡିଂ ବାବଦରେ ଜାଣିବାକୁ ଚାହିଛନ୍ତି ପୁଲିସ ଅଧିକାରୀ। ପୂର୍ବରୁ ଖୋଦ୍‌ ରେଳବାଇ ଏସ୍‌ପି ବିଦ୍ୟାଶ୍ରୀଙ୍କୁ ଜେରା କରିଥିଲେ। ବିଦ୍ୟାଶ୍ରୀଙ୍କର ବୟାନ ରେକର୍ଡ କରାଯାଇଥିଲା। ଆନୁଷ୍ଠାନିକ ଭାବରେ ରେକର୍ଡ ହୋଇଥିବା ବୟାନ ଓ ବିଭିନ୍ନ ଗଣମାଧ୍ୟମରେ ସେ ଦେଉଥିବା ମତାମତରେ ପାର୍ଥକ୍ୟ ରହିଥିଲା। ତେଣୁ ଦ୍ବନ୍ଦ୍ବରେ ପଡ଼ିଥିଲା ପୁଲିସ। ଏଣୁ ବିଦ୍ୟାଶ୍ରୀଙ୍କ ସମ୍ବନ୍ଧରେ ବିଭିନ୍ନ ଉତ୍ସରୁ ପୁଲିସ ତଥ୍ୟ ସଂଗ୍ରହ କରିଥିଲା। ଆଦିତ୍ୟଙ୍କ ବନ୍ଧୁଙ୍କ ସହ ସଂସ୍ଥାର ସଦସ୍ୟ, ଘର ମାଲିକ, ଆଦିତ୍ୟଙ୍କ ବାପାଙ୍କଠାରୁ ମଧ୍ୟ ତଥ୍ୟ ନେଇଥିଲା ପୁଲିସ। ଏ ସବୁ ପରେ ଗତକାଲି ବିଦ୍ୟାଶ୍ରୀଙ୍କର ଏକ ଫୋନ୍‌ କଲ ରେକର୍ଡିଂ ଭାଇରାଲ ହେବା ପରେ ମାମଲାକୁ ନେଇ ବିଦ୍ୟାଶ୍ରୀଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। ଏ ସବୁକୁ ନେଇ ପୁଲିସ ବିଦ୍ୟାଶ୍ରୀଙ୍କୁ ପ୍ରଶ୍ନ କରିଥିବା ଜଣାପଡ଼ିଛି। ଏଥିସହ ଆଜି ଆଦିତ୍ୟଙ୍କ ବାପାମା’ଙ୍କୁ ମଧ୍ୟ ରେଳବାଇ ପୁଲିସ ଜେରା କରିଛି।

ନୂଆ ମୋଡ଼କୁ ନେଲା ଭାଇରାଲ୍‌ କଲ୍‌ ରେକର୍ଡିଂ
ଗତକାଲିଠାରୁ ଭାଇରାଲ୍‌ ହୋଇଥିବା ଏକ ଫୋନ୍‌ କଲ୍‌ର ରେକର୍ଡିଂ ଏହି ମାମଲାରେ ପୁଲିସକୁ ପୁଣି ଅଡ଼ୁଆ ଭିତରକୁ ଟାଣି ନେଇଥିବା ଚର୍ଚ୍ଚା ହେଉଛି। ନିଜକୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକ ପାଇଲଟ୍‌ ବୋଲି କହୁଥିବା ବ୍ୟକ୍ତିଜଣକ ଘଟଣାସ୍ଥଳରେ କୌଣସି ଦୁର୍ଘଟଣା ଘଟିନଥିବା ବା ସେ କୌଣସି ମୃତଦେହ ଦେଖିନଥିଲେ ବୋଲି ଜଣେ ଯୁବକଙ୍କୁ କହୁଛନ୍ତି। ଅର୍ଥାତ୍ ଟ୍ରେନ୍‌ ଧକ୍କାରେ ଆଦିତ୍ୟଙ୍କର ମୃତ୍ୟୁ ହୋଇନାହିଁ ବୋଲି ଉକ୍ତ ଭାଇରାଲ୍‌ କଲ୍‌ ରେକର୍ଡ କହୁଛି। କିନ୍ତୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌‌ର ଡ୍ରାଇଭର ଟ୍ରେନ୍‌ ଧକ୍କାରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଛି ବୋଲି କହିଥିଲେ। ପୂର୍ବରୁ ରେଳବାଇ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲା। ତେଣୁ ଏବେ ଏହି ମାମଲା ପୁଣି ଏକ ନୂଆ ମୋଡ଼କୁ ଗତି କରିଛି। ଭାଇରାଲ୍‌ ହୋଇଥିବା କଲ୍‌ ରେକର୍ଡିଂକୁ ନେଇ ଏବେ ସମସ୍ତଙ୍କ ନଜର ଲୋକୋ ପାଇଲଟ୍‌ଙ୍କ ଉପରକୁ ଯାଇଛି। ରେକର୍ଡିଂରେ କହୁଥିବା ବ୍ୟକ୍ତି ସତରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଡ୍ରାଇଭର କି ନା, ତାହା ସ୍ପଷ୍ଟ ହୋଇନାହିଁ। ଯଦି ଉକ୍ତ ବ୍ୟକ୍ତି ସତକୁ ସତ ଟ୍ରେନ୍‌ ଡ୍ରାଇଭର ହୋଇଥିବେ, ତେବେ ସଂଗିନ୍ ତଥ୍ୟ ସମ୍ମୁଖକୁ ଆସିବ। ଆଦିତ୍ୟଙ୍କୁ ହତ୍ୟା କରି ରେଳ ଧାରଣାରେ ଶୁଆଇ ଦିଆଯାଇଥିବା ପ୍ରମାଣିତ ହେବ। ଏଥିସହିତ ରେଳବାଇ ପୁଲିସ ତଦନ୍ତ ମଧ୍ୟ ଠିକ୍ ହୋଇନାହିଁ ବୋଲି ପ୍ରମାଣିତ ହେବ। ନିୟମାନୁସାରେ ଦୁର୍ଘଟଣା ବାବଦରେ ଲୋକ ପାଇଲଟ୍‌ ପରବର୍ତ୍ତୀ ଷ୍ଟେସନ୍‌ରେ ମେମୋ ଦେବା କଥା। କିନ୍ତୁ ଡ୍ରାଇଭର ମେମୋ ଦେଇନଥିଲେ ବୋଲି ପୁଲିସ ପୂର୍ବରୁ କହିଥିଲା। ମେମୋ ଦେଇନଥିଲେ ମଧ୍ୟ ପରେ ଡ୍ରାଇଭର ଦୁର୍ଘଟଣା ଘଟିଥିବା କଥା ପୁଲିସକୁ କହିଥିଲେ ବୋଲି ସୂଚନା ଦିଆଯାଇଥିଲା। ତେଣୁ ଏବେ ବି ସାଧାରଣରେ ପୁଲିସର ତଦନ୍ତକୁ ନେଇ ସନ୍ଦେହ ରହିଛି। କିନ୍ତୁ ଏହି ଭାଇରାଲ୍‌ କଲ୍‌ ରେକର୍ଡକୁ ପୁଲିସ ସହଜରେ ଗ୍ରହଣ କରିନାହିଁ। ଉକ୍ତ ରେକର୍ଡିଂକୁ ପୁଲିସ ସଂଗ୍ରହ କରି ଯାଞ୍ଚ ଆରମ୍ଭ କରିଛି ବୋଲି ସୂଚନା ଦେଇଛି। ତେଣୁ କିଏ ସତ କହୁଛି, ତାହା ଜାଣିବାକୁ ଏବେ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର