ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ମୁହାଁମୁହିଁ ଜେରା ହେବେ ବିଦ୍ୟାଶ୍ରୀ-ପପୁ-ବିକାଶ

ଜବତ ଡାଏରି ଏଯାଏ ଲ୍ୟାବ୍‌ ଯାଇନି

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶଙ୍କ ମୃତ୍ୟୁ ଘଟଣାକୁ ୬ଦିନ ପୂରିଲାଣି। କିନ୍ତୁ କେବଳ ଅପମୃତ୍ୟୁ ମାମଲାକୁ ହତ୍ୟାରେ ରୂପାନ୍ତର କରିବା ବ୍ୟତୀତ ରେଳବାଇ ଥାନା ପୁଲିସର ତଦନ୍ତ ଟିକେ ହେଲେ ବି ଅଗ୍ରଗତି କରିପାରିନାହିଁ। ତାଙ୍କ ମୃତ୍ୟୁ ରହସ୍ୟ ଖୋଜି ଖୋଜି ପୁଲିସ୍‌ ପୂରା ନୟାନ୍ତ ହୋଇପଡ଼ିଲାଣି। ତେଣୁ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ଆଦିତ୍ୟଙ୍କ ଅନ୍ୟ ଦୁଇ ଘନିଷ୍ଠ ସହଯୋଗୀ ପପୁ ଓ ବିକାଶଙ୍କୁ ମୁହାଁମୁହିଁ ଜେରା କରିବ ପୁଲିସ୍‌। ଗଣମାଧ୍ୟମରେ ୩ଜଣ ଯାକ ପରସ୍ପରକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଇଂଗିତ କରୁଥିବାରୁ ସେଠାରୁ କିଛି ତଥ୍ୟ ମିଳିବା ଆଶାରେ ପୁଲିସ୍‌ ଏପରି କରିବାକୁ ଯୋଜନା କରିଛି। ‘ଏଥର ୭୦ ହଜାର ଦେଇ ଦେ, ମୁଁ ଆଉ ଭୁଲ କରିବିନି’ ପପୁ ଏଭଳି ଆଦିତ୍ୟଙ୍କୁ କହିଥିବା ପ୍ରମାଣ ପାଇଛନ୍ତି ବିଦ୍ୟାଶ୍ରୀ। ଆଗରୁ ସେ କ’ଣ ଭୁଲ କରିଥିଲେ? ତାଙ୍କୁ କ’ଣ ଆଦିତ୍ୟ କ୍ଷମା କରିଦେଇଥିଲେ ନା ସେ ଆଦିତ୍ୟଙ୍କୁ ଡରାଇ ରଖିଥିଲେ? ବିଦ୍ୟାଶ୍ରୀ ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ପପୁ ଓ ବିକାଶ ମଧ୍ୟ ଅନେକ ପ୍ରମାଣ ରଖିଥିବା କହିଛନ୍ତି। ପୁଲିସ୍‌ ଉପଯୁକ୍ତ ତଦନ୍ତ ନ କଲେ ଏହାକୁ ଖୋଲି ଦିଆଯିବ ବୋଲି ସେମାନେ କହିଛନ୍ତି। ତେଣୁ ୩ଜଣଙ୍କୁ ମୁହାଁମୁହିଁ ଜେରା କଲେ ସେଥିରୁ କିଛି ମିଳିପାରିବ ବୋଲି ରେଳବାଇ ପୁଲିସ୍‌ ଆଶା ରଖିଛି। ଅପରପକ୍ଷେ ମାମଲାର ଅଗ୍ରଗତି ନେଇ ରେଳବାଇ ଡିଏସପି ଆଜି ବିଳମ୍ବିତ ରାତିରେ ରେଳବାଇ ଥାନାରେ ପହଞ୍ଚି ସମୀକ୍ଷା କରିବା ସହ ନୂଆ ଦିଗ ଉପରେ ଆଲୋକପାତ କରିଛନ୍ତି।

ତେବେ ଏହି ଘଟଣାରେ ଏବେ ଆଦିତ୍ୟଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କ ନାମ ଯୋଡ଼ି ହୋଇଯାଇଛି। ପୁଲିସ୍‌ ଆଦିତ୍ୟଙ୍କ ମୋବାଇଲ କଲ୍‌ ‌ରେକର୍ଡ ଖୋଳତାଡ଼ ବେଳେ କିଛି ନୂଆ ତଥ୍ୟ ପାଇଛି। ବଲାଙ୍ଗୀରରେ ରହୁଥିବା ବିଶ୍ବ ନାମକ ଜଣେ ଯୁବକଙ୍କ ସହ ଆଦିତ୍ୟଙ୍କର ଘନିଷ୍ଠତା ଥିଲା। ବିଶ୍ବ ଏତେ ବିଶ୍ବସ୍ତ ଓ ଘନିଷ୍ଠ ଥିଲେ ଯେ ପପୁ-ବିକାଶଙ୍କୁ କହୁନଥିବା କଥା ଆଦିତ୍ୟ ତାଙ୍କ ସହ ସେୟାର କରୁଥିଲେ। ପ୍ରତି ରାତିରେ ଭିଡିଓ କଲରେ ଉଭୟ କଥାବାର୍ତ୍ତା ହେଉଥିଲେ। ମଦ ବିରୋଧୀ ଅଭିଯାନ ପାଇଁ ତାଙ୍କୁ କେଉଁଠୁ କେଉଁଠୁ ଧମକ ଆସୁଥିଲା, ସେ ନେଇ ମଧ୍ୟ ବିଶ୍ବ ସବୁ ଜାଣିଥିଲେ। କିଏ ପଇସା ନେଉଥିଲା, କାହା ଉପରେ ବିଶ୍ବାସ ନଥିଲା, ବୃଦ୍ଧାଶ୍ରମ ତିଆରି ପାଇଁ କେଉଁଠି ବାଧା ସୃଷ୍ଟି ହେଉଛି, କାହା ସହିତ ମତାନ୍ତର ମନାନ୍ତର ହେଉଛି, ଏ ସବୁ ଉପରେ ବିଶ୍ବ ଟିକ୍‌ନିଖି ଜାଣିଛନ୍ତି। ତେଣୁ ତାଙ୍କୁ ପଚରାଉଚରା କଲେ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରେ ବୋଲି ପୁଲିସ୍‌ ଆଶା ବାନ୍ଧିଛି।

ଜବତ ଡାଏରି ଏଯାଏ ଲ୍ୟାବ୍‌ ଯାଇନି
ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ଏକ ଡାଏରି ଜବତ ହୋଇଥିଲା। ଉକ୍ତ ଡାଏରିରେ ବହୁତ କିଛି ତଥ୍ୟ ରହିଛି, ଯାହା ପୁଲିସ୍‌ ତଦନ୍ତରେ ସହାୟକ ହୋଇପାରିବ। କିନ୍ତୁ ସେଥିରେ ଥିବା ହାତଲେଖା କାହାର, ସେ ସଂପର୍କରେ ପୁଲିସ୍‌ ଏପର୍ଯ୍ୟନ୍ତ ଜାଣି ପାରିନାହିଁ। ଅକ୍ଷର କାହାର, ତାହାର ପ୍ରମାଣ ପାଇଁ ଡାଏରିକୁ ଲ୍ୟାବ୍‌ ପଠାଯିବା କଥା। କିନ୍ତୁ ସଟ୍‌ଡାଉନ୍‌କୁ ଆଳ କରି ରେଳବାଇ ପୁଲିସ୍‌ ତାକୁ ପାଖରେ ପକାଇ ରଖିଛି। ଆଦିତ୍ୟଙ୍କ ହତ୍ୟା ଉପରୁ ପରଦା ହଟାଇବାରେ ପୁଲିସ୍‌ କେତେ ତତ୍ପର, ତାହା ଏହି ଛୋଟିଆ ଘଟଣାରୁ ଜଳଜଳ ହୋଇ ଦିଶୁଛି।

ପିପୁଲ ଫର ସେବାର ଆର୍ଥିକ କାରବାର: ବିବରଣୀ ପାଇଁ ବ୍ୟାଙ୍କ୍‌କୁ ଚିଠି
‘ପିପୁଲ ଫର ସେବା’ ସଂସ୍ଥାର ଆର୍ଥିକ କାରବାରର ଯାଞ୍ଚ ହେବ। ତିନି ଦିନରେ ଲକ୍ଷେ ଟଙ୍କା ଆସିଥିବା ନେଇ ପ୍ରମାଣ ମିଳିଥିବା ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରେଳବାଇ ପୁଲିସ୍‌ ଆର୍ଥିକ କାରବାର ଉପରେ ନଜର ପକାଇଛି। ଅନୁଷ୍ଠାନର ଜାଗା ପାଇଁ କେତେ ଆର୍ଥିକ ଅନୁଦାନ ଆସିଛି, ସେ ନେଇ ବିବରଣୀ ସଂଗ୍ରହ କରିବା ପାଇଁ ରେଳବାଇ ପୁଲିସ ସମ୍ପୃକ୍ତ ବ୍ୟାଙ୍କ୍‌କୁ ଚିଠି ଲେଖିଛି। ଭୁବନେଶ୍ବର ଶ୍ୟାମପୁର(ସଁ’ପୁର) କଳିଙ୍ଗ ବିହାରରେ ଥିବା ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ଶାଖାରେ ଅନୁଷ୍ଠାନର ଆକାଉଣ୍ଟ(୭୫୧୨୦୨୦୧୦୦୦୧୬୯୯) ରହିଛି। ଆକାଉଣ୍ଟ ସହ ଫୋନ୍‌ ପେ’(୯୮୫୩୬୩୨୦୬୨) ଜରିଆରେ ମଧ୍ୟ ଅନୁଦାନ ଗ୍ରହଣ କରାଯାଇଛି। ଜମା/ଉଠାଣ ସହ ସମସ୍ତ ପ୍ରକାରର ଆର୍ଥିକ କାରବାର ସମ୍ବନ୍ଧରେ ବିସ୍ତୃତ ବିବରଣୀ ଜଣାଇବା ପାଇଁ ପୁଲିସ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ଅନୁଷ୍ଠାନର ଅନୁଦାନକୁ ନେଇ ବିବାଦ ରହିଥିବା ସ୍ପଷ୍ଟ ହୋଇସାରିଛି। ଦୁଇ ଦଫାରେ ପପୁ ଲକ୍ଷେ ଟଙ୍କା ନେଇଥିବା ବେଳେ ଖୋଦ୍‌ ଆଦିତ୍ୟ ୫୦ ହଜାର ନେଇଛନ୍ତି। ଅନ୍ୟ କେତେକ ସଦସ୍ୟ ମଧ୍ୟ ଟଙ୍କା ନେଇଥିବା ଆଶଙ୍କା କରାଯାଉଛି। ଏବେ ପୁଲିସ ଏହି ବିବରଣୀ ପାଇବା ପରେ କେଉଁମାନେ ମୋଟା ଅଙ୍କର ଟଙ୍କା ନେଇଥିଲେ? ନିର୍ଦ୍ଧାରିତ ସମୟରେ ଜମା କରିଥିଲେ କି ନାହିଁ, ତାହା ସ୍ପଷ୍ଟ ହେବ। ଏଥିରୁ ତଦନ୍ତର ଅନ୍ୟ ଏକ ଦିଗରେ ଆଗେଇବା ପାଇଁ ରେଳବାଇ ପୁଲିସକୁ ସହଜ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର