ଆଦିତ୍ୟ ମୃତ୍ୟୁ ମାମଲା: କାହାର ଭଏସ୍‌ ରେକର୍ଡିଂ?

ଭୁବନେଶ୍ୱର: ମନ ଇଚ୍ଛା ମତେ ଟର୍ଚର କରୁଛନ୍ତି। ମରିଯିବି ମରିଯିବି ବୋଲି ସବୁବେଳେ କହୁଛନ୍ତି। ମୁଁ ଋଷିଲେ ମନାଉନାହାନ୍ତି। କ’ଣ ପାଇଁ ଏମିତି ହଉଚ ବୋଲି ପଚାରିଲି। ଏତେ କଥା କହିଲେ ଯେ, ମୋ ମୁଣ୍ଡ କାମ କଲାନି। ବାଧ୍ୟ ହୋଇ ବାହାରକୁ ପଳେଇ ଆସିଲି। ଏବେ ସ୍କୁଟି ଧରି ବାହାରେ ବୁଲୁଛି। ତୁମେ କାହାକୁ କିଛି କହିବନି। ତମେ ମୋ ନିଜର ବୋଲି ତୁମକୁ କହୁଛି। କାହାକୁ କହିବନି।

ପୁରୁଷ: ମୋ ରାଣ ଆମ ଘରକୁ ଯାଅ। ମୁଁ କାହାକୁ କହିବିନି। ବାହାରେ ରାତିରେ ରୁହନି। ଆଗ ଆମ ଘରକୁ ଯାଅ। ମୁଁ ଯାଇ ପହଞ୍ଚୁଛି। ମୋ ରାଣ ତୁମକୁ।

ଆଦିତ୍ୟ ମୃତ୍ୟୁ ମାମଲାର ଖୋଳତାଡ଼ କରୁ କରୁ ଏଭଳି ଏକ ଟେଲିଫୋନିକ୍‌ କଥାବାର୍ତ୍ତା ରେଳବାଇ ପୁଲିସ ହାତରେ ପଡ଼ିଛି। ପପୁ, ବିକାଶ, ଆଦିତ୍ୟ, ବିଦ୍ୟାଶ୍ରୀଙ୍କ ଜବତ ମୋବାଇଲ ଭିତରୁ ଏହି କଥାବାର୍ତ୍ତା ମିଳିଛି। ଘଟଣା ଦିନ ରାତିରେ ହିଁ ଏହି କଥାବାର୍ତ୍ତା ହୋଇଛି। ମହିଳା ଓ ପୁରୁଷ କିଏ? ସ୍କୁଟି ଧରି ବାହାରେ ବୁଲୁଛି ବୋଲି ଏହି ରେକର୍ଡିଂରେ ରହିଥିବାରୁ ସେ ବିଦ୍ୟାଶ୍ରୀ ନୁହନ୍ତି ତ? ଯଦି ସେ ବିଦ୍ୟାଶ୍ରୀ ତେବେ ଆଦିତ୍ୟଙ୍କ ଛଡ଼ା ଏହି ନିଜର ଲୋକ କିଏ? ଏହି ନିଜର ଲୋକଙ୍କୁ ନେଇ ଆଦିତ୍ୟଙ୍କ ବୈବାହିକ ଜୀବନରେ ଝଡ଼ ଆସିନାହିଁ ତ? ଏଭଳି ଅନେକ ପ୍ରଶ୍ନ ଏବେ ଏହି ମୃତ୍ୟୁ ଘଟଣାକୁ ରହସ୍ୟମୟ କରିଛି। ତେବେ ଖୁବ୍‌ଶୀଘ୍ର ବିଦ୍ୟାଶ୍ରୀଙ୍କୁ ଏ ବାବଦରେ ଜେରା କରାଯିବ। ଏଣୁ ଏହା ଉପରୁ ପରଦା ହଟିବ ବୋଲି କୁହାଯାଉଛି।

ସେହିଭଳି ପୂର୍ବରୁ ପପୁ, ବିକାଶ, ଘରମାଲିକ ଜେରା ହୋଇଥିବା ବେଳେ ଆଜି ଅନ୍ୟ ଦୁଇ ବନ୍ଧୁ ଦୀପକ ଓ ସୌମ୍ୟଙ୍କୁ ଜେରା କରାଯାଇଛି। ସେମାନଙ୍କ ଠାରୁ ମଧ୍ୟ ରେଳବାଇ ପୁଲିସ ଅନେକ ତଥ୍ୟ ପାଇଛି। ଆଦିତ୍ୟଙ୍କ ବଲାଙ୍ଗୀର ବନ୍ଧୁ ବିଶ୍ବଙ୍କୁ ନୋଟିସ୍‌ କରାଯାଇଛି। ଖୁବ୍‌ଶୀଘ୍ର ସେ ମଧ୍ୟ ଜେରା ହେବେ। ଏଣୁ ଏହି ରହସ୍ୟମୟ ମୃତ୍ୟୁ ଉପରୁ ପରଦା ହଟିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର