ଭୁବନେଶ୍ବର : ଆଦିତ୍ୟ ମୃତ୍ୟୁ ପଛରେ ଜଣେ ସାଇକୋ-ଲେଡିଙ୍କ ହାତ ରହିଛି। ସେ ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ, ବିବାହ କରିବା ପାଇଁ ଚାପ ପକାଉଥିଲେ। ଆଦିତ୍ୟ ମନା କଲେ ବ୍ଲାକମେଲ୍‌ କରୁଥିଲେ। ଆଦିତ୍ୟଙ୍କ ବାହାଘର ହେବା ପରେ ଯୁବତୀଜଣଙ୍କ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ତେଣୁ ସେ ହିଁ ଆଦିତ୍ୟଙ୍କୁ ହତ୍ୟା କରିଛି କିମ୍ବା କାହା ଜରିଆରେ କରାଇଛି। ଏ ସଂପର୍କରେ ବାରମ୍ବାର ସୂଚନା ଦେବା ପରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲା ନାହିଁ। ତେଣୁ ବାଧ୍ୟ ହୋଇ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲୁ। ଆଦିତ୍ୟଙ୍କ ବାପା ନନ୍ଦିକିଶୋର ଆଜି ଗଣମାଧ୍ୟମକୁ ଏପରି ସୂଚନା ଦେବା ପରେ ହଇଚଇ ସୃଷ୍ଟି ହୋଇଛି। ନନ୍ଦିକିଶୋରଙ୍କ ଏପରି ବୟାନ ପୂରା ମାମଲାକୁ ନୂଆ ମୋଡ଼ ଦେଇଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଉପରକୁ ଅଙ୍ଗୁଳି ଉଠାଇଚି।

Advertisment

ତେବେ କିଏ ଏହି ‘ସାଇକୋ ଲେଡି’? କେବେଠାରୁ ଆଦିତ୍ୟଙ୍କୁ ପ୍ରେମ କରୁଥିଲେ? ବିବାହ ପରେ ଆଦିତ୍ୟଙ୍କ ମାନସିକ ଚାପ ଏହି ସାଇକୋ ଲେଡିଙ୍କ ପାଇଁ ନଥିଲା ତ? ନନ୍ଦିକିଶୋରଙ୍କ ଅଭିଯୋଗ ପରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ କାହିଁକି ଏ ଦିଗରେ ତଦନ୍ତ କଲା ନାହିଁ? ପୂର୍ବରୁ ୨୪ ଦିନ ଧରି ଜିଆରପି କରିଥିବା ତଦନ୍ତରେ କାହିଁକି ‘ସାଇକୋ ଲେଡି’ଙ୍କୁ ତଦନ୍ତ ପରିସରଭୁକ୍ତ କଲା ନାହିଁ? ଏ ସବୁ ପ୍ରଶ୍ନ ଏବେ ଉଭୟ ଦତଦନ୍ତକାରୀ ସଂସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।

publive-image

ଅନ୍ୟପଟେ ଦୀର୍ଘ ଦିନ ହେବ ନିରବ ହୋଇ ବସିଥିବା ନନ୍ଦିକିଶୋର ଆଜି ହଠାତ୍‌ କ୍ୟାମେରା ସାମ୍ନାକୁ ଆସିଥିଲେ। କିଛି ଦିନ ତଳେ ସେ ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟ‌‌ରେ ପିଟିସନ୍‌ ଦାଖଲ କରିଥିଲେ। ହେଲେ ସେତେବେଳେ ଏ ନେଇ ସେ କୌଣସି ସୂଚନା ଦେଇନଥିଲେ। ସିବିଆଇ ତଦନ୍ତ ପାଇଁ ପିଟିସନ୍‌ ଫାଇଲ୍‌ର ୫ ଦିନ ପରେ ଏଭଳି ଅଭିଯୋଗ ଆଣିବା ନେଇ ମଧ୍ୟ ସନ୍ଦେହ ଉପୁଜିଛି। ତଦନ୍ତକୁ ଜାଣିଶୁଣି ପ୍ରଭାବିତ କିମ୍ବା ବିଳମ୍ବିତ କରିବାକୁ ସେ ଏଭଳି ଯୋଜନା କରିନାହାନ୍ତି ତ ବୋଲି ଆଲୋଚନା ହେଉଛି।

ଅନ୍ୟପଟେ ଫେସ୍‌ବୁକ୍‌ରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବାରମ୍ବାର ଭିଡିଓ ଅପ୍‌ଲୋଡ୍‌ କରୁଥିବା ବିସ୍ମିଥ ଦାଶ ଏକ ଭିଡିଓରେ କହିଛନ୍ତି, ଆଦିତ୍ୟଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ସାମିଲ ଥିବା ସାଇକୋ ଲେଡିର ସମସ୍ତ ପ୍ରମାଣ ତାଙ୍କ ପାଖରେ ଅଛି। ତେବେ ପ୍ରମାଣ ଯଦି ଅଛି, କାହିଁକି ନିରବ ବସିଛି କ୍ରାଇମ୍‌ବ୍ରାଞ୍ଚ? ବିସ୍ମିଥ୍‌ ମିଛ କହୁଥିଲେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହିଁ। ଏ ସଂପର୍କରେ ପିପୁଲ୍‌ ଫର୍‌ ସେବାର ବିକାଶ କହିଛନ୍ତି, ବିସ୍ମିଥ୍‌ ଆଦିତ୍ୟଙ୍କର ୬ବର୍ଷ ଧରି ସାଙ୍ଗ ଥିଲା ବୋଲି କହୁଛନ୍ତି। ହେଲେ ଆମେ ତାଙ୍କୁ କେବେ ଦେଖିନାହୁଁ। ଆଦିତ୍ୟଙ୍କ ମୃତ୍ୟୁ ପରେ ସେ ବିଦ୍ୟାଶ୍ରୀଙ୍କ ସଂସ୍ପର୍ଶ‌‌ରେ ଅଛନ୍ତି। କାରଣ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯାଇଥିବା ବେଳେ କଟକରେ ବିଦ୍ୟାଶ୍ରୀଙ୍କ ସହ ସେ ଥିବାର ଦେଖାଯାଇଛି। ତେଣୁ ବିସ୍ମିଥଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରୁ ବୋଲି ସେ କହିଛନ୍ତି।