ଆଦିତ୍ୟ ମୃତ୍ୟୁ ମାମଲା: ଟାର୍ଗେଟ୍‌ରେ ଆର୍ଥିକ କାରବାର, ତିନିଦିନରେ ଆସିଛି ଲକ୍ଷେ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁର କାରଣ ଖୋଜୁ ଖୋଜୁ ରେଳବାଇ ପୁଲିସ ତାଙ୍କ ଦ୍ବାରା ପରିଚାଳିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ ଫର ସେବା’ର ଅନୁଦାନ ପାଖରେ ପହଞ୍ଚିଛି। ଆଦିତ୍ୟଙ୍କ ମୃତ୍ୟୁର ଠିକ୍‌ ୩ ଦିନ ପୂର୍ବରୁ ଉକ୍ତ ସଂସ୍ଥାକୁ ଏକ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଏହାବାଦ୍‌ ବିଭିନ୍ନ ସମୟରେ ସଂସ୍ଥାକୁ ମୋଟା ଅଙ୍କର ଅନୁଦାନ ମିଳିଥିବା ଜଣାପଡ଼ିଛି। ଆଦିତ୍ୟଙ୍କ ଘରୁ ଜବତ ଡାଏରିରେ ଥିବା ତଥ୍ୟ ଓ ଆଦିତ୍ୟଙ୍କ ହ୍ବାଟ୍‌ସ୍‌ ଆପ୍‌ ଚାଟିଂ ମୁତାବକ, ପପୁ ପ୍ରଥମେ ୩୦ ହଜାର ଓ ପରେ ୭୦ ହଜାର ଏମିତି ଏକ ଲକ୍ଷ ଟଙ୍କା ନେଇଛନ୍ତି ଓ ଫେରାଇ ନାହାନ୍ତି। ସେହିଭଳି ଆର୍ଥିକ ଅଭାବ ପାଇଁ ଆଦିତ୍ୟ ମଧ୍ୟ ଅନୁଷ୍ଠାନ ଜମାଖାତାରୁ ୫୦ ହଜାର ନେଇଛନ୍ତି। କେହି ବି ଟଙ୍କା ଫେରସ୍ତ କରିନଥିବା ଜଣାପଡ଼ିଛି।

ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏହି ଟଙ୍କା କାରବାର ଉପରେ ଦିନେ ପ୍ରଶ୍ନ ଉଠାଇଥିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। ତାଙ୍କୁ ୫୦ ହଜାର ଦିଆଗଲାନି, ଅଥଚ ପପୁକୁ ୭୦ ହଜାର ଦିଆଗଲା ବୋଲି ବିଦ୍ୟାଶ୍ରୀ ଆଦିତ୍ୟଙ୍କୁ ପ୍ରଶ୍ନ କରିଥିଲେ। ଫଳରେ ଟଙ୍କା କାରବାରକୁ ନେଇ ବିବାଦ ପଦାକୁ ଆସିଯିବା ଆଶଙ୍କା ଉପୁଜିଥିଲା ଓ ଏଥିପାଇଁ ହୁଏତ ସଂସ୍ଥା ବଦନାମର ବୋଝ ମୁଣ୍ଡାଇବ ଏବଂ ସଂସ୍ଥାକୁ ଅନୁଦାନ ରାସ୍ତା ବନ୍ଦ ହୋଇପାରେ ବୋଲି ଆଦିତ୍ୟ ବୁଝିପାରିଥିଲେ। ତେଣୁ ବିନା ଅନୁଦାନରେ ବୃଦ୍ଧାଶ୍ରମ ପାଇଁ ଜମି କିଣିବା ସ୍ବପ୍ନ ଅଧୁରା ରହିଯିବ ଜାଣି ଆଦିତ୍ୟ କଂକର୍ତ୍ତବ୍ୟ ବିମୁଢ଼ ପରିସ୍ଥିତିକୁ ଆସିଯାଇଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ସେହିଭଳି ବିଦ୍ୟାଶ୍ରୀ ଆଦିତ୍ୟଙ୍କ ମୃତଦେହ ଦେଖିବା, ବଡି ଭୋର୍‌ରୁ ଏକ ଅଜଣା ନମ୍ବରରୁ କଲ୍‌ କରି ଆଦିତ୍ୟଙ୍କ ମୃତ୍ୟୁ ଖବର ଘରକୁ ଜଣାଇବା, ମୃତ୍ୟୁର କେଇମିନିଟ୍‌ ପୂର୍ବରୁ ବିଦ୍ୟାଶ୍ରୀଙ୍କ ଫୋନ୍‌କୁ ଆସିଥିବା କଲ୍‌ ଆଦି ବିଭିନ୍ନ ଦିଗକୁ ମଧ୍ୟ ପୁଲିସ ଗୁରୁତ୍ବର ସହ ନେଇଛି।

ସମ୍ବନ୍ଧିତ ଖବର