ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା : ଆତ୍ମହତ୍ୟା ଧମକ ଦେଲେ ଆଦିତ୍ୟଙ୍କ ମା’

କ୍ରାଇମବ୍ରାଞ୍ଚ ତଦନ୍ତକୁ ବିତିଲାଣି ତିନି ମାସ

ଭୁବନେଶ୍ୱର : ଆଉ ଗୋଟିଏ ସପ୍ତାହ ପରେ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଚାରି ମାସ ପୂରିଯିବ। ଏହା ଭିତରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତିନି ମାସ ବିତି ଗଲାଣି। କିନ୍ତୁ ମାମଲାର ପର୍ଦ୍ଦାଫାସ୍ କରିବାରେ ତଦନ୍ତକାରୀ ଟିମ୍ ବିଫଳ ହୋଇଛି। ତେଣୁ କ୍ରାଇମବ୍ରାଞ୍ଚର ଦକ୍ଷତାକୁ ନେଇ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଘଟଣା ପଛରେ ରହିଥିବା ରହସ୍ୟର ଉନ୍ମୋଚନ ପାଇଁ ଆଜି ଆଦିତ୍ୟଙ୍କ ମା’ ପଦ୍ମାଳୟା କ୍ରାଇମ୍‌ବ୍ରାଞ୍ଚର ଦ୍ବାରସ୍ଥ ହୋଇଛନ୍ତି। ନ୍ୟାୟ ନ ମିଳିଲେ, ଜୀବନ ହାରିଦେବେ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି।

ପଦ୍ମାଳୟା କହିଛନ୍ତି ଯେଉଁ ପୁଅ ଭୋକିଲାଙ୍କ ମୁହଁରେ ଦାନା ଦେଉଥିଲା, ନିରାଶ୍ରୟ ବୃଦ୍ଧ, ବୃଦ୍ଧାଙ୍କ ଖବର ବୁଝୁଥିଲା, ସେ କେବେ ହେଲେ ଆତ୍ମହତ୍ୟା କରିପାରିବ ନାହିଁ। ତାଙ୍କ ପୁଅକୁ ଷଡ୍‌ଯନ୍ତ୍ର କରି ହତ୍ୟା କରାଯାଇଛି। ମାତ୍ର କ୍ରାଇମ୍‌ବ୍ରାଞ୍ଚ ହାଲୁକା ଭାବେ ନେଉଛି। କ୍ରାଇମ୍‌ବ୍ରାଞ୍ଚ ଠିକ୍ ଭାବେ ତଦନ୍ତ କଲେ, ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ସେ କହିଛନ୍ତି। ‌ସ୍ବେଚ୍ଛାସେବୀ ସଂଗଠନ ‘ପିପୁଲ୍ସ ଫର୍ ସେବା’ର ଓକିଲ ନିହାର ରଞ୍ଜନ ଓଝା କହିଛନ୍ତି ଯେ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ଆଜି ଦେଖା କରିବା ପାଇଁ ପୂର୍ବରୁ ସମୟ ନିଆ ଯାଇଥିଲା। କଟକ ଡିସିପିଙ୍କ କାର୍ଯ୍ୟାଳୟରୁ ଅନୁମତି ମଧ୍ୟ ମିଳିଥିଲା। ମାତ୍ର ଆଜି ଛୁଟି ଥିବା ଦର୍ଶାଇ କେହି ଦେଖା କରି ନ ଥିଲେ। ରିସେପ୍‌ସନରେ ଅଭିଯୋଗ ଦାଖଲ ହୋଇଛି। ପ୍ରଥମରୁ ଜିଆରପି ଥାନା ମାମଲାକୁ ଦୁର୍ବଳ କରି ଦେଇଛି। ସମ୍ବେଦନଶୀଳ ମାମଲାରେ ଯେମିତି ତଦନ୍ତ ହେବା କଥା ସେଭଳି କରାଯାଇନାହିଁ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ ତଦନ୍ତକୁ ବାଟବଣା କରାଯାଉଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି ବୋଲି ଓକିଲ ଶ୍ରୀ ଓଝା କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ନିକଟ ରେଲ୍‌ୱେ ଟ୍ରାକ୍‌ରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ଭୁବନେଶ୍ବର ଜିଆର୍‌ପି ଥାନା ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା। ତେବେ ଏହା ଏକ ଆତ୍ମହତ୍ୟା ବୋଲି ଜିଆରପି ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜୁଲାଇ ୩୦ରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜି ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର