ଆଦିତ୍ୟ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଚିନ୍ମୟୀଙ୍କୁ ଅଭିଯୁକ୍ତ ସଜାଇଲେ ବିଦ୍ୟାଶ୍ରୀ, ଖଇରା ଥାନାରେ ଚିନ୍ମୟୀଙ୍କ ଏତଲା

ଭୁବନେଶ୍ବର: ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ପରିନଥିବା ବେଳେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସୁଛି। ଏହି ମାମଲାରେ ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀ ମହାପାତ୍ର ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ପରିବାର ଚିନ୍ମୟୀଙ୍କୁ ସାଇକୋ ଲେଡି କହିଥିବା ବେଳେ ଏହାକୁ ନେଇ ଚିନ୍ମୟୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଆଖ୍ୟା ଯୋଗୁଁ ତାଙ୍କର ସମ୍ମାନ ହାନୀ ହୋଇଛି ବୋଲି ଅଭିଯୋଗ କରି ଚିନ୍ମୟୀ ବାଲେଶ୍ବର ଜିଲ୍ଲା ଖଇରା ଥାନାରେ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ନନ୍ଦିକିଶୋର ଦାଶ, ବିସ୍ମିତ ଦାସ ଓ କିଛି ବୈଦ୍ୟୁତିକ ଗଣମାଧ୍ୟମ ନାଁରେ ଏତଲା ଦାଏର କରିଛନ୍ତି।

କିଛି ଦିନ ଚୁପ୍‌ ଥିବା ବିଦ୍ୟାଶ୍ରୀ ଏତଲା ପରେ ଆଜି ଗଣମାଧ୍ୟମରେ ଚିନ୍ମୟୀଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ସେ କହିଛନ୍ତି, ବାହାଘରର ଗୋଟେ ଦିନ ପୂର୍ବରୁ ଆଦିତ୍ୟଙ୍କୁ ଚିନ୍ମୟୀ ଧମକପୂର୍ଣ୍ଣ ମେସେଜ ଦେଇଥିଲେ। ବାହାଘର ପରେ ମଧ୍ୟ ଧମକ ଦେଉଥିଲେ। ଏହାର ସମସ୍ତ ପ୍ରମାଣ ଆଦିତ୍ୟଙ୍କ ମୋବାଇଲରେ ଅଛି। ଯାହା ଆଦିତ୍ୟଙ୍କ ମୃତ୍ୟୁ ପଛର ଠୋସ୍‌ ପ୍ରମାଣ ବୋଲି ବିଦ୍ୟାଶ୍ରୀ କହିଛନ୍ତି। ସେ କହିଛନ୍ତି, ଚିନ୍ମୟୀ ଆଦିତ୍ୟଙ୍କ ପଛରେ ପଡ଼ିଥିଲେ। କିନ୍ତୁ ତାଙ୍କୁ ପାଇ ପାରିଲେ ନାହିଁ। ସେଥିପାଇଁ ସେ ପ୍ରତିଶୋଧ ପରାୟଣ ହୋଇଛନ୍ତି। ଆଦିତ୍ୟ ଜାଣିଥିଲେ ଚିନ୍ମୟୀ ଜଣେ ମାନସିକ ରୋଗୀ। ଏ କଥାର ପ୍ରମାଣ ମଧ୍ୟ ଆଦିତ୍ୟଙ୍କ ମୋବାଇଲରେ ରହିଛି। ଏ ସମସ୍ତ ପ୍ରମାଣ ପଦାରେ ପଡ଼ିଯିବା ଭୟରେ ସେ ଥାନାରେ ଏତଲା ଦେଇ ନୂଆ ନାଟକ ଆରମ୍ଭ କରିଛନ୍ତି। ତେବେ କେବଳ ଚିନ୍ମୟୀ ନୁହନ୍ତି, ଆଦିତ୍ୟଙ୍କ ମୃତ୍ୟ ଘଟଣାରେ ବହୁ ଲୋକ ସାମିଲ ଅଛନ୍ତି। ପିପୁଲ ଫର ସେବାର ସଦସ୍ୟମାନେ ମଧ୍ୟ ସନ୍ଦେହ ଘେରରେ ଅଛନ୍ତି। ସତ ନିଶ୍ଚୟ ସାମ୍ନାକୁ ଆସିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ବିଦ୍ୟାଶ୍ରୀଙ୍କ ଏଭଳି ବୟାନ ଏବେ ମାମଲାକୁ ଏକ ନୂଆ ମୋଡ଼କୁ ନେଇ ଆସିଛି। ପୂର୍ବରୁ ଚିନ୍ମୟୀଙ୍କୁ ନେଇ ଆଦିତ୍ୟଙ୍କ ପରିବାର ସଦସ୍ୟ ମୁହଁ ଖୋଲିନଥିଲେ। ହେଲେ ପରବର୍ତ୍ତୀ ସମୟରେ ଏ ସମସ୍ତଙ୍କୁ ଛାଡ଼ି ଚିନ୍ମୟୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି। ଏଥିରେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ମା’ ପଦ୍ମାଳୟା ମଧ୍ୟ ସ୍ବର ମିଳାଇଛନ୍ତି। ଅପରପକ୍ଷରେ ଆଜି ଆସିବାକୁ ଥିବା ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ କରୋନା ପାଇଁ ବିଳମ୍ବିତ ହୋଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର